RBIର ବଡ଼ ନିଷ୍ପତ୍ତି: ବଢ଼ିଲା ରେପୋ ରେଟ୍, ମହଙ୍ଗା ହେବ ହୋମ୍ ଲୋନ୍-କାର୍ ଲୋନ୍ EMI

ତିନି ଦିନ ଧରି ଚାଲିଥିବା ମନିଟାରୀ ପଲିସି କମିଟି ବୈଠକ ପରେ RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବ୍ୟାଜ ହାର ବୃଦ୍ଧି ଘୋଷଣା କରିଛନ୍ତି । RBI ପକ୍ଷରୁ ରେପୋ ରେଟ୍‌ରେ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି ।

 ଋଣ ନେଇଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଜ ହାରକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ତିନି ଦିନ ଧରି ଚାଲିଥିବା ମନିଟାରୀ ପଲିସି କମିଟି ବୈଠକ ପରେ RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବ୍ୟାଜ ହାର ବୃଦ୍ଧି ଘୋଷଣା କରିଛନ୍ତି । RBI ପକ୍ଷରୁ ରେପୋ ରେଟ୍‌ରେ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି । ଫଳରେ ରେପୋ ରେଟ୍ ୫.୨୫ ପ୍ରତିଶତରୁ ବଢ଼ି ୫.୫୦ ପ୍ରତିଶତରେ ପହଞ୍ଚିଛି । ଏହାର ସିଧାସଳଖ ପ୍ରଭାବ ଋଣ ନେଇଥିବା ଗ୍ରାହକଙ୍କ ଉପରେ ପଡ଼ିପାରେ । ରେପୋ ରେଟ୍ ସହ ଲିଙ୍କ୍ ଥିବା ହୋମ୍ ଲୋନ୍, କାର୍ ଲୋନ୍ ଏବଂ ଅନ୍ୟାନ୍ୟ ଋଣର ସୁଧହାର ବଢ଼ିବାର ସମ୍ଭାବନା ରହିଛି । ଏହାଦ୍ୱାରା ଋଣଗ୍ରାହକଙ୍କ ମାସିକ EMI ବଢ଼ିପାରେ । ଏଥିସହ ନୂଆ ଋଣ ନେବା ମଧ୍ୟ ଲୋକଙ୍କ ପାଇଁ ଅଧିକ ମହଙ୍ଗା ହୋଇପାରେ ।

ବର୍ତ୍ତମାନ ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ଏବଂ ଅଶୋଧିତ ତୈଳ ଦର ବୃଦ୍ଧି ମଧ୍ୟ ଭାରତୀୟ ଅର୍ଥନୀତି ପାଇଁ ଚିନ୍ତାର କାରଣ ପାଲଟିଛି । ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ମହଙ୍ଗା ହେଲେ ଦେଶର ମୁଦ୍ରାସ୍ଫୀତି ଉପରେ ଚାପ ବଢ଼ିପାରେ । ଏହା ସହିତ ଭାରତର ଚାଲୁ ଖାତା ନିଅଣ୍ଟ ମଧ୍ୟ ପ୍ରଭାବିତ ହୋଇପାରେ ।

ଅନ୍ୟପଟେ, ଦେଶର ଖୁଚୁରା ମୁଦ୍ରାସ୍ଫୀତି ମଧ୍ୟ ବଢ଼ିଛି। ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୨ ପ୍ରତିଶତରେ ପହଞ୍ଚିଥିବା ବେଳେ ଜୁଲାଇରେ ଏହା ୪.୪୫ ପ୍ରତିଶତ ଥିଲା । ଭାରତ ସରକାର RBIକୁ ଖୁଚୁରା ମୁଦ୍ରାସ୍ଫୀତିକୁ ୪ ପ୍ରତିଶତ ଆଖପାଖରେ ରଖିବାର ଦାୟିତ୍ୱ ଦେଇଛି । ଏଥିରେ ୨ ପ୍ରତିଶତ ଉପର କିମ୍ବା ତଳକୁ ଯିବାର ସୁଯୋଗ ରହିଛି । ରେପୋ ରେଟ୍ ବୃଦ୍ଧି ପରେ ଆଗାମୀ ଦିନରେ ବ୍ୟାଙ୍କଗୁଡ଼ିକ ଋଣର ସୁଧହାରରେ ପରିବର୍ତ୍ତନ କରିପାରନ୍ତି । ତେଣୁ ହୋମ୍ ଲୋନ୍ କିମ୍ବା ଅନ୍ୟାନ୍ୟ ଫ୍ଲୋଟିଂ ରେଟ୍ ଋଣ ନେଇଥିବା ଗ୍ରାହକଙ୍କ ଉପରେ EMI ବୃଦ୍ଧିର ଚାପ ପଡ଼ିପାରେ ।

Leave a Reply

Your email address will not be published. Required fields are marked *