ମାଛ ହେଲେ ବି ସେ ମା’! ମରିଯାଇଥିଲା ଛୁଆ, ପିଠିରେ ଧରି ଛଅ ଦିନ ବୁଲିଲା ମାଆ

ଭାଇରାଲ୍ ହେଉଥିବା ଏହି ଭିଡିଓଟି ଭାରତ ମହାସାଗରର । ଡ୍ରୋନ୍ କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟରେ ଦେଖାଯାଉଛି Fraggle ନାମକ ଏକ ମା’ ଡଲଫିନ୍ ତା’ର ମୃତ ଶାବକକୁ ନେଇ ସମୁଦ୍ରରେ ଘୂରୁଛି ।

 ମା’… ଏହି ଶବ୍ଦଟି ହିଁ ମମତା, ତ୍ୟାଗ ଓ ନିଃସ୍ୱାର୍ଥ ଭଲପାଇବାର ପରିଚୟ । ମଣିଷ ହେଉ କି ପଶୁ ନିଜ ଛୁଆ ପାଇଁ ଜଣେ ମା’ କେତେ ଦୂର ଯାଇପାରେ, ତାହାର ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଭାଇରାଲ୍ ହେଉଥିବା ଏହି ଭିଡିଓଟି ଭାରତ ମହାସାଗରର । ଡ୍ରୋନ୍ କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟରେ ଦେଖାଯାଉଛି Fraggle ନାମକ ଏକ ମା’ ଡଲଫିନ୍ ତା’ର ମୃତ ଶାବକକୁ ନେଇ ସମୁଦ୍ରରେ ଘୂରୁଛି । ମାତ୍ର ପ୍ରାୟ ଦୁଇ ସପ୍ତାହର ଥିଲା ତା’ର ଛୁଆ । କିନ୍ତୁ ଛୁଆକୁ ହରାଇବା ପରେ ମଧ୍ୟ ତାକୁ ଛାଡ଼ିପାରିଲାନି ମା’ ଡଲଫିନ୍ ।

ଗୋଟିଏ ଦିନ ନୁହେଁ, ଦୁଇ ଦିନ ନୁହେଁ ପ୍ରାୟ ୬ ଦିନ ଧରି ମୃତ ଶାବକକୁ ନେଇ ପହଁରିଲା Fraggle । ଆଉ ସବୁଠାରୁ ଭାବପ୍ରବଣ କରିଦେଇଥିବା ଦୃଶ୍ୟ ହେଉଛି ତା’ର ସମ୍ପୂର୍ଣ୍ଣ ୧୪ଟି ଡଲଫିନ୍‌ର ପୋଡ୍ ମଧ୍ୟ ତା’ ସହିତ ରହିଥିଲା । ଗବେଷକମାନେ କହୁଛନ୍ତି, ମୃତ ଛୁଆକୁ ଦୀର୍ଘ ସମୟ ଧରି ବୋହିବା ଓ ତା’ ପାଖରେ ରହିବାକୁ ଡଲଫିନ୍ ଏବଂ ଅନ୍ୟ କିଛି ସିଟାସିଆନ୍ ପ୍ରଜାତିରେ ଦେଖାଯାଇଛି । ବୈଜ୍ଞାନିକମାନେ ଏହାକୁ “post-mortem attentive behaviour” ବୋଲି କହନ୍ତି । ଏହାକୁ ମଣିଷର ଶୋକ ସହିତ ସମ୍ପର୍କ କରାଯାଇପାରେ, କିନ୍ତୁ ଡଲଫିନ୍‌ମାନେ ମଣିଷଙ୍କ ଭଳି ଠିକ୍ ସେହିପରି ଶୋକ କରନ୍ତି ବୋଲି ପ୍ରମାଣିତ ନୁହେଁ ।

ତଥାପି ପ୍ରଶ୍ନ ଉଠୁଛି ଯେତେବେଳେ ଶାବକ ଆଉ ଜୀବିତ ନାହିଁ, ତେବେ ମା’ ତାକୁ ଏତେ ସମୟ ଧରି କାହିଁକି ବୋହି ଚାଲେ? ହୁଏତ ତା’ର ମନ କହୁଥିବ“ମୋ ଛୁଆ ଏବେ ବି ଫେରିଆସିବ…”

ଆଉ ଏହି ଦୃଶ୍ୟ ଆମକୁ ମଣିଷ ମା’ର କଥା ମଧ୍ୟ ମନେ ପକାଇଦିଏ।

ଜଣେ ମା’ ନିଜ ଛୁଆ ପାଇଁ ନିଜ ନିଦ, ନିଜ ସୁଖ, ନିଜ ଆରାମ ସବୁକିଛି ତ୍ୟାଗ କରିଦିଏ । ଛୁଆ ଅସୁସ୍ଥ ହେଲେ ରାତି ରାତି ଜାଗେ, ଛୁଆ ଭୋକିଲେ ନିଜ ଭୋକ ଭୁଲିଯାଏ, ଆଉ ବିପଦ ଆସିଲେ ନିଜ ଜୀବନକୁ ବି ବାଜି ଲଗାଇଦିଏ ।  ମା’ ପାଇଁ ଛୁଆ କେବଳ ତା’ର ସନ୍ତାନ ନୁହେଁ…ଛୁଆ ହେଉଛି ତା’ର ହୃଦୟର ଏକ ଅଂଶ।

ସେଥିପାଇଁ ବୋଧହୁଏ କୁହାଯାଏ “ମା’ର ମମତାର ଭାଷା ମଣିଷ ହେଉ କି ଡଲଫିନ୍… ପ୍ରକୃତିର ପ୍ରତ୍ୟେକ ଜୀବ ବୁଝେ।”

Leave a Reply

Your email address will not be published. Required fields are marked *