କ୍ୟାନସର ଔଷଧ ନାଁରେ ରୋଗୀଙ୍କୁ ଲୁଟ୍: କେନ୍ଦ୍ର ସରକାର ଓ ଘରୋଇ ହସ୍ପିଟାଲଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ପ୍ରଶ୍ନ

ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ, ଯେଉଁ ଔଷଧର ଏମଆରପି ୧୦୦ ଟଙ୍କା, ତାହା ଖୁଚୁରା ବ୍ୟବସାୟୀଙ୍କୁ ମାତ୍ର ୧୦ରୁ ୨୦ ଟଙ୍କାରେ କାହିଁକି ଯୋଗାଇ ଦିଆଯାଉଛି? ଅଣତାଲିକାଭୁକ୍ତ ଔଷଧ କ୍ଷେତ୍ରରେ ଏଭଳି ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ସରକାର କାହିଁକି ଅନୁମତି ଦେଉଛନ୍ତି?

କ୍ୟାନସର ଔଷଧର ଆକାଶଛୁଆଁ ଦରକୁ ନେଇ କେନ୍ଦ୍ର ସରକାର ଓ ଘରୋଇ ହସ୍ପିଟାଲଗୁଡ଼ିକ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଔଷଧର ପ୍ରକୃତ ମୂଲ୍ୟ ଓ ବିକ୍ରି ଦର ମଧ୍ୟରେ ଏତେ ବଡ଼ ପାର୍ଥକ୍ୟ କାହିଁକି ରହୁଛି ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ବାରମ୍ବାର ପ୍ରଶ୍ନ କରାଯିବା ସତ୍ତ୍ୱେ ସରକାର ଏପର୍ଯ୍ୟନ୍ତ ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଶୁଣାଣି ସମୟରେ କେନ୍ଦ୍ର ସରକାର କହିଥିଲେ, କ୍ୟାନସର ଔଷଧ ଉପରେ ଲାଗୁ ହୋଇଥିବା ୩୦ ପ୍ରତିଶତ ଟ୍ରେଡ୍ ମାର୍ଜିନ୍ ସୀମା ଖୁଚୁରା ବ୍ୟବସାୟୀଙ୍କ କ୍ରୟ ମୂଲ୍ୟ ଉପରେ ନୁହେଁ, ବରଂ ଏମଆରପି ଆଧାରରେ ଲାଗୁ ହେଉଛି। ସରକାର ସମସ୍ତ ପକ୍ଷର ସ୍ୱାର୍ଥ ମଧ୍ୟରେ ସନ୍ତୁଳନ ରକ୍ଷା କରୁଥିବା କହିବା ପରେ କୋର୍ଟ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଥିଲେ।

ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ, ଯେଉଁ ଔଷଧର ଏମଆରପି ୧୦୦ ଟଙ୍କା, ତାହା ଖୁଚୁରା ବ୍ୟବସାୟୀଙ୍କୁ ମାତ୍ର ୧୦ରୁ ୨୦ ଟଙ୍କାରେ କାହିଁକି ଯୋଗାଇ ଦିଆଯାଉଛି? ଅଣତାଲିକାଭୁକ୍ତ ଔଷଧ କ୍ଷେତ୍ରରେ ଏଭଳି ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ସରକାର କାହିଁକି ଅନୁମତି ଦେଉଛନ୍ତି? ଘରୋଇ ହସ୍ପିଟାଲଗୁଡ଼ିକ ନିଜ ସେବା ପାଇଁ ରୋଗୀଙ୍କଠାରୁ ଟଙ୍କା ନେଇପାରିବେ। କିନ୍ତୁ ଔଷଧର ପ୍ରକୃତ ମୂଲ୍ୟଠାରୁ ୧୦୦ରୁ ୨୦୦ ଗୁଣ ଅଧିକ ଦର ଆଦାୟ କରିବାକୁ କୌଣସି ପରିସ୍ଥିତିରେ ଯଥାର୍ଥ କୁହାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ଅନ୍ୟପଟେ ଘରୋଇ ହସ୍ପିଟାଲ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଯୁକ୍ତି ରଖିଥିଲେ। ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅଧିକ ଚାପ ଥିବାରୁ ଘରୋଇ ହସ୍ପିଟାଲର ଆବଶ୍ୟକତା ରହିଛି। ଏହାସହ ୨୪ ଘଣ୍ଟିଆ ସେବା, ଚିକିତ୍ସା ଉପକରଣ ଓ ଅନ୍ୟାନ୍ୟ ସୁବିଧା ପାଇଁ ବିପୁଳ ଖର୍ଚ୍ଚ ହେଉଥିବା ସେ କହିଥିଲେ। ତେବେ ଏହି ଯୁକ୍ତିରେ ସନ୍ତୁଷ୍ଟ ହୋଇନଥିଲେ ସୁପ୍ରିମକୋର୍ଟ। ହସ୍ପିଟାଲ ଚଳାଇବା ପାଇଁ ଅନ୍ୟ ଉପାୟ ଖୋଜିବାକୁ ପଡ଼ିବ, ରୋଗୀଙ୍କୁ ଏଭଳି ଲୁଟ୍ କରି ନୁହେଁ ବୋଲି କଡ଼ା ଟିପ୍ପଣୀ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। କ୍ୟାନସର ଭଳି ଗୁରୁତର ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଔଷଧର ଅତ୍ୟଧିକ ଦର ଏବେ ବଡ଼ ଚିନ୍ତାର କାରଣ ପାଲଟିଛି।

Leave a Reply

Your email address will not be published. Required fields are marked *