ମାୟା ସଂପ୍ରତି ବିଶ୍ବପ୍ରସିଦ୍ଧ ‘ରାଫାଲ ନାଦାଲ ଏକାଡେମି’ରେ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ପୂର୍ବରୁ ସେ ୱିମ୍ବଲଡନ୍ କନିଷ୍ଠ କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରି ନିଜ ପ୍ରତିଭାର ପରିଚୟ ଦେଇଥିଲେ।
ଭାରତର ଉଦୀୟମାନ ଟେନିସ୍ ତାରକା ମାୟା ରାଜେଶ୍ବରନ୍ ରେବତୀ ଚଳିତ ୟୁଏସ୍ ଓପନ୍ କନିଷ୍ଠ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ବାଳିକା ଯୁଗଳ ବର୍ଗର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ସହ ସେ ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଗୌରବ ଆଣିଦେଇଛନ୍ତି।
ଶୁକ୍ରବାର ଖେଳାଯାଇଥିବା କ୍ବାର୍ଟରଫାଇନାଲ୍ ମୁକାବିଲାରେ ମାୟା ଓ ତାଙ୍କ ୟୁକ୍ରେନ୍ ସାଥୀ ଆଣ୍ଟୋନିନା ସୁଶକୋଭା ଚତୁର୍ଥ ମାନ୍ୟତାପ୍ରାପ୍ତ ରୁଷୀୟ ଯୋଡ଼ି ଫେଲିତ୍ସାତା ଡୋରୋଫିଭା-ରିବାସ୍ ଓ ଆନ୍ନା ପୁଶକାରେଭାଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରିଥିଲେ। ମାୟା-ଆଣ୍ଟୋନିନା ଯୋଡ଼ି ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ୬-୪, ୬-୪ ସେଟ୍ରେ ପ୍ରତିପକ୍ଷଙ୍କୁ ମାତ୍ ଦେଇଥିଲେ।
ସେମିଫାଇନାଲ୍ରେ ଏହି ଭାରତ-ୟୁକ୍ରେନ୍ ଯୋଡ଼ିଙ୍କ ସମ୍ମୁଖୀନ ହେବେ ଆମେରିକାର ୱାଇଲ୍ଡ କାର୍ଡଧାରୀ ଯୋଡ଼ି ଆନ୍ନିକା ପେନିସ୍କୋଭା ଓ କ୍ରିଷ୍ଟିନା ପେନିସ୍କୋଭା। ଆନ୍ନିକା ଓ କ୍ରିଷ୍ଟିନା କ୍ବାର୍ଟରଫାଇନାଲ୍ରେ ଆଲିସା ଜେମ୍ସ ଓ ପୋଳିନା ସ୍କଲିଆର୍ଙ୍କୁ ହରାଇ ସେମିରେ ସ୍ଥାନ ପକ୍କା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ଆମେରିକୀୟ ଯୋଡ଼ି ଗତ ବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ ଓ ୱିମ୍ବଲଡନ୍ କନିଷ୍ଠ ପ୍ରତିଯୋଗିତାରେ ବିଜେତା ହୋଇଥିଲେ।
ମାୟା ସଂପ୍ରତି ବିଶ୍ବପ୍ରସିଦ୍ଧ ‘ରାଫାଲ ନାଦାଲ ଏକାଡେମି’ରେ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ପୂର୍ବରୁ ସେ ୱିମ୍ବଲଡନ୍ କନିଷ୍ଠ କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରି ନିଜ ପ୍ରତିଭାର ପରିଚୟ ଦେଇଥିଲେ। ଚଳିତ ୟୁଏସ୍ ଓପନ୍ରେ ତାଙ୍କର ଏହି ଉନ୍ନତ ପ୍ରଦର୍ଶନ ଭାରତୀୟ ଟେନିସ୍ ପ୍ରେମୀଙ୍କ ମନରେ ଉତ୍ସାହ ଭରିଦେଇଛି।

