ଜାହରା ଜଣେ କେମିକାଲ ଇଞ୍ଜିନିୟର। ତାଙ୍କ ବାପା ମସୁଦ ପେଜେସ୍କିଆନ୍ଙ୍କ ରାଷ୍ଟ୍ରପତି ନିର୍ବାଚନ ସମୟରେ ସେ ପ୍ରଚାର ଅଭିଯାନରେ ସକ୍ରିୟ ଭୂମିକା ନେଇଥିଲେ।
ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍ ଭାରତ ଗସ୍ତରେ ଥିବାବେଳେ ତାଙ୍କ ଝିଅ ଜାହରା ପେଜେସ୍କିଆନ୍ ମଧ୍ୟ ଭାରତ ଆସିଛନ୍ତି। ଜାହରା ତାଙ୍କ ସ୍ବାମୀ ହସନ ମାଜିଦିଙ୍କ ସହ ନୂଆଦିଲ୍ଲୀର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ଜାହରା ଓ ମାଜିଦି ପ୍ରଥମେ ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ସେଠାରେ ସେମାନେ ଭାରତର ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା, ଅବଦାନ ଓ ଐତିହ୍ୟ ସମ୍ପର୍କିତ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହାପରେ ଦମ୍ପତି ଜାତୀୟ ହସ୍ତଶିଳ୍ପ ସଂଗ୍ରହାଳୟରେ ଆୟୋଜିତ ବ୍ରିକ୍ସ ବାଜାର ପରିଦର୍ଶନ କରିଥିଲେ।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଶନିବାର ବ୍ରିକ୍ସ ବାଜାରରେ ଜାହରାଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ଜାହରା ଓ ତାଙ୍କ ସ୍ବାମୀ ବ୍ରିକ୍ସ ସଦସ୍ୟ ଓ ଅଂଶୀଦାର ଦେଶର କାରିଗରମାନଙ୍କ ଦ୍ବାରା ପ୍ରଦର୍ଶିତ କଳା, ହସ୍ତଶିଳ୍ପ ଓ ସାଂସ୍କୃତିକ ଐତିହ୍ୟ ଦେଖିଥିଲେ। ଇରାନ ପାଭିଲିୟନରେ ସେମାନେ କାରିଗର ଓ ପ୍ରତିନିଧିଙ୍କ ସହ ଆଲୋଚନା କରି ଇରାନର କଳା ଓ ସାଂସ୍କୃତିକ ପରମ୍ପରା ବିଷୟରେ ଜାଣିଥିଲେ।
ଜାହରା ଜଣେ କେମିକାଲ ଇଞ୍ଜିନିୟର। ତାଙ୍କ ବାପା ମସୁଦ ପେଜେସ୍କିଆନ୍ଙ୍କ ରାଷ୍ଟ୍ରପତି ନିର୍ବାଚନ ସମୟରେ ସେ ପ୍ରଚାର ଅଭିଯାନରେ ସକ୍ରିୟ ଭୂମିକା ନେଇଥିଲେ। ତାଙ୍କୁ ବାପାଙ୍କ ରାଜନୈତିକ ପରାମର୍ଶଦାତା ଭାବେ ମଧ୍ୟ ଅଭିହିତ କରାଯାଏ।
ଜାହରା ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ଇରାନର ପ୍ରତିନିଧିତ୍ବ ମଧ୍ୟ କରିଆସୁଛନ୍ତି। ଡିସେମ୍ବର ୨୦୨୫ରେ ବାକୁରେ ଆୟୋଜିତ ଡିଜିଟାଲ ଯୁଗରେ ଶିଶୁ ସୁରକ୍ଷା ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ସେ ଇରାନ ପ୍ରତିନିଧି ଦଳର ନେତୃତ୍ବ ନେଇଥିଲେ। ଏହି ଗସ୍ତ ମାଧ୍ୟମରେ ଭାରତ-ଇରାନ ସାଂସ୍କୃତିକ ଓ ଲୋକସମ୍ପର୍କର ଏକ ନୂଆ ଦିଗ ମଧ୍ୟ ସାମ୍ନାକୁ ଆସିଛି।

