ଦୁହିଁଙ୍କ ମଧ୍ୟରେ ଏହି ସାକ୍ଷାତ ଏପରି ସମୟରେ ହୋଇଛି, ଯେତେବେଳେ ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ବଡ଼ ରାଲି ଆୟୋଜନ ହେବାକୁ ଯାଉଛି । ଏହି ସାକ୍ଷାତ ସମୟରେ CJPକୁ ସମର୍ଥନ ଦେଇଥିବାରୁ ମମତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିଜିତ ।
କୋକରୋଚ୍ ଜନତା ପାର୍ଟି ମୁଖ୍ୟ ଅଭିଜିତ ଦୀପକେ ଶନିବାର ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ଦୁହିଁଙ୍କ ମଧ୍ୟରେ ଏହି ସାକ୍ଷାତ ଏପରି ସମୟରେ ହୋଇଛି, ଯେତେବେଳେ ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ବଡ଼ ରାଲି ଆୟୋଜନ ହେବାକୁ ଯାଉଛି । ଏହି ସାକ୍ଷାତ ସମୟରେ CJPକୁ ସମର୍ଥନ ଦେଇଥିବାରୁ ମମତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିଜିତ ।
ମମତା ବାନାର୍ଜୀଙ୍କ ସହ ସାକ୍ଷାତକୁ ନେଇ ଅଭିଜିତ ଦୀପକେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ Xରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, TMC ମୁଖ୍ୟ ମମତା ବାନାର୍ଜୀଙ୍କ ସହ ତାଙ୍କର ସାକ୍ଷାତ ହୋଇଛି। CJPକୁ ସମର୍ଥନ ଦେଇଥିବାରୁ ସେ ମମତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷକରି ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କ ବେଆଇନ ଗିରଫଦାରୀ ସମୟରେ ମମତା ଦେଇଥିବା ସମର୍ଥନକୁ ସେ ମନେ ପକାଇଛନ୍ତି ।
ଏହା ସହ ନିର୍ବାଚନୀ ଅନିୟମିତତା ଏବଂ ଧାନ୍ଦଲି ବିରୋଧରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ହେବାକୁ ଥିବା ରାଲିକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଏକତା ପ୍ରକାଶ ପାଇଥିବା ସେ କହିଛନ୍ତି । ଏଥିସହ ନିଜ ପୋଷ୍ଟର ଶେଷରେ ଅଭିଜିତ ଲେଖିଛନ୍ତି, ‘ଜ୍ଞାନେଶ କୁମାରଙ୍କୁ ଯିବାକୁ ହେବ !’ ଅନ୍ୟପଟେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ମଧ୍ୟ ଏହି ସାକ୍ଷାତକୁ ନେଇ Xରେ ପୋଷ୍ଟ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଏହା ଏକ ହୃଦୟରୁ ହୋଇଥିବା ଆଲୋଚନା ଥିଲା । ଭାରତର ଭବିଷ୍ୟତକୁ ଅଧିକ ଉନ୍ନତ, ଶକ୍ତିଶାଳୀ ଏବଂ ସୁନ୍ଦର କରିବା ପାଇଁ ଉଭୟଙ୍କର ସମାନ ସ୍ୱପ୍ନ ଓ ଦୃଢ଼ ସଂକଳ୍ପ ରହିଛି। ଦିଲ୍ଲୀରେ ମମତାଙ୍କ ସହ ଅଭିଜିତଙ୍କ ଏହି ସୌଜନ୍ୟମୂଳକ ସାକ୍ଷାତରେ ଆଗାମୀ ରାଜନୈତିକ ରଣନୀତି ନେଇ ମତ ବିନିମୟ ହୋଇଥିବା ଦଳ କହିଛି ।
ସୂଚନା ଅନୁସାରେ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏହି ରାଲି ଆୟୋଜନ କରାଯାଉଛି । ଏହାକୁ ସଫଳ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ପୂରା ପ୍ରସ୍ତୁତି ଚଳାଇଛନ୍ତି । ଅଧିକରୁ ଅଧିକ ଲୋକ ଏହି ରାଲିରେ ସାମିଲ ହେବାକୁ ବିରୋଧୀଙ୍କ ପକ୍ଷରୁ ଅପିଲ କରାଯାଉଛି । ଏହି ରାଲିକୁ କୋକରୋଚ୍ ଜନତା ପାର୍ଟି ମଧ୍ୟ ସମର୍ଥନ ଜଣାଇଛି। ଅନ୍ୟପଟେ NDA ପକ୍ଷରୁ ଏହି ରାଲିକୁ ନୌଟଙ୍କି ବୋଲି କହିବା ସହ ବ୍ୟବସାୟୀଙ୍କ ସ୍ୱାର୍ଥ ବିରୋଧୀ ବୋଲି ଅଭିଯୋଗ କରାଯାଇଛି । ତେବେ ମମତା ଓ ଅଭିଜିତଙ୍କ ଏହି ସାକ୍ଷାତ ଆଗାମୀ ରାଲିକୁ ନେଇ ବିରୋଧୀ ଶିବିରର ଏକତାକୁ ନୂଆ ରାଜନୈତିକ ଚର୍ଚ୍ଚା ଦେଇଛି ।

