ଭାରତର ଏହି ଆଭିମୁଖ୍ୟକୁ ‘କୌଶଳଗତ ସ୍ୱାଧୀନତା’ର ଅଂଶ ଭାବେ ଦେଖାଯାଉଛି। ରୁଷ-ୟୁକ୍ରେନ ଯୁଦ୍ଧ ହେଉ କିମ୍ବା ଆମେରିକା-ଇରାନ-ଇସ୍ରାଏଲ ମଧ୍ୟରେ ତିକ୍ତତା—ଭାରତ ସମସ୍ତ ପକ୍ଷ ସହ ଆଲୋଚନା ଜାରି ରଖିଛି।
ବ୍ରିକ୍ସ ସମ୍ମିଳନୀରେ ଜାରି ହୋଇଥିବା ମିଳିତ ଘୋଷଣାପତ୍ରକୁ ନେଇ ଭାରତର ବିଦେଶ ନୀତି ଉପରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଘୋଷଣାପତ୍ରରେ ଆମେରିକାର ନାଁ ନନେଇ ଏକତରଫା କଟକଣାକୁ କଠୋର ସମାଲୋଚନା କରାଯାଇଛି। ଏଥିସହ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)ରେ ଇରାନର ଭୂମିକାକୁ ସମର୍ଥନ କରାଯାଇଥିବା ବେଳେ ଗାଜା ଓ ଲେବାନନ୍ରେ ଇସ୍ରାଏଲର ସାମରିକ ଆକ୍ରମଣକୁ ନିନ୍ଦା କରାଯାଇଛି।
ତେବେ ଏହାକୁ ଆମେରିକାଠାରୁ ଭାରତ ଦୂରେଇ ଯାଉଥିବାର ସଙ୍କେତ ବୋଲି ସିଧାସଳଖ କହିବା ଠିକ୍ ହେବ ନାହିଁ। ଘୋଷଣାପତ୍ରର ଭାଷାକୁ ଅତ୍ୟନ୍ତ ସତର୍କତାର ସହ ବଛାଯାଇଛି। ଆମେରିକାର ନାଁ ନନେଇ ଜାତିସଂଘ ଅନୁମୋଦନ କରିନଥିବା ଏକତରଫା କଟକଣାକୁ ବିରୋଧ କରାଯାଇଛି। ସେହିପରି ପରମାଣୁ କେନ୍ଦ୍ର ଉପରେ ଆକ୍ରମଣକୁ ନିନ୍ଦା କରାଯାଇଥିଲେ ମଧ୍ୟ ଇରାନ ପକ୍ଷରେ କୌଣସି ସିଧାସଳଖ ସାନ୍ତ୍ୱନାମୂଳକ ମନ୍ତବ୍ୟ ରଖାଯାଇନାହିଁ।
ଭାରତର ଏହି ଆଭିମୁଖ୍ୟକୁ ‘କୌଶଳଗତ ସ୍ୱାଧୀନତା’ର ଅଂଶ ଭାବେ ଦେଖାଯାଉଛି। ରୁଷ-ୟୁକ୍ରେନ ଯୁଦ୍ଧ ହେଉ କିମ୍ବା ଆମେରିକା-ଇରାନ-ଇସ୍ରାଏଲ ମଧ୍ୟରେ ତିକ୍ତତା—ଭାରତ ସମସ୍ତ ପକ୍ଷ ସହ ଆଲୋଚନା ଜାରି ରଖିଛି। ବ୍ରିକ୍ସ ମଞ୍ଚରେ ଭିନ୍ନ ମତ ଓ ସ୍ୱାର୍ଥ ଥିବା ୧୧ଟି ଦେଶକୁ ଏକାଠି କରି ଘୋଷଣାପତ୍ର ଜାରି କରିବା ମଧ୍ୟ ଭାରତର କୂଟନୈତିକ କ୍ଷମତାର ପ୍ରମାଣ ବୋଲି ମନେ କରାଯାଉଛି।
ତେବେ ଏହି ନୀତିକୁ ନେଇ ବିଶେଷଜ୍ଞଙ୍କ ମଧ୍ୟରେ ଭିନ୍ନମତ ରହିଛି। କିଛି ବିଶେଷଜ୍ଞ ଚୀନର ବୃଦ୍ଧିଶୀଳ ପ୍ରଭାବକୁ ନେଇ ସତର୍କ କରିଥିବା ବେଳେ ଅନ୍ୟମାନେ ଭାରତର ଭବିଷ୍ୟତ ପାଇଁ ଆମେରିକା ଓ ୟୁରୋପ ସହ ଅଧିକ ଆର୍ଥିକ ସହଯୋଗ ଆବଶ୍ୟକ ବୋଲି ମତ ଦେଇଛନ୍ତି। ତେଣୁ ବ୍ରିକ୍ସ ଘୋଷଣାପତ୍ରକୁ ଭାରତର ବିଦେଶ ନୀତିର ସମ୍ପୂର୍ଣ୍ଣ ପରିବର୍ତ୍ତନ ନୁହେଁ, ବରଂ ନିଜ ସ୍ୱାର୍ଥ ଅନୁଯାୟୀ ସମସ୍ତ କୂଟନୈତିକ ବିକଳ୍ପ ଖୋଲା ରଖିବାର ଏକ ସଙ୍କେତ ଭାବେ ଦେଖାଯାଇପାରେ।

