ଇଞ୍ଜିନିୟର ପରେ ଡାକ୍ତର! ଆଇଆଇଟି ମାଡ୍ରାସ୍‌ର ବଡ଼ ଘୋଷଣା

ପ୍ରାୟ ୭୦ ବର୍ଷ ଧରି ଇଞ୍ଜିନିୟର ତିଆରି କରି ଆସୁଥିବା ଆଇଆଇଟି ମାଡ୍ରାସ୍‌ ଏବେ ନେବାକୁ ଯାଉଛି ଏକ ବଡ଼ ପଦକ୍ଷେପ । ଆଗକୁ ଏହି ପ୍ରତିଷ୍ଠିତ ଅନୁଷ୍ଠାନରୁ ବାହାରିପାରନ୍ତି ଡାକ୍ତର । ଆଇଆଇଟି ମାଡ୍ରାସ୍‌ରେ ଖୋଲିବାକୁ ଯାଉଛି ମେଡିକାଲ ସାଇନ୍ସେସ୍‌ ସ୍କୁଲ୍‌ ।

ପ୍ରାୟ ୭୦ ବର୍ଷ ଧରି ଇଞ୍ଜିନିୟର ତିଆରି କରି ଆସୁଥିବା ଆଇଆଇଟି ମାଡ୍ରାସ୍‌ ଏବେ ନେବାକୁ ଯାଉଛି ଏକ ବଡ଼ ପଦକ୍ଷେପ । ଆଗକୁ ଏହି ପ୍ରତିଷ୍ଠିତ ଅନୁଷ୍ଠାନରୁ ବାହାରିପାରନ୍ତି ଡାକ୍ତର । ଆଇଆଇଟି ମାଡ୍ରାସ୍‌ରେ ଖୋଲିବାକୁ ଯାଉଛି ମେଡିକାଲ ସାଇନ୍ସେସ୍‌ ସ୍କୁଲ୍‌ । ଆଉ ସବୁଠାରୁ ବଡ଼ କଥା ହେଉଛି, ଏଠାରୁ MBBS, MD ଏବଂ PhD ଭଳି ମେଡିକାଲ ଡିଗ୍ରୀ ପ୍ରଦାନ କରିବାର ଯୋଜନା ରହିଛି ।

ଆଇଆଇଟି ମାଡ୍ରାସ୍‌ର ନିର୍ଦ୍ଦେଶକ ପ୍ରଫେସର ଭି. କାମକୋଟି ଏକ ସାକ୍ଷାତକାରରେ ଏହି ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଅନୁଷ୍ଠାନରେ ମେଡିକାଲ ସାଇନ୍ସେସ୍‌ର ଏକ ସ୍କୁଲ୍‌ ଆରମ୍ଭ କରାଯିବ ଏବଂ ନିଜସ୍ୱ ମେଡିକାଲ ଡିଗ୍ରୀ ପ୍ରଦାନ କରିବା ଲକ୍ଷ୍ୟ ରହିଛି  । ତେବେ ଆଇଆଇଟି ମାଡ୍ରାସ୍‌ ପାଇଁ ମେଡିକାଲ କ୍ଷେତ୍ର ସମ୍ପୂର୍ଣ୍ଣ ନୂଆ ନୁହେଁ । ୨୦୨୩ ମସିହାରେ ଅନୁଷ୍ଠାନ ପକ୍ଷରୁ ‘ଡିପାର୍ଟମେଣ୍ଟ ଅଫ୍‌ ମେଡିକାଲ ସାଇନ୍ସେସ୍‌ ଆଣ୍ଡ ଟେକ୍ନୋଲୋଜି’ ଆରମ୍ଭ କରାଯାଇଥିଲା । ଏଠାରେ ମେଡିସିନ୍‌ ସହ ଟେକ୍ନୋଲୋଜିର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଉଛି । ଛାତ୍ରଛାତ୍ରୀମାନେ ମେଡିକାଲ ଡିଭାଇସ୍‌, ସ୍କାନର୍‌, ଇମ୍ପ୍ଲାଣ୍ଟ ଓ ହେଲ୍‌ଥକେୟାର ସଫ୍ଟୱେର୍‌ ଭଳି କ୍ଷେତ୍ରରେ ଗବେଷଣା କରୁଛନ୍ତି ।

ଆଇଆଇଟି ମାଡ୍ରାସ୍‌ କାହିଁକି ଡାକ୍ତର ତିଆରି କରିବାକୁ ଚାହୁଁଛି? ଏହା ପଛରେ ରହିଛି ମେଡିକାଲ ଟେକ୍ନୋଲୋଜିର ବଢ଼ୁଥିବା ଆବଶ୍ୟକତା । କୋଭିଡ୍‌ ମହାମାରୀ ସମୟରେ ମେଡିକାଲ ଟେକ୍ନୋଲୋଜି କେତେ ଗୁରୁତ୍ୱପୂର୍ଣ୍ଣ, ତାହା ସ୍ପଷ୍ଟ ହୋଇଥିଲା । ଉଚ୍ଚମାନର ମେଡିକାଲ ଉପକରଣ ପାଇଁ ଭାରତ ଏବେ ବି ବିଦେଶ ଉପରେ ନିର୍ଭରଶୀଳ । ଆଇଆଇଟି ମାଡ୍ରାସ୍‌ ଚାହୁଁଛି ଇଞ୍ଜିନିୟର ଓ ଡାକ୍ତରଙ୍କୁ ଗୋଟିଏ ଛାତ ତଳେ ଆଣି ନୂଆ ପ୍ରକାରର ମେଡିକାଲ ଟେକ୍ନୋଲୋଜି ବିକଶିତ କରିବାକୁ ।

କିନ୍ତୁ ଆଇଆଇଟି ମାଡ୍ରାସ୍‌ ଚାହିଁଲେ ହିଁ ତୁରନ୍ତ MBBS ଆରମ୍ଭ କରିପାରିବ ନାହିଁ । ଭାରତରେ ମେଡିକାଲ ଶିକ୍ଷା ପାଇଁ ନ୍ୟାସନାଲ ମେଡିକାଲ କମିଶନ୍‌, ଅର୍ଥାତ୍ NMCର ଅନୁମତି ଆବଶ୍ୟକ । ଏଥିପାଇଁ ଏକ ସୁସଜ୍ଜିତ ଶିକ୍ଷାଦାନ ହସ୍ପିଟାଲ୍‌, ଆବଶ୍ୟକ ଭିତ୍ତିଭୂମି ଓ ନିୟମ ଅନୁସାରେ ସମସ୍ତ ସୁବିଧା ରହିବା ଦରକାର ।

ଏହି କ୍ଷେତ୍ରରେ ଆଇଆଇଟି ଖଡ଼ଗପୁରର ଉଦାହରଣ ମଧ୍ୟ ରହିଛି । ସେଠାରେ ହସ୍ପିଟାଲ୍‌ ଭିତ୍ତିଭୂମି ତିଆରି କରି MD ପାଠ୍ୟକ୍ରମ ପାଇଁ ଅନୁମତି ମିଳିଛି । ତେଣୁ ଆଇଆଇଟି ମାଡ୍ରାସ୍‌କୁ ମଧ୍ୟ ମେଡିକାଲ କଲେଜ୍‌ ଖୋଲିବା ପୂର୍ବରୁ ଦୀର୍ଘ ନିୟାମକ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ । ଯଦି ଏହି ଯୋଜନା ସଫଳ ହୁଏ, ତେବେ ଆଇଆଇଟି ମାଡ୍ରାସ୍‌ କେବଳ ଇଞ୍ଜିନିୟର ନୁହେଁ, ଟେକ୍ନୋଲୋଜି ବୁଝୁଥିବା ଡାକ୍ତର ଓ ମେଡିକାଲ ଗବେଷକ ତିଆରି କରିବାରେ ଦେଶର ଏକ ନୂଆ ମଡେଲ୍‌ ହୋଇପାରେ ।

Leave a Reply

Your email address will not be published. Required fields are marked *