CEC ଜ୍ଞାନେଶ କୁମାରଙ୍କ ଛତିଶଗଡ଼ ଗସ୍ତ ଅଚାନକ ସ୍ଥଗିତ, ଦିଲ୍ଲୀରେ ବିରୋଧ ମଧ୍ୟରେ ବଡ଼ ନିଷ୍ପତ୍ତି

ଜ୍ଞାନେଶ କୁମାରଙ୍କ ସମେତ ନିର୍ବାଚନ କମିଶନର ଅନ୍ୟ ଅଧିକାରୀମାନେ ଅକ୍ଟୋବର ୭ ଓ ୮ ତାରିଖରେ ଛତିଶଗଡ଼ ଗସ୍ତ କରିବାର ଥିଲା । କିନ୍ତୁ ‘ଅପରିହାର୍ଯ୍ୟ କାରଣ’ ଦର୍ଶାଇ ଏହି ଦୁଇଦିନିଆ ଗସ୍ତକୁ ସ୍ଥଗିତ କରାଯାଇଛି ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଛତିଶଗଡ଼ ଗସ୍ତ ଅଚାନକ ସ୍ଥଗିତ ହୋଇଛି । ଜ୍ଞାନେଶ କୁମାରଙ୍କ ସମେତ ନିର୍ବାଚନ କମିଶନର ଅନ୍ୟ ଅଧିକାରୀମାନେ ଅକ୍ଟୋବର ୭ ଓ ୮ ତାରିଖରେ ଛତିଶଗଡ଼ ଗସ୍ତ କରିବାର ଥିଲା । କିନ୍ତୁ ‘ଅପରିହାର୍ଯ୍ୟ କାରଣ’ ଦର୍ଶାଇ ଏହି ଦୁଇଦିନିଆ ଗସ୍ତକୁ ସ୍ଥଗିତ କରାଯାଇଛି । ଏହି ଗସ୍ତ ସମୟରେ CEC ଜ୍ଞାନେଶ କୁମାର ଏବଂ ବରିଷ୍ଠ ଅଧିକାରୀମାନେ ଛତିଶଗଡ଼ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଗସ୍ତ କରିବାର ଥିଲା। ବିଶେଷ କରି ଦନ୍ତେୱାଡ଼ା, ବସ୍ତର ଓ କବର୍ଦ୍ଧା ଅଞ୍ଚଳ ପରିଦର୍ଶନ ପାଇଁ କାର୍ଯ୍ୟକ୍ରମ ରହିଥିଲା ।

CECଙ୍କ ଛତିଶଗଡ଼ ଗସ୍ତକୁ ନେଇ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଜ୍ଞାନେଶ କୁମାରଙ୍କୁ ‘ରାଜ୍ୟ ଅତିଥି’ ଭାବେ ଘୋଷଣା କରାଯିବା ସହ ସୁରକ୍ଷା ଓ ପ୍ରୋଟୋକଲ୍ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ତେବେ ହଠାତ୍ ଗସ୍ତ ସ୍ଥଗିତ ହେବା ପରେ ଏବେ ନୂଆ ତାରିଖ ପରେ ଘୋଷଣା କରାଯିବ ।

CECଙ୍କ ଏହି ଗସ୍ତ ଏପରି ଏକ ସମୟରେ ସ୍ଥଗିତ ହୋଇଛି, ଯେତେବେଳେ ନିର୍ବାଚନ କମିଶନ ଓ CEC ଜ୍ଞାନେଶ କୁମାରଙ୍କୁ ନେଇ ପ୍ରଶାସନିକ ଓ ଆଇନଗତ ବିବାଦ ଚର୍ଚ୍ଚାରେ ରହିଛି । ଅଭିଯୋଗ ଅନୁସାରେ, ନିର୍ବାଚନ କମିଶନର ତିନିଜଣିଆ ଢାଞ୍ଚାରେ CEC ଜ୍ଞାନେଶ କୁମାର ଅନ୍ୟ ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସନ୍ଧୁ ଓ ବିବେକ ଯୋଶୀଙ୍କ ଅସହମତି ସତ୍ତ୍ୱେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଆବେଦନକାରୀଙ୍କ ଦାବି ଅନୁସାରେ, ଅକ୍ଟୋବର ୨୦୨୫ରୁ ଅଗଷ୍ଟ ୨୦୨୬ ମଧ୍ୟରେ ଦୁଇ ନିର୍ବାଚନ କମିଶନର ଅତି କମରେ ୧୪ ଥର ଆପତ୍ତି ଉଠାଇଥିଲେ । ନୂଆ ଭୋଟରଙ୍କ ପଞ୍ଜୀକରଣ ପାଇଁ ବ୍ୟବହୃତ ‘ଫର୍ମ-୬’ରେ ଉପଯୁକ୍ତ ପ୍ରକ୍ରିୟା ବିନା ପରିବର୍ତ୍ତନ କରାଯାଇଥିବା ନେଇ ମଧ୍ୟ ବିବାଦ ଦେଖାଦେଇଛି।

ସୁପ୍ରିମକୋର୍ଟରେ ପହଞ୍ଚିଛି ମାମଲା

ଏହି ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଅକ୍ଟୋବର ୫ ତାରିଖରେ ମାମଲାର ଶୁଣାଣି ସମୟରେ କୋର୍ଟ CEC ଜ୍ଞାନେଶ କୁମାରଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ମନା କରିଥିଲେ । ତେବେ କେନ୍ଦ୍ର ସରକାର, ନିର୍ବାଚନ କମିଶନ ଓ ଅନ୍ୟ ସମ୍ପୃକ୍ତ ଅଧିକାରୀଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ରେକର୍ଡ ଯାଞ୍ଚ କରି ନିଷ୍ପତ୍ତିଗୁଡ଼ିକ ସାମୂହିକ ସହମତିରେ ନିଆଯାଇଥିଲା କି ନାହିଁ, ତାହା ଯାଞ୍ଚ କରାଯିବ । ନିୟମ ବିରୋଧୀ ବୋଲି ପ୍ରମାଣିତ ହେଲେ ସମ୍ପୃକ୍ତ ନିଷ୍ପତ୍ତିକୁ ରଦ୍ଦ ମଧ୍ୟ କରାଯାଇପାରେ ।

Leave a Reply

Your email address will not be published. Required fields are marked *