CSKର ନୂଆ ହେଡ୍ କୋଚ୍ କିଏ ହେବେ? ଏହାକୁ ନେଇ ଚର୍ଚ୍ଚା ମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟର କ୍ରିସ୍ ଶ୍ରୀକାନ୍ତ ଦେଇଛନ୍ତି ବଡ଼ ବୟାନ । ଇଂଲଣ୍ଡର ପୂର୍ବତନ ବିଶ୍ୱକପ୍ ବିଜେତା ଅଧିନାୟକ ଇଅନ୍ ମର୍ଗାନଙ୍କୁ CSKର ହେଡ୍ କୋଚ୍ ଭାବେ ଦେଖିବାକୁ ସେ ପସନ୍ଦ କରୁନାହାନ୍ତି ।
CSKର ନୂଆ ହେଡ୍ କୋଚ୍ କିଏ ହେବେ? ଏହାକୁ ନେଇ ଚର୍ଚ୍ଚା ମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟର କ୍ରିସ୍ ଶ୍ରୀକାନ୍ତ ଦେଇଛନ୍ତି ବଡ଼ ବୟାନ । ଇଂଲଣ୍ଡର ପୂର୍ବତନ ବିଶ୍ୱକପ୍ ବିଜେତା ଅଧିନାୟକ ଇଅନ୍ ମର୍ଗାନଙ୍କୁ CSKର ହେଡ୍ କୋଚ୍ ଭାବେ ଦେଖିବାକୁ ସେ ପସନ୍ଦ କରୁନାହାନ୍ତି । ଏହା ବଦଳରେ ଚେନ୍ନାଇ ସୁପର କିଙ୍ଗ୍ସ ସହ ଦୀର୍ଘ ସମୟ ଧରି ଜଡ଼ିତ ଥିବା ମାଇକେଲ୍ ହସିଙ୍କୁ ଦାୟିତ୍ୱ ଦେବା ସପକ୍ଷରେ ମତ ରଖିଛନ୍ତି ଶ୍ରୀକାନ୍ତ । CSKର ବର୍ତ୍ତମାନର କୋଚିଂ ବ୍ୟବସ୍ଥାରେ ପରିବର୍ତ୍ତନକୁ ନେଇ ଆଲୋଚନା ଜୋର ଧରିଥିବା ବେଳେ, ମର୍ଗାନଙ୍କ ନାଁ ମଧ୍ୟ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଚର୍ଚ୍ଚାକୁ ଆସିଛି । ମର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ୨୦୧୯ରେ ପ୍ରଥମ ଥର ପାଇଁ ODI ବିଶ୍ୱକପ୍ ଜିତିଥିଲା । ତେଣୁ ତାଙ୍କର ଅଭିଜ୍ଞତା ଓ ଆଧୁନିକ କ୍ରିକେଟ୍ର ବୁଝାମଣାକୁ ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଶ୍ରୀକାନ୍ତଙ୍କ ପସନ୍ଦ ରହିଛି ମାଇକେଲ୍ ହସି ।
ଅଷ୍ଟ୍ରେଲିଆର ପୂର୍ବତନ ଷ୍ଟାର୍ ବ୍ୟାଟର୍ ହସି CSK ସହ ଦୀର୍ଘ ସମୟ ଧରି ଜଡ଼ିତ ରହିଛନ୍ତି । ଖେଳାଳି ଭାବେ CSK ପାଇଁ ତାଙ୍କର ଅବଦାନ ରହିଥିବା ବେଳେ, ପରବର୍ତ୍ତୀ ସମୟରେ ସେ ଦଳର କୋଚିଂ ଷ୍ଟାଫ୍ର ଅଂଶ ମଧ୍ୟ ରହିଛନ୍ତି । ତେଣୁ ଚେନ୍ନାଇର ଟିମ୍ କଲ୍ଚର୍ ଓ ପରିବେଶ ସହ ହସି ଭଲ ଭାବରେ ପରିଚିତ । ଶ୍ରୀକାନ୍ତଙ୍କ ମତରେ, CSK ପାଇଁ ଦଳର ଭିତର ଗଠନ ଓ ଟିମ୍ କଲ୍ଚର୍କୁ ବୁଝୁଥିବା ବ୍ୟକ୍ତି ଅଧିକ ଉପଯୋଗୀ ହୋଇପାରନ୍ତି । ଏହି କାରଣରୁ ମର୍ଗାନଙ୍କ ତୁଳନାରେ ହସିଙ୍କୁ ଅଧିକ ଉପଯୁକ୍ତ ବିକଳ୍ପ ଭାବେ ସେ ଦେଖୁଛନ୍ତି । ଏବେ ପ୍ରଶ୍ନ ହେଉଛି—CSK ମ୍ୟାନେଜମେଣ୍ଟ କାହା ଉପରେ ଭରସା କରିବ? ମର୍ଗାନଙ୍କ ଅନ୍ତର୍ଜାତୀୟ ନେତୃତ୍ୱ ଅଭିଜ୍ଞତା ନା ହସିଙ୍କ CSK ସହ ପୁରୁଣା ସମ୍ପର୍କ? ଆଗାମୀ ଦିନରେ ଦଳର ନିଷ୍ପତ୍ତି ହିଁ ଏହି ଚର୍ଚ୍ଚାରେ ଅନ୍ତିମ ମୋହର ଲଗାଇବ ।

