ଗତକାଲି ବିଜେଡି ଓ କଂଗ୍ରେସ କର୍ମୀଙ୍କ ପକ୍ଷରୁ ହୋଇଥିବା ବିରୋଧ ପ୍ରଦର୍ଶନ ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ସମ୍ପୂର୍ଣ୍ଣ ସହରକୁ ପୋଲିସ ଛାଉଣୀରେ ପରିଣତ କରାଯାଇଛି ।
ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତକୁ ଦୃଷ୍ଟିରେ ରଖି ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି । ଗତକାଲି ବିଜେଡି ଓ କଂଗ୍ରେସ କର୍ମୀଙ୍କ ପକ୍ଷରୁ ହୋଇଥିବା ବିରୋଧ ପ୍ରଦର୍ଶନ ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମ ଏବଂ ଯିବାଆସିବା ପଥରେ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ସମ୍ପୂର୍ଣ୍ଣ ସହରକୁ ପୋଲିସ ଛାଉଣୀରେ ପରିଣତ କରାଯାଇଛି । ସହରର ପ୍ରତିଟି ପ୍ରବେଶ ପଥ ଓ ଗୁରୁତ୍ୱପୂର୍ଣ୍ଣ ଛକ ମାନଙ୍କରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ବୋମା ନିରୋଧକ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ତଲାସି କରାଯାଉଛି । ବିଶେଷ କରି ସଭାସ୍ଥଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଡଗ୍ ସ୍କ୍ୱାଡ୍ ସହାୟତାରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଗତକାଲି ବିଜେଡି ଏବଂ କଂଗ୍ରେସ କର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ କଳାପତାକା ଦେଖାଇ ବିରୋଧ କରିଥିଲେ । ବିରୋଧୀ ଦଳଙ୍କ ଏହି ଆନ୍ଦୋଳନାତ୍ମକ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଆଜି ପୋଲିସ ପକ୍ଷରୁ ସୁରକ୍ଷା ବଳୟକୁ ଦ୍ୱିଗୁଣିତ କରାଯାଇଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବା ସହ ଗାଡି ମଟର ଯାଞ୍ଚକୁ ମଧ୍ୟ ଜୋରଦାର କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବରିଷ୍ଠ ପୋଲିସ ଅଧିକାରୀମାନେ ନିଜେ ସ୍ଥିତିର ଅନୁଧ୍ୟାନ କରୁଛନ୍ତି ।

