ପେନସନଭୋଗୀଙ୍କୁ ବଡ଼ ଖୁସି ଖବର! ଅଷ୍ଟମ ବେତନ କମିସନରେ ବଢ଼ିପାରେ ପେନସନ

ନୂଆ ବେତନ କମିସନ ଲାଗୁ ହେଲେ ପୂର୍ବତନ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପେନସନରେ ମଧ୍ୟ ପରିବର୍ତ୍ତନ ଆସିପାରେ । ତେବେ ଏପର୍ଯ୍ୟନ୍ତ ପେନସନ ବୃଦ୍ଧି ନେଇ ସରକାର କୌଣସି ଅନ୍ତିମ ଘୋଷଣା କରିନାହାନ୍ତି ।

 କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପରେ ଏବେ ପେନସନଭୋଗୀଙ୍କ ନଜର ଅଷ୍ଟମ ବେତନ କମିସନ ଉପରେ । ନୂଆ ବେତନ କମିସନ ଲାଗୁ ହେଲେ ପୂର୍ବତନ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପେନସନରେ ମଧ୍ୟ ପରିବର୍ତ୍ତନ ଆସିପାରେ । ତେବେ ଏପର୍ଯ୍ୟନ୍ତ ପେନସନ ବୃଦ୍ଧି ନେଇ ସରକାର କୌଣସି ଅନ୍ତିମ ଘୋଷଣା କରିନାହାନ୍ତି । ବର୍ତ୍ତମାନ ସପ୍ତମ ବେତନ କମିସନ ଅନୁସାରେ କେନ୍ଦ୍ର ସରକାରୀ ପେନସନଭୋଗୀଙ୍କ ସର୍ବନିମ୍ନ ମୌଳିକ ପେନସନ ମାସକୁ ୯,୦୦୦ ଟଙ୍କା ରହିଛି । ଏପଟେ ଭାରତ ପେନସନର୍ସ ସମାଜ (BPS) ଅଷ୍ଟମ ବେତନ କମିସନ ଅଧୀନରେ ସର୍ବନିମ୍ନ ପେନସନ ୪୫,୦୦୦ ଟଙ୍କା କରିବାକୁ ଦାବି କରିଛି । ଏହା ସହ ପ୍ରତି ୩ ମାସରେ ମହଙ୍ଗା ଭତ୍ତା ରିଲିଫ୍‌ (DR) ସଂଶୋଧନ ଏବଂ ମହଙ୍ଗା ଭତ୍ତା ରିଲିଫ୍‌ ୨୫ ପ୍ରତିଶତରୁ ଅଧିକ ହେଲେ ଏହାକୁ ମୌଳିକ ପେନସନ ସହ ମିଶାଇବାକୁ ମଧ୍ୟ ଦାବି ହୋଇଛି ।

ପେନସନ କେତେ ବଢ଼ିବ, ତାହା ମୁଖ୍ୟତଃ ଫିଟମେଣ୍ଟ ଫ୍ୟାକ୍ଟର ଉପରେ ନିର୍ଭର କରିବ । କର୍ମଚାରୀ ସଂଗଠନ ପକ୍ଷରୁ ୩.୮୩ ଫିଟମେଣ୍ଟ ଫ୍ୟାକ୍ଟର ଦାବି କରାଯାଇଛି । ଯଦି ଏହି ଦାବି ଅନୁସାରେ ଫିଟମେଣ୍ଟ ଫ୍ୟାକ୍ଟର ଲାଗୁ ହୁଏ, ତେବେ ୨୦,୦୦୦ ଟଙ୍କା ମୌଳିକ ପେନସନ ୨୦,୦୦୦ × ୩.୮୩ ଅନୁସାରେ ୭୬,୬୦୦ ଟଙ୍କା ହୋଇପାରେ । ସେହିପରି ୧୫,୦୦୦ ଟଙ୍କା ପେନସନ ୫୭,୪୫୦ ଏବଂ ୩୦,୦୦୦ ଟଙ୍କା ପେନସନ ୧,୧୪,୯୦୦ ଟଙ୍କା ହୋଇପାରେ ।

ବର୍ତ୍ତମାନର ମୌଳିକ ପେନସନ   ୩.୮୩ ଫିଟମେଣ୍ଟ ଫ୍ୟାକ୍ଟରରେ ଆନୁମାନିକ ପେନସନ

₹୧୦,୦୦୦    ₹୩୮,୩୦୦
₹୧୫,୦୦୦    ₹୫୭,୪୫୦
₹୧୮,୦୦୦    ₹୬୮,୯୪୦
₹୨୦,୦୦୦    ₹୭୬,୬୦୦
₹୨୫,୦୦୦    ₹୯୫,୭୫୦
₹୩୦,୦୦୦    ₹୧,୧୪,୯୦୦
₹୩୫,୦୦୦    ₹୧,୩୪,୦୫୦
₹୪୦,୦୦୦    ₹୧,୫୩,୨୦୦
₹୫୦,୦୦୦    ₹୧,୯୧,୫୦୦

ତେବେ ଏହି ହିସାବ କେବଳ ୩.୮୩ ଫିଟମେଣ୍ଟ ଫ୍ୟାକ୍ଟର ଦାବି ଆଧାରିତ । ଏହା ସରକାରଙ୍କ ଅନୁମୋଦିତ ପେନସନ ନୁହେଁ । ଫିଟମେଣ୍ଟ ଫ୍ୟାକ୍ଟର ଅର୍ଥ ହେଉଛି ଏକ ଗୁଣକ, ଯାହା ଆଧାରରେ ବର୍ତ୍ତମାନର ମୌଳିକ ଦରମା କିମ୍ବା ପେନସନର ସଂଶୋଧିତ ରାଶି ହିସାବ କରାଯାଏ । ସପ୍ତମ ବେତନ କମିସନରେ ସରକାର ୨.୫୭ ଫିଟମେଣ୍ଟ ଫ୍ୟାକ୍ଟର ଅନୁମୋଦନ କରିଥିଲେ ।

ଅଷ୍ଟମ ବେତନ କମିସନକୁ ୨୦୨୫ ନଭେମ୍ବର ୩ରେ ଗଠନ କରାଯାଇଥିଲା । କମିସନକୁ ସୁପାରିସ ଦେବା ପାଇଁ ୧୮ ମାସ ସମୟ ଦିଆଯାଇଛି। ଅର୍ଥାତ୍‌ ୨୦୨୭ ମେ ୩ ସୁଦ୍ଧା କମିସନ ରିପୋର୍ଟ ଦେବାକୁ ଥିବାବେଳେ, ଏହାପରେ ସରକାର ସୁପାରିସଗୁଡ଼ିକୁ ଯାଞ୍ଚ କରି ଅନ୍ତିମ ନିଷ୍ପତ୍ତି ନେବେ । ତେଣୁ ବର୍ତ୍ତମାନ ୪୫,୦୦୦ ଟଙ୍କା ସର୍ବନିମ୍ନ ପେନସନ କିମ୍ବା ୩.୮୩ ଫିଟମେଣ୍ଟ ଫ୍ୟାକ୍ଟରକୁ ନିଶ୍ଚିତ ବୋଲି ଧରିନେବା ଠିକ୍‌ ନୁହେଁ । ସରକାରଙ୍କ ଅନ୍ତିମ ନିଷ୍ପତ୍ତି ପରେ ହିଁ ପେନସନଭୋଗୀଙ୍କ ପ୍ରକୃତ ବୃଦ୍ଧି ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *