ଆଜମ ଖାନ୍ଙ୍କ ବିରୋଧରେ ଗତ ଅକ୍ଟୋବର ୧୪ ତାରିଖରେ ଇଡି ଏକ ମାମଲା ରୁଜୁ କରିଥିଲା। ଅନ୍ୟପଟେ ଆହ୍ଲାବାଦ ହାଇକୋର୍ଟରୁ ଜାମିନ ମିଳିବା ପରେ ଆଜମ ଖାନ୍ ଏବଂ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଜେଲ୍ରୁ ମୁକୁଳିବେ ବୋଲି ଆଶା କରାଯାଉଥିଲା।
ଉତ୍ତରପ୍ରଦେଶର ରାମପୁରରୁ ଆସିଛି ବଡ଼ ଖବର। ଜେଲ୍ରୁ ମୁକୁଳିବା ମାତ୍ରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ୍ଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଶନିବାର ଦିନ ରାମପୁର ଜେଲ୍ରୁ ତାଙ୍କୁ ମୁକ୍ତ କରାଯାଇଥିଲା। କିନ୍ତୁ ଜେଲ୍ରୁ ବାହାରିବାର କିଛି ସମୟ ମଧ୍ୟରେ ଇଡି ଟିମ୍ ତାଙ୍କୁ ନିଜ ହେପାଜତକୁ ନେଇଯାଇଥିଲା। ଏବେ ରବିବାର ସକାଳ ପ୍ରାୟ ୧୦ଟା ସମୟରେ ଆଜମ ଖାନ୍ଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ଦାବି କରିବ ଇଡି ।
ସୂଚନା ଅନୁସାରେ, ଆଜମ ଖାନ୍ଙ୍କ ବିରୋଧରେ ଗତ ଅକ୍ଟୋବର ୧୪ ତାରିଖରେ ଇଡି ଏକ ମାମଲା ରୁଜୁ କରିଥିଲା। ଅନ୍ୟପଟେ ଆହ୍ଲାବାଦ ହାଇକୋର୍ଟରୁ ଜାମିନ ମିଳିବା ପରେ ଆଜମ ଖାନ୍ ଏବଂ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଜେଲ୍ରୁ ମୁକୁଳିବେ ବୋଲି ଆଶା କରାଯାଉଥିଲା। ଏହି ସମୟରେ ଇଡିର ଏକ ଟିମ୍ CRPF ଯବାନଙ୍କ ସହ ରାମପୁର ଜେଲ୍ ବାହାରେ ପହଞ୍ଚିଥିଲା। ଆଜମ ଖାନ୍ ଜେଲ୍ରୁ ବାହାରିବା ପରେ ତାଙ୍କୁ ଇଡି ଅଧିକାରୀମାନେ ହେପାଜତକୁ ନେଇଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ତାଙ୍କ ପୁଅ ଅବଦୁଲ୍ଲା ଆଜମଙ୍କ ଜେଲ୍ରୁ ମୁକ୍ତିକୁ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନାହିଁ।
ଦୁଇଟି ପାନ୍ କାର୍ଡ ମାମଲାରେ ଟ୍ରାଏଲ୍ କୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଆଜମ ଖାନ୍ ଏବଂ ଅବଦୁଲ୍ଲା ଆଜମ ଆହ୍ଲାବାଦ ହାଇକୋର୍ଟରେ କ୍ରିମିନାଲ୍ ରିଭିଜନ୍ ଯାଚିକା ଦାଖଲ କରିଥିଲେ। ଏଥିରେ ଦୋଷସିଦ୍ଧି ଉପରେ ରୋକ୍ ଲଗାଇବା, ଦଣ୍ଡାଦେଶକୁ ସ୍ଥଗିତ ରଖିବା ଏବଂ ଅନ୍ତରୀଣ ଜାମିନରେ ମୁକ୍ତ କରିବାକୁ ଦାବି କରିଥିଲେ।
ଗତ ଅକ୍ଟୋବର ୧୫ ତାରିଖରେ ଏହି ମାମଲାର ଶୁଣାଣି ଶେଷ ହେବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ପରେ ଜଷ୍ଟିସ୍ ସମିତ ଗୋପାଳଙ୍କ ଏକକ ଖଣ୍ଡପୀଠ ଉଭୟଙ୍କ ଜାମିନ ଆବେଦନକୁ ମଞ୍ଜୁର କରିବା ସହ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ। କିନ୍ତୁ ଦୋଷସିଦ୍ଧି ଉପରେ ରୋକ୍ ଲଗାଇବାକୁ କରିଥିବା ଆବେଦନକୁ ଖାରଜ କରିଦେଇଥିଲେ।
ତେବେ ହାଇକୋର୍ଟରୁ ଜାମିନ ମିଳିବା ପରେ ମଧ୍ୟ ଆଜମ ଖାନ୍ଙ୍କ ପାଇଁ ଅଡୁଆ କମିନାହିଁ। ଜେଲ୍ରୁ ମୁକୁଳିବା ମାତ୍ରେ EDର ଗିରଫଦାରୀ ଏବେ ତାଙ୍କ ପାଇଁ ନୂଆ ଆଇନଗତ ସମସ୍ୟା ସୃଷ୍ଟି କରିଛି। ରବିବାର କୋର୍ଟରେ ହାଜର ପରେ ଏହି ମାମଲାରେ ଆଗକୁ କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

