ଲିଭର ସମ୍ବନ୍ଧୀୟ ଅନେକ ରୋଗରେ ଆରମ୍ଭରୁ ସ୍ପଷ୍ଟ ଲକ୍ଷଣ ଦେଖାଯାଏ ନାହିଁ । ଫଳରେ ରୋଗୀ ନିଜକୁ ସୁସ୍ଥ ଭାବୁଥିବା ବେଳେ ଭିତରେ ଭିତରେ ଲିଭରରେ ଚର୍ବି ଜମିବା, ପ୍ରଦାହ କିମ୍ବା ଫାଇବ୍ରୋସିସ୍ ଭଳି ସମସ୍ୟା ବଢ଼ିପାରେ ।
ଲିଭର ଆମ ଶରୀରର ଏକ ଅତ୍ୟନ୍ତ ଜରୁରୀ ଅଙ୍ଗ । କିନ୍ତୁ ଲିଭର ସମ୍ବନ୍ଧୀୟ ଅନେକ ରୋଗରେ ଆରମ୍ଭରୁ ସ୍ପଷ୍ଟ ଲକ୍ଷଣ ଦେଖାଯାଏ ନାହିଁ । ଫଳରେ ରୋଗୀ ନିଜକୁ ସୁସ୍ଥ ଭାବୁଥିବା ବେଳେ ଭିତରେ ଭିତରେ ଲିଭରରେ ଚର୍ବି ଜମିବା, ପ୍ରଦାହ କିମ୍ବା ଫାଇବ୍ରୋସିସ୍ ଭଳି ସମସ୍ୟା ବଢ଼ିପାରେ । ଏହି କାରଣରୁ ଲିଭର ରୋଗକୁ ଅନେକ ସମୟରେ ‘ସାଇଲେଣ୍ଟ କିଲର’ ବୋଲି କୁହାଯାଏ ।
ଫ୍ୟାଟି ଲିଭର ଏହାର ଏକ ଉଦାହରଣ । ଏଥିରେ ଲିଭରରେ ଅଧିକ ଚର୍ବି ଜମିଥାଏ ଏବଂ ଅନେକ ଲୋକଙ୍କଠାରେ କୌଣସି ବିଶେଷ ଲକ୍ଷଣ ନଥାଏ । ମୋଟାପଣ, ଟାଇପ୍-୨ ଡାଇବେଟିସ୍, ଇନ୍ସୁଲିନ୍ ରେଜିଷ୍ଟାନ୍ସ ଓ ଅଧିକ ଟ୍ରାଇଗ୍ଲିସେରାଇଡ୍ ଭଳି ସମସ୍ୟା ଏହାର ଝୁମ୍ପ ବଢ଼ାଇପାରେ ।
ହେପାଟାଇଟିସ୍ ମଧ୍ୟ ଲିଭର ପାଇଁ ଗମ୍ଭୀର ସମସ୍ୟା । ହେପାଟାଇଟିସ୍ ବି ଓ ସି ଦୀର୍ଘ ସମୟ ରହିଲେ କ୍ରୋନିକ୍ ଲିଭର ରୋଗ, ସିରୋସିସ୍ ଏବଂ ଲିଭର କ୍ୟାନ୍ସରର ଝୁମ୍ପ ବଢ଼ିପାରେ ।
ସେହିପରି ଦୀର୍ଘ ସମୟ ଧରି ଅଧିକ ମଦ୍ୟପାନ କଲେ ଆଲକୋହଲ୍-ରିଲେଟେଡ୍ ଲିଭର ଡିଜିଜ୍ ହୋଇପାରେ । ଏହା ଫ୍ୟାଟି ଲିଭରରୁ ଆରମ୍ଭ ହୋଇ ଲିଭରରେ ପ୍ରଦାହ ଓ ପରେ ସିରୋସିସ୍ରେ ପରିଣତ ହୋଇପାରେ ।
ସିରୋସିସ୍ ଲିଭରର ଦୀର୍ଘକାଳୀନ କ୍ଷତିର ଏକ ଗମ୍ଭୀର ଅବସ୍ଥା । ଏଥିରେ ସୁସ୍ଥ ଲିଭର ଟିସ୍ୟୁର ସ୍ଥାନରେ ଦାଗ ଟିସ୍ୟୁ ତିଆରି ହୁଏ । ରୋଗ ବଢ଼ିଲେ ଲଗାତାର ଥକାଣ, ଭୋକ କମିବା, ଓଜନ ହ୍ରାସ, ଖୁଜୁଲି, ପେଟ କିମ୍ବା ଗୋଡ଼ ଫୁଲିବା, ପେଟରେ ପାଣି ଜମିବା, ସହଜରେ ରକ୍ତସ୍ରାବ ଏବଂ ଭ୍ରମ ଭଳି ଲକ୍ଷଣ ଦେଖାଯାଇପାରେ ।
ତେଣୁ ଲଗାତାର ଥକାଣ, ଭୋକ କମିବା, କାରଣ ନଥାଇ ଓଜନ କମିବା, ଡାହାଣ ପଟ ଉପରି ପେଟରେ ଯନ୍ତ୍ରଣା, ଖୁଜୁଲି, ପେଟ କିମ୍ବା ଗୋଡ଼ ଫୁଲିବା, ଗାଢ଼ ରଙ୍ଗର ପରିସ୍ରାବ କିମ୍ବା ଆଖି-ତ୍ୱଚା ହଳଦିଆ ହେବା ଭଳି ଲକ୍ଷଣକୁ ଅଣଦେଖା କରିବା ଉଚିତ ନୁହେଁ । ସମୟରେ ଡାକ୍ତରଙ୍କ ପରାମର୍ଶ ଓ ଆବଶ୍ୟକ ପରୀକ୍ଷା କରାଇଲେ ଲିଭର କ୍ଷତିକୁ ଆଗକୁ ବଢ଼ିବାରୁ ରୋକିବାରେ ସହାୟତା ମିଳିପାରେ ।

