ମଧ୍ୟପ୍ରଦେଶରୁ ରାଜ୍ୟସଭା ଯିବେ ହରଦୀପ ସିଂହ ପୁରୀ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ତାଙ୍କ ପ୍ରାର୍ଥିତ୍ୱକୁ ଅନୁମୋଦନ ଦେଇଥିବା ନେଇ ଏକ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି । ୭୪ ବର୍ଷୀୟ ହରଦୀପ ସିଂହ ପୁରୀ ବର୍ତ୍ତମାନ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ନେଇ ଚାଲିଥିବା ରାଜନୈତିକ ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ପାଇଁ ତାଙ୍କ ନାମକୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ତାଙ୍କ ପ୍ରାର୍ଥିତ୍ୱକୁ ଅନୁମୋଦନ ଦେଇଥିବା ନେଇ ଏକ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି । ୭୪ ବର୍ଷୀୟ ହରଦୀପ ସିଂହ ପୁରୀ ବର୍ତ୍ତମାନ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏଲ୍. ମୁରୁଗାନଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶରେ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଏହି ଉପନିର୍ବାଚନ ହେଉଛି । ଏହି ଆସନରେ ପୁରୀଙ୍କୁ ପ୍ରାର୍ଥୀ କରି ବିଜେପି ତାଙ୍କର ଆଗାମୀ ରାଜ୍ୟସଭା କାର୍ଯ୍ୟକାଳ ପାଇଁ ରାସ୍ତା ପ୍ରସ୍ତୁତ କରିଛି ।

ଏହା ପୂର୍ବରୁ ହରଦୀପ ସିଂହ ପୁରୀ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲେ। ତାଙ୍କର ବର୍ତ୍ତମାନର କାର୍ଯ୍ୟକାଳ ଆସନ୍ତା ନଭେମ୍ବରରେ ଶେଷ ହେବାକୁ ଥିବାବେଳେ ଉତ୍ତରପ୍ରଦେଶରୁ ବିଜେପି ଘୋଷଣା କରିଥିବା ୮ ଜଣିଆ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ନଥିଲା । ଏହାକୁ ନେଇ ତାଙ୍କର ରାଜନୈତିକ ଭବିଷ୍ୟତ ସମ୍ପର୍କରେ ବିଭିନ୍ନ ଆଲୋଚନା ହେଉଥିଲା । ଏବେ ମଧ୍ୟପ୍ରଦେଶରୁ ତାଙ୍କୁ ପ୍ରାର୍ଥୀ କରାଯିବା ପରେ ସେହି ଚର୍ଚ୍ଚାର ଅନ୍ତ ଘଟିଛି ।

ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୨ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି । ନଭେମ୍ବର ୩ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ ଏବଂ ନଭେମ୍ବର ୫ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ । ନଭେମ୍ବର ୧୨ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ଏବେ ସମସ୍ତଙ୍କ ନଜର ରହିଛି ନିର୍ବାଚନୀ ପ୍ରକ୍ରିୟା ଉପରେ ।

Leave a Reply

Your email address will not be published. Required fields are marked *