୨୦୨୭ ବିଧାନସଭା ନିର୍ବାଚନ ପାଇଁ ଆକ୍ସନ୍‌ ମୋଡ୍‌ରେ ନିର୍ବାଚନ କମିସନ, ୫ ରାଜ୍ୟରେ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ

ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ଭାବେ କରାଇବା ପାଇଁ ଆକ୍ସନ୍‌ ମୋଡ୍‌କୁ ଆସିଛନ୍ତି ନିର୍ବାଚନ କମିସନ । ଏଥିପାଇଁ ୫ଟି ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ସହ ସିଧାସଳଖ ଜଡ଼ିତ ଅଧିକାରୀଙ୍କ ବଦଳି ଓ ନୂଆ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

୨୦୨୭ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ଭାବେ କରାଇବା ପାଇଁ ଆକ୍ସନ୍‌ ମୋଡ୍‌କୁ ଆସିଛନ୍ତି ନିର୍ବାଚନ କମିସନ । ଏଥିପାଇଁ ୫ଟି ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ସହ ସିଧାସଳଖ ଜଡ଼ିତ ଅଧିକାରୀଙ୍କ ବଦଳି ଓ ନୂଆ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଆଜି (ମଙ୍ଗଳବାର) ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛି ନିର୍ବାଚନ କମିସନ । ନିର୍ବାଚନ ପ୍ରକ୍ରିୟାରେ ଯେପରି କୌଣସି ପ୍ରକାର ପକ୍ଷପାତିତା ନ ହୁଏ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି । ନିର୍ଦ୍ଦେଶ ଅନୁସାରେ, ନିର୍ବାଚନ ସହ ସିଧାସଳଖ ଜଡ଼ିତ କୌଣସି ଅଧିକାରୀଙ୍କୁ ତାଙ୍କ ନିଜ ଜିଲ୍ଲାରେ କିମ୍ବା ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଥିବା ଅଞ୍ଚଳରେ ନିଯୁକ୍ତ ରଖାଯିବ ନାହିଁ ।

ଏହି ନିୟମ ଡିଭିଜନାଲ କମିସନର, ମ୍ୟୁନିସିପାଲ କମିଶନର, ଅବକାରୀ ଓ ପରିବହନ ବିଭାଗର ଅଧିକାରୀଙ୍କ ସମେତ ପୁଲିସ ବିଭାଗର ଏଡିଜି, ଆଇଜି, ଡିଆଇଜି, ଏସ୍‌ଏସ୍‌ପି, ଏସ୍‌ପି, ଡିସିପି ଓ ଇନ୍ସପେକ୍ଟରଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ । ଏହି ନିର୍ଦ୍ଦେଶ ପାଳନ କରି ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି ।

କେଉଁ ରାଜ୍ୟର ବିଧାନସଭା କାର୍ଯ୍ୟକାଳ କେବେ ସରୁଛି ?

୨୦୨୭ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ଏହି ୫ଟି ରାଜ୍ୟର ବର୍ତ୍ତମାନର ବିଧାନସଭା କାର୍ଯ୍ୟକାଳ ଶେଷ ହେବ ।
– ଗୋଆ: ୧୪ ମାର୍ଚ୍ଚ ୨୦୨୭
– ମଣିପୁର: ୧୩ ମାର୍ଚ୍ଚ ୨୦୨୭
– ପଞ୍ଜାବ: ୧୬ ମାର୍ଚ୍ଚ ୨୦୨୭
– ଉତ୍ତରାଖଣ୍ଡ: ୨୮ ମାର୍ଚ୍ଚ ୨୦୨୭
– ଉତ୍ତରପ୍ରଦେଶ: ୨୨ ମେ’ ୨୦୨୭
ନିର୍ବାଚନକୁ ଆଖି ଆଗରେ ରଖି ନିର୍ବାଚନ କମିଶନଙ୍କ ଏହି ପଦକ୍ଷେପକୁ ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ଭାବେ ଦେଖାଯାଉଛି ।

Leave a Reply

Your email address will not be published. Required fields are marked *