ବ୍ୟାପକ ବୟକଟ୍ ଓ ବିରୋଧ ପ୍ରଦର୍ଶନ ମଧ୍ୟରେ ବାଘ ଓ ହାଭେଲି ଜିଲ୍ଲାର ୪ଟି ବିଧାନସଭା ଆସନରେ ଭୋଟିଂ ଶେଷ ହୋଇଛି । ଅନେକ ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ଖାଲି ରହିଥିବା ବେଳେ କିଛି ବୁଥ୍ରେ ଗୋଟିଏ ବି ଭୋଟ୍ ପଡ଼ିନଥିବା ଜଣାପଡ଼ିଛି ।
ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ନିର୍ବାଚନକୁ ନେଇ ବଢ଼ିଛି ଅସନ୍ତୋଷ । ବ୍ୟାପକ ବୟକଟ୍ ଓ ବିରୋଧ ପ୍ରଦର୍ଶନ ମଧ୍ୟରେ ବାଘ ଓ ହାଭେଲି ଜିଲ୍ଲାର ୪ଟି ବିଧାନସଭା ଆସନରେ ଭୋଟିଂ ଶେଷ ହୋଇଛି । ଅନେକ ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ଖାଲି ରହିଥିବା ବେଳେ କିଛି ବୁଥ୍ରେ ଗୋଟିଏ ବି ଭୋଟ୍ ପଡ଼ିନଥିବା ଜଣାପଡ଼ିଛି । ସନ୍ଧ୍ୟା ୫ଟା ୩୦ରେ ଭୋଟିଂ ଶେଷ ହେବା ପରେ ତୁରନ୍ତ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ରିପୋର୍ଟ ଅନୁସାରେ, ବାଘ-୨ ନିର୍ବାଚନମଣ୍ଡଳୀର ମାଲୋଟ୍ ଅଞ୍ଚଳର ବୟଜ୍ ପ୍ରାଇମେରୀ ସ୍କୁଲ୍ର ମତଦାନ କେନ୍ଦ୍ର-୧୧୪ରେ ଗୋଟିଏ ବି ଭୋଟ୍ ପଡ଼ିନଥିଲା । ସେହିପରି ବାରା ବାରିର ଦୁଇଟି ବୁଥ୍ରେ ମଧ୍ୟ ଭୋଟରମାନେ ସମ୍ପୂର୍ଣ୍ଣ ଭାବେ ନିର୍ବାଚନ ବୟକଟ୍ କରିଥିଲେ ।
ଏହି ନିର୍ବାଚନ ସମୟରେ ହିଂସା ଓ ରାଜନୈତିକ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା । ବୁଥ୍ କ୍ୟାପଚରିଂ ଅଭିଯୋଗକୁ ନେଇ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଦଳ ପିଏମ୍ଏଲ୍(ଏନ୍) ଓ ବିଲାୱଲ ଭୁଟ୍ଟୋଙ୍କ ପିପିପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଅନ୍ୟପଟେ, ବାଘରେ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇ ପାକିସ୍ତାନୀ ପ୍ରଶାସନ ବିରୋଧରେ ନାରା ଦେବା ସହ ନିର୍ବାଚନ ବୟକଟ୍କୁ ସମର୍ଥନ କରିଥିଲେ ।
୪ଟି ଆସନର ଗଣତି ମଧ୍ୟରେ Bagh-1 ରୁ ଆୱାମୀ ଦସ୍ତ-ଓ-ବାଜୁ ପାର୍ଟିର ସାଜିଦ ଇକବାଲ ବିଜୟୀ ହୋଇଛନ୍ତି । Bagh-4ରେ ପିଓକେ ପ୍ରଧାନମନ୍ତ୍ରୀ ଫୈସଲ ମୁମତାଜ ରାଥୋର ଆଗୁଆ ରହିଥିବା ବେଳେ Bagh-2ରେ ଜିଆ-ଉଲ-କମର ଏବଂ Bagh-3ରେ ପିଏମ୍ଏଲ୍(ଏନ୍)ର ସର୍ଦାର ମୀର ଅକବର ଖାନ ଆଗରେ ଅଛନ୍ତି । ଏବେ ବାକି ୭ଟି ଆସନରେ ନିର୍ବାଚନ କେବେ ହେବ, ତାହା ନେଇ ଅନିଶ୍ଚିତତା ଜାରି ରହିଛି । ଅଶାନ୍ତି ମଧ୍ୟରେ ଭୋଟିଂ କରାଯିବ ନା ଅଞ୍ଚଳରେ ଶାନ୍ତି ଫେରିବା ପରେ ନିର୍ବାଚନ ହେବ, ଏବେ ତାହା ଉପରେ ନଜର ରହିଛି ।

