ସୁନ୍ଦରଗଡ଼ କୁଲୁବାରେ ସନ୍ଦିଗ୍ଧ ମାଓବାଦୀ ଠାବ, ଆକ୍ସନ ମୋଡରେ ସୁରକ୍ଷା ବାହିନୀ

ସୁନ୍ଦରଗଡ଼ ଜିଲ୍ଲାର କୁଲୁବା ଅଞ୍ଚଳରେ ପୁଣି ମାଓବାଦୀ ଚଳପ୍ରଚଳ ସନ୍ଦେହ ଦେଖାଦେଇଛି । ସଶସ୍ତ୍ର ସନ୍ଦିଗ୍ଧ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୁରକ୍ଷା ବାହିନୀ ମଧ୍ୟ ତୁରନ୍ତ ସତର୍କ ହୋଇ ବ୍ୟାପକ ତଲାସି ଅଭିଯାନ ଆରମ୍ଭ କରିଛି ।

ସୁନ୍ଦରଗଡ଼ ଜିଲ୍ଲାର କୁଲୁବା ଅଞ୍ଚଳରେ ପୁଣି ମାଓବାଦୀ ଚଳପ୍ରଚଳ ସନ୍ଦେହ ଦେଖାଦେଇଛି । ସଶସ୍ତ୍ର ସନ୍ଦିଗ୍ଧ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୁରକ୍ଷା ବାହିନୀ ମଧ୍ୟ ତୁରନ୍ତ ସତର୍କ ହୋଇ ବ୍ୟାପକ ତଲାସି ଅଭିଯାନ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଗତକାଲି କୁଲୁବା ଜଙ୍ଗଲ ଅଞ୍ଚଳରୁ କିଛି ସନ୍ଦିଗ୍ଧ ବ୍ୟକ୍ତି ଗାଁ ଅଭିମୁଖେ ଆସିଥିବା ଦେଖିବାକୁ ମିଳିଥିଲା । ସେମାନେ ଅସ୍ତ୍ରଶସ୍ତ୍ର ଧରିଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି ।

ପ୍ରାଥମିକ ସୂଚନା ଅନୁସାରେ, ସନ୍ଦିଗ୍ଧମାନେ ଦୁଇଟି ଭିନ୍ନ ଗୋଷ୍ଠୀରେ ଥିବା ଅନୁମାନ କରାଯାଉଛି । ଖବର ପାଇବା ମାତ୍ରେ ଜିଲ୍ଲା ପୁଲିସ, ଡିଭିଏଫ୍  ଓ ବନ ବିଭାଗ ମିଳିତ ଭାବେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ଜଙ୍ଗଲ ଭିତରେ ସନ୍ଦିଗ୍ଧଙ୍କ ଠାବଠିକଣା ଖୋଜିବା ପାଇଁ ଆଧୁନିକ ଡ୍ରୋନ୍ ପ୍ରଯୁକ୍ତିର ମଧ୍ୟ ସହାୟତା ନିଆଯାଉଛି । ଘନ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ବାହିନୀ ଅତ୍ୟନ୍ତ ସତର୍କତାର ସହ ଅଭିଯାନ ଚଳାଇଛନ୍ତି । ଯେକୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

 ସ୍ଥାନୀୟ ଲୋକଙ୍କୁ ଅଜଣା ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ପୁଲିସକୁ ସୂଚନା ଦେବାକୁ କୁହାଯାଇଛି । ଏହାସହ ଜଙ୍ଗଲ ଅଞ୍ଚଳକୁ ଏକାକୀ ନଯିବା ଓ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଏପର୍ଯ୍ୟନ୍ତ ପୁଲିସ ପକ୍ଷରୁ ଏହି ସନ୍ଦିଗ୍ଧମାନେ ମାଓବାଦୀ କି ନୁହେଁ, ସେନେଇ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ଦିଆଯାଇନାହିଁ । ଅଭିଯାନ ଜାରି ରହିଥିବା ବେଳେ ସୁରକ୍ଷା ବାହିନୀର ରିପୋର୍ଟ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ । ମାଓବାଦୀ କାର୍ଯ୍ୟକଳାପକୁ ନେଇ ପୂର୍ବରୁ ସମ୍ବେଦନଶୀଳ ଥିବା ଏହି ଅଞ୍ଚଳରେ ପୁଣି ଏଭଳି ସନ୍ଦିଗ୍ଧ ଚଳପ୍ରଚଳ ଖବର ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇଛି । ଏବେ ସମସ୍ତଙ୍କ ନଜର ସୁରକ୍ଷା ବାହିନୀର ଅଭିଯାନ ଓ ତଦନ୍ତ ଉପରେ ରହିଛି ।

Leave a Reply

Your email address will not be published. Required fields are marked *