ଆସାମର ଗୌହାଟୀସ୍ଥିତ ହୋଟେଲ ବିଲାସ ଇନ୍ରେ ଗୁଳିମାଡ଼ ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ପୁଲିସ ଅଭିଯୁକ୍ତ ଘନକାନ୍ତ ଗୋଗୋଇଙ୍କୁ ଗିରଫ କରିବା ସହ ଗୁଳିକାଣ୍ଡରେ ବ୍ୟବହୃତ ପିସ୍ତଲ ଜବତ କରିଛି।
ଆସାମର ଗୌହାଟୀରେ ହୋଟେଲ ଭିତରେ ଆଖିବୁଜା ଗୁଳିମାଡ଼ । ଏହି ଗୁଳିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ୪ ଜଣ ଗୋଟିଏ ପରିବାରର ବୋଲି ପୁଲିସ ସୂଚନା ଦେଇଛି। ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ ଏହି ମାମଲାରେ ଅଭିଯୁକ୍ତ ଘନକାନ୍ତ ଗୋଗୋଇଙ୍କୁ ପୁଲିସ ଗିରଫ କରିଛି ।
ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୯ଟା ସମୟରେ ଗୌହାଟୀର ବୋରା ସର୍ଭିସ୍ ଅଞ୍ଚଳରେ ଥିବା ହୋଟେଲ ବିଲାସ ଇନ୍ରେ ଏହି ଗୁଳିକାଣ୍ଡ ଘଟିଥିଲା । ଗୁଳିମାଡ଼ରେ ମୋଟ ୬ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଘଟଣା ସମ୍ପର୍କରେ ଖବର ପାଇ ଗୌହାଟୀ ପୁଲିସର ବରିଷ୍ଠ ଅଧିକାରୀ ଓ ଏକାଧିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୁଳିମାଡ଼ରେ ଆହତଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଥିଲା। ଅନ୍ୟପଟେ, ଘଟଣାସ୍ଥଳରେ ତଦନ୍ତ କରିବା ସହ ପୁଲିସ ଗୁଳିକାଣ୍ଡରେ ବ୍ୟବହୃତ ଅସ୍ତ୍ରକୁ ଜବତ କରିଛି ।
ଗୌହାଟୀ ପୁଲିସ କମିସନର ପାର୍ଥ ସାରଥୀ ମହନ୍ତଙ୍କ ସୂଚନା ଅନୁସାରେ, ଏହି ଘଟଣାରେ ଅଭିଯୁକ୍ତ ଘନକାନ୍ତ ଗୋଗୋଇଙ୍କୁ ଗିରଫ କରାଯାଇଛି । ଘଟଣାର ଏକ ଘଣ୍ଟା ମଧ୍ୟରେ ପୁଲିସ ତାଙ୍କୁ ଧରିବାରେ ସଫଳ ହୋଇଥିଲା । ତାଙ୍କ ନିକଟରୁ ଗୁଳିମାଡ଼ରେ ବ୍ୟବହୃତ .୩୨ ବୋର୍ର ଏକ ଲାଇସେନ୍ସପ୍ରାପ୍ତ ପିସ୍ତଲ ମଧ୍ୟ ଜବତ କରାଯାଇଛି ।
ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ହୋଟେଲର ମାଲିକ ପକ୍ଷ ଓ ଏହାକୁ ଲିଜ୍ରେ ନେଇଥିବା ଘନକାନ୍ତ ଗୋଗୋଇଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ରହିଥିଲା । ଏହି ବିବାଦ ହିଁ ଗୁଳିକାଣ୍ଡର କାରଣ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି । ତେବେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି ।
ପୁଲିସ କମିସନରଙ୍କ କହିବା ଅନୁସାରେ, ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ ହୋଟେଲ ମାଲିକଙ୍କ ପରିବାରର । ଅନ୍ୟ ଜଣେ ମୃତକ ସେହି ପରିବାରର ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି । ଆହତ ବ୍ୟକ୍ତି ମଧ୍ୟ ସେହି ଗାଁର ବୋଲି ସୂଚନା ମିଳିଛି ।
ଏହି ଘଟଣାରେ ମୃତକଙ୍କ ପରିଚୟ ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯାଉଛି। ଅନ୍ୟପଟେ, ଆହତ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି । ପୁଲିସ ପକ୍ଷରୁ ଘଟଣାସ୍ଥଳରେ ଫରେନ୍ସିକ୍ ଯାଞ୍ଚ କରାଯିବା ସହ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି ।
ଗୌହାଟୀରେ ଏଭଳି ଗୁଳିକାଣ୍ଡ ପରେ ରାଜ୍ୟର ଆଇନଶୃଙ୍ଖଳା ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ଆସାମ କଂଗ୍ରେସ । ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଦଳ କହିଛି ଯେ, ଗୌହାଟୀରେ ସୁରକ୍ଷା ବ୍ୟବସ୍ଥାର ଏଭଳି ସ୍ଥିତି ସାଧାରଣ ଲୋକଙ୍କ ସୁରକ୍ଷା ଓ ରାଜ୍ୟର ଆଇନଶୃଙ୍ଖଳାକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରୁଛି। ପୀଡ଼ିତଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସରକାର ତୁରନ୍ତ ପଦକ୍ଷେପ ନେଇ ଉତ୍ତରଦାୟିତ୍ୱ ସ୍ଥିର କରିବାକୁ ଦଳ ଦାବି କରିଛି।

