ବିଶ୍ବ ବ୍ୟାଡମିଣ୍ଟନ୍‌ ଚାମ୍ପିଅନସିପ୍: ପ୍ରି-କ୍ବାର୍ଟରରେ ସିନ୍ଧୁ ଓ ଆୟୁଷ, ବିଦା ହେଲେ ଲକ୍ଷ୍ୟ ସେନ୍‌

ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ୍‌ ଚାମ୍ପିଅନସିପ୍‌ରେ ବୁଧବାର ଭାରତକୁ ମିଶ୍ରିତ ଫଳାଫଳ ମିଳିଛି। ଦୁଇ ଥରର ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ କାନାଡ଼ାର ଓ୍ବେନ୍‌ ୟୁ ଝାଙ୍ଗଙ୍କୁ ୨୧-୧୬, ୨୧-୧୭ରେ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ପୁରୁଷ ଏକକରେ ଆୟୁଷ ସେଟ୍ଟୀ ଶ୍ରୀଲଙ୍କାର ଦାମିନ୍ଦୁ ଆବେଓ୍ବିକ୍ରମାଙ୍କୁ ୨୧-୮, ୨୧-୧୦ରେ ହରାଇ ଅନ୍ତିମ-୧୬ରେ ସ୍ଥାନ ପକ୍କା କରିଛନ୍ତି।

 ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ୍‌ ଚାମ୍ପିଅନସିପ୍‌ରେ ବୁଧବାର ଭାରତ ପାଇଁ ଏକ ମିଶ୍ରିତ ଫଳାଫଳ ସାମ୍ନାକୁ ଆସିଛି । ଦୁଇ ଥରର ଅଲିମ୍ପିକ୍ ପଦକ ବିଜୟିନୀ ଷ୍ଟାର୍ ସଟ୍‌ଲର ପିଭି ସିନ୍ଧୁ ଏବଂ ଯୁବ ଖେଳାଳି ଆୟୁଷ ସେଟ୍ଟୀ ନିଜ ନିଜ ମ୍ୟାଚ୍‌ ଜିତି ପ୍ରି-କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିବା ବେଳେ, ଭାରତର ୧ ନମ୍ବର ପୁରୁଷ ସିଙ୍ଗଲ୍ସ ଖେଳାଳି ଲକ୍ଷ୍ୟ ସେନ୍‌ ଚକିତ କଲା ଭଳି ପରାଜୟ ବରଣ କରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।

ମହିଳା ଏକକ ବର୍ଗରେ ପିଭି ସିନ୍ଧୁ ନିଜର ଚିରାଚରିତ ଦମଦାର ଫର୍ମ ପ୍ରଦର୍ଶନ କରି କାନାଡ଼ାର ଓ୍ବେନ୍‌ ୟୁ ଝାଙ୍ଗଙ୍କୁ ସିଧାସଳଖ ସେଟ୍‌ରେ ୨୧-୧୬, ୨୧-୧୭ରେ ପରାସ୍ତ କରି ଅନ୍ତିମ-୧୬ରେ ସ୍ଥାନ ପକ୍କା କରିଛନ୍ତି । ସେହିପରି ପୁରୁଷ ଏକକରେ ବିଶ୍ବର ୨୨ ନମ୍ବର ମାନ୍ୟତାପ୍ରାପ୍ତ ଭାରତର ପ୍ରତିଭାବାନ ସଟ୍‌ଲର ଆୟୁଷ ସେଟ୍ଟୀ ଏକତରଫା ଭାବେ ୮୭ ନମ୍ବର ମାନ୍ୟତାପ୍ରାପ୍ତ ଶ୍ରୀଲଙ୍କାର ଦାମିନ୍ଦୁ ଆବେଓ୍ବିକ୍ରମାଙ୍କୁ ୨୧-୮, ୨୧-୧୦ରେ ମାତ୍ ଦେଇ ପ୍ରି-କ୍ବାର୍ଟରରେ ପହଞ୍ଚିଛନ୍ତି ।

ଅନ୍ୟପକ୍ଷରେ, ଟୁର୍ଣ୍ଣାମେଣ୍ଟରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଘଟାଇ ବିଶ୍ବ ମାନ୍ୟତାର ୧୪ ନମ୍ବର ଖେଳାଳି ଲକ୍ଷ୍ୟ ସେନ୍‌ ନିରାଶ କରିଛନ୍ତି । ସେ ବିଶ୍ବର ୯୨ ନମ୍ବର ମାନ୍ୟତାପ୍ରାପ୍ତ ଆମେରିକାର ମାତ୍ର ୧୮ ବର୍ଷୀୟ ଯୁବ ଖେଳାଳି ଗ୍ୟାରେଟ୍‌ ଟାନ୍‌ଙ୍କଠାରୁ ୧-୨ ସେଟ୍‌ରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି । ପ୍ରଥମ ସେଟ୍‌କୁ ୨୧-୧୯ରେ ଜିତି ଲକ୍ଷ୍ୟ ଭଲ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସେଟ୍‌ରେ ଟାନ୍‌ ୨୧-୧୯ରେ ବାଜି ମାରି ମ୍ୟାଚ୍‌କୁ ବରାବର କରିଥିଲେ ।

ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌ରେ ଆମେରିକୀୟ ଖେଳାଳି ଟାନ୍‌ ପ୍ରାରମ୍ଭରୁ ହିଁ ୧୧-୪ର ବଡ଼ ଅଗ୍ରଣୀ ହାସଲ କରି ଲକ୍ଷ୍ୟଙ୍କ ଉପରେ ଚାପ ସୃଷ୍ଟି କରିଥିଲେ । ଲକ୍ଷ୍ୟ ଜୋର୍‌ଦାର ଲଢ଼େଇ କରି ପ୍ରତ୍ୟାବର୍ତ୍ତନ ଉଦ୍ୟମ କରିଥିଲେ ହେଁ ଟାନ୍‌ ଶେଷରେ ୨୧-୧୭ରେ ଏହି ସେଟ୍ ସହ ମ୍ୟାଚ୍‌କୁ କବ୍‌ଜା କରିନେଇଥିଲେ । ଗତକାଲି ଅଷ୍ଟ୍ରିଆର ସିଭି ଫିଲିମୋନଙ୍କୁ ହରାଇ ଲକ୍ଷ୍ୟ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ ମଧ୍ୟ ଏହି ଅପ୍ରତ୍ୟାଶିତ ପରାଜୟ ତାଙ୍କ ବିଶ୍ୱକପ୍ ଅଭିଯାନରେ ପୂର୍ଣ୍ଣଚ୍ଛେଦ ପକାଇଛି । 

Leave a Reply

Your email address will not be published. Required fields are marked *