ଭାରତ-ପାକିସ୍ତାନ ସମ୍ପର୍କରେ ପୁଣି ବଢ଼ିଲା ତିକ୍ତତା । ଇସ୍ଲାମାବାଦରେ ଭାରତୀୟ ହାଇକମିସନ ବାହାରୁ ସୁରକ୍ଷା ବ୍ୟାରିକେଡ୍ ହଟାଇବାର ତିନି ଦିନ ପରେ ଦିଲ୍ଲୀରେ ପାକିସ୍ତାନ ହାଇକମିଶନ ବାହାରେ ନିଆଗଲା ସମାନ ପଦକ୍ଷେପ ।
ଭାରତ-ପାକିସ୍ତାନ ସମ୍ପର୍କରେ ପୁଣି ବଢ଼ିଲା ତିକ୍ତତା । ଇସ୍ଲାମାବାଦରେ ଭାରତୀୟ ହାଇକମିସନ ବାହାରୁ ସୁରକ୍ଷା ବ୍ୟାରିକେଡ୍ ହଟାଇବାର ତିନି ଦିନ ପରେ ଦିଲ୍ଲୀରେ ପାକିସ୍ତାନ ହାଇକମିଶନ ବାହାରେ ନିଆଗଲା ସମାନ ପଦକ୍ଷେପ । ପାକିସ୍ତାନ ହାଇକମିସନ ବାହାରେ ଥିବା ଟ୍ରାଫିକ୍ ବୋଲାର୍ଡ ଓ ବ୍ୟାରିକେଡ୍କୁ ବୁଲଡୋଜର ଲଗାଇ ହଟାଇ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନକୁ ମିଳୁଥିବା ବାହ୍ୟ ସୁରକ୍ଷା ବ୍ୟବସ୍ଥା ଭାରତ ହଟାଇଛି । ଏହି ପଦକ୍ଷେପକୁ ଇସ୍ଲାମାବାଦରେ ଭାରତୀୟ ହାଇକମିସନ ବାହାରେ ସୁରକ୍ଷା ଘେରା ହଟାଯିବାର ସିଧା ଜବାବ ବୋଲି ଦେଖାଯାଉଛି । ଦୁଇ ଦେଶ ମଧ୍ୟରେ ପୂର୍ବରୁ ହିଁ ସମ୍ପର୍କ ତିକ୍ତ ରହିଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଥିଲା ।
ଏହାପରେ ଭାରତ ପକ୍ଷରୁ ‘ଅପରେସନ୍ ସିନ୍ଦୂର’ ଚାଲାଇ ପାକିସ୍ତାନ ଓ ପାକ୍ ଅଧିକୃତ ଅଞ୍ଚଳରେ ଆତଙ୍କୀ ଠିକଣାକୁ ଟାର୍ଗେଟ୍ କରାଯାଇଥିଲା । ପରେ ମେ’ ୧୦ରେ ଅସ୍ତ୍ରବିରତି ପରେ ସାମରିକ ଉତ୍ତେଜନା କିଛିଟା ଥମିଥିଲା । ଏହି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଦୂତ ସର୍ଜିଓ ଗୋରଙ୍କ ଶ୍ରୀନଗର ଗସ୍ତ ମଧ୍ୟ ପାକିସ୍ତାନର ଚିନ୍ତା ବଢ଼ାଇଛି । ଗୋର ଜମ୍ମୁ-କଶ୍ମୀରକୁ ଭାରତର ଏକ ‘ଗୁରୁତ୍ୱପୂର୍ଣ୍ଣ ଅଂଶ’ ବୋଲି କହିବା ସହ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାର ପ୍ରଶଂସା କରିଥିଲେ ।
ଗୋରଙ୍କ ଏହି ବୟାନକୁ ନେଇ ପାକିସ୍ତାନ ଆମେରିକୀୟ ଅଧିକାରୀଙ୍କ ନିକଟରେ ଆପତ୍ତି ଜଣାଇଛି । ଏହି ସବୁ ଘଟଣା ମଧ୍ୟରେ ଦିଲ୍ଲୀ ଓ ଇସ୍ଲାମାବାଦରେ ଦୁଇ ଦେଶର ମିଶନ୍ ବାହାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପରସ୍ପର ପଦକ୍ଷେପ ନୂଆ କୂଟନୈତିକ ତିକ୍ତତାର ସଙ୍କେତ ଦେଉଛି ।

