ଇନ୍‌ସ୍ୟୁରାନ୍ସ ନାହିଁ ତ ପେଟ୍ରୋଲ୍ ନାହିଁ! ଓଡ଼ିଶାରେ ଲାଗୁ ହେବ କଡ଼ା ନିୟମ!

ପୂର୍ବରୁ ‘ନୋ ପଲ୍ୟୁସନ, ନୋ ସାର୍ଟିଫିକେଟ୍’ ନିୟମ ଲାଗୁ ହେବା ସମୟରେ ସାରା ରାଜ୍ୟରେ ଏକ ହଇଚଇ ସୃଷ୍ଟି ହୋଇଥିଲା । ଲୋକମାନେ ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଧାଡ଼ି ଲଗାଇଥିଲେ।

ଓଡ଼ିଶାର ରାଜପଥରେ ଏବେ ଏକ ନୂଆ ଚର୍ଚ୍ଚା ଜୋର ଧରିଛି । ଯଦି ଆପଣଙ୍କ ଗାଡ଼ିର ଇନ୍‌ସ୍ୟୁରାନ୍ସ ବା ବୀମା ନାହିଁ, ତେବେ ହୁଏତ ଆଗକୁ ଆପଣଙ୍କ ଗାଡ଼ିରେ ପେଟ୍ରୋଲ ପଡ଼ିନପାରେ । ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପରେ ରାଜ୍ୟ ପରିବହନ ବିଭାଗ ଏବେ ‘ନୋ ଇନ୍‌ସ୍ୟୁରାନ୍ସ, ନୋ ପେଟ୍ରୋଲ’ ନିୟମ ଉପରେ ଗମ୍ଭୀରତାର ସହ ବିଚାର କରୁଛି । ପରିବହନ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଖୁବଶୀଘ୍ର ଏହି ନିୟମକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯାଇପାରେ।

ସରକାରୀ ତଥ୍ୟ ଅନୁସାରେ, ଓଡ଼ିଶାରେ ପ୍ରାୟ ୯୭ ଲକ୍ଷ ଗାଡ଼ି ପଞ୍ଜିକୃତ ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏଥିମଧ୍ୟରୁ ଏକ ବଡ଼ ସଂଖ୍ୟକ ଗାଡ଼ିର ବୈଧ ଇନ୍ସୁରାନ୍ସ ନାହିଁ । ବିଶେଷ କରି ‘ଥାର୍ଡ ପାର୍ଟି ଇନ୍ସୁରାନ୍ସ’ ବା ତୃତୀୟ ପକ୍ଷ ବୀମାକୁ ନେଇ ସୁପ୍ରିମକୋର୍ଟ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ଦୁର୍ଘଟଣା ସମୟରେ ପୀଡ଼ିତଙ୍କୁ କ୍ଷତିପୂରଣ ଦେବା ପାଇଁ ଏହା ଅତ୍ୟନ୍ତ ଜରୁରୀ । ତେଣୁ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିପାରନ୍ତି । 

ପୂର୍ବରୁ ‘ନୋ ପଲ୍ୟୁସନ, ନୋ ସାର୍ଟିଫିକେଟ୍’ ନିୟମ ଲାଗୁ ହେବା ସମୟରେ ସାରା ରାଜ୍ୟରେ ଏକ ହଇଚଇ ସୃଷ୍ଟି ହୋଇଥିଲା । ଲୋକମାନେ ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଧାଡ଼ି ଲଗାଇଥିଲେ। ମନ୍ତ୍ରୀ କହିଛନ୍ତି ଯେ, ସରକାରଙ୍କ ଲକ୍ଷ୍ୟ କେବଳ ଜରିମାନା ଆଦାୟ କରିବା କିମ୍ବା ଲୋକଙ୍କୁ ଦଣ୍ଡ ଦେବା ନୁହେଁ। ବରଂ ଲୋକମାନେ ଯେପରି ନିୟମ ମାନି ସୁରକ୍ଷିତ ଭାବେ ଗାଡ଼ି ଚଳାଇବେ, ତାହା ହିଁ ମୁଖ୍ୟ ପ୍ରାଥମିକତା।

ଏବେ ଟୋଲ ଗେଟ୍ ମାନଙ୍କରେ ବୈଦ୍ୟୁତିକ ବ୍ୟବସ୍ଥା ଜରିଆରେ ଗାଡ଼ିର ଇନ୍ସୁରାନ୍ସ ଯାଞ୍ଚ କରାଯାଇ ଅନଲାଇନ୍ ଚାଲାଣ କଟାଯାଉଛି । ଯେଉଁମାନେ ବାରମ୍ବାର ଚେତାବନୀ ସତ୍ତ୍ୱେ ବୀମା କରୁନାହାନ୍ତି, ସେମାନଙ୍କ ଗାଡ଼ିକୁ ସିଜ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସଡ଼କ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର କର୍ତ୍ତବ୍ୟ। ପେଟ୍ରୋଲ ପମ୍ପରେ ଅପମାନିତ ହେବା କିମ୍ବା ଗାଡ଼ି ଜବତ ହେବାର ଭୟରେ ନୁହେଁ, ବରଂ ନିଜର ଏବଂ ନିଜ ପରିବାରର ସୁରକ୍ଷିତ ଭବିଷ୍ୟତ ପାଇଁ ଗାଡ଼ିର ଇନ୍ସୁରାନ୍ସ ଅପଡେଟ୍ ରଖିବା ଜରୁରୀ। ତେଣୁ, ଯଦି ଆପଣଙ୍କ ଗାଡ଼ିର ବୀମା ଅବଧି ସରିଯାଇଛି, ତେବେ ଡେରି ନକରି ଆଜି ହିଁ ଏହାକୁ ନବୀକରଣ କରନ୍ତୁ!

Leave a Reply

Your email address will not be published. Required fields are marked *