ଜମ୍ମୁ-କାଶ୍ମୀରର ରାଜ୍ୟ ତଦନ୍ତକାରୀ ସଂସ୍ଥା (ଏସଆଇଏ) ୨୮ ବର୍ଷ ପରେ ଚର୍ଚ୍ଚିତ ୱାନ୍ଧାମା ନରସଂହାର ମାମଲାର ତଦନ୍ତ ପୁନର୍ବାର ଆରମ୍ଭ କରିଛି। ୧୯୯୮ ମସିହା ଜାନୁଆରୀ ମାସରେ ସେଣ୍ଟ୍ରାଲ କାଶ୍ମୀରର ଗାନ୍ଦରବଲ୍ ଜିଲ୍ଲାସ୍ଥିତ ୱାନ୍ଧାମା ଗ୍ରାମରେ ସନ୍ତ୍ରାସବାଦୀମାନେ
ଜମ୍ମୁ-କାଶ୍ମୀରର ରାଜ୍ୟ ତଦନ୍ତକାରୀ ସଂସ୍ଥା (ଏସଆଇଏ) ୨୮ ବର୍ଷ ପରେ ଚର୍ଚ୍ଚିତ ୱାନ୍ଧାମା ନରସଂହାର ମାମଲାର ତଦନ୍ତ ପୁନର୍ବାର ଆରମ୍ଭ କରିଛି। ୧୯୯୮ ମସିହା ଜାନୁଆରୀ ମାସରେ ସେଣ୍ଟ୍ରାଲ କାଶ୍ମୀରର ଗାନ୍ଦରବଲ୍ ଜିଲ୍ଲାସ୍ଥିତ ୱାନ୍ଧାମା ଗ୍ରାମରେ ସନ୍ତ୍ରାସବାଦୀମାନେ ୪ଟି ପରିବାରର ୨୩ ଜଣ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଭୟାନକ ହତ୍ୟାକାଣ୍ଡରୁ ମାତ୍ର ଜଣେ ୧୪ ବର୍ଷୀୟ କିଶୋର ଜୀବନ୍ତ ବଞ୍ଚିଯାଇଥିଲା। ଉପତ୍ୟାକାରେ ଆତଙ୍କବାଦ ଚରମ ସୀମାରେ ଥିବା ସମୟରେ ଘଟିଥିବା ଏହି ଟାର୍ଗେଟେଡ୍ କିଲିଂ ମାମଲାଗୁଡ଼ିକର ପୁନଃତଦନ୍ତ ପ୍ରକ୍ରିୟାକୁ ଏବେ ଜୋରଦାର କରାଯାଇଛି।
ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀର ପ୍ରଶାସନ ଅନେକ ପୁରୁଣା ଓ ଚର୍ଚ୍ଚିତ ମାମଲାର ଫାଇଲ୍ ପୁଣି ଖୋଲିଛି। ୱାନ୍ଧାମା ଗଣହତ୍ୟା ସମେତ ୧୯୯୦ ମସିହାରେ କାଶ୍ମୀରୀ ପଣ୍ଡିତ ଲେଖକ ତଥା ସମାଜସେବୀ ସରୱାନନ୍ଦ କୌଲ ପ୍ରେମୀ ଏବଂ ତାଙ୍କ ୨୪ ବର୍ଷୀୟ ପୁଅ ବିରେନ୍ଦ୍ର କୌଲଙ୍କ ହତ୍ୟା ମାମଲା, ଟିକା ଲାଲ ଟପ୍ଲୁ ହତ୍ୟାକାଣ୍ଡର ତଦନ୍ତକୁ ମଧ୍ୟ ଏସଆଇଏ ପୁନରୁତ୍ଥାନ କରିଛି । ଏହି ସମ୍ପର୍କରେ ଏସଆଇଏ ପକ୍ଷରୁ ଅଗଷ୍ଟ ୧୨ ତାରିଖରେ ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ କରାଯାଇସାରିଛି। ଏହାବ୍ୟତୀତ ୧୯୯୦ ମସିହାର ନର୍ସ ସରଳା ଭଟ୍ଟଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେକେଏଲଏଫ୍ ମୁଖିଆ ମହମ୍ମଦ ୟାସିନ ମଲିକ ଏବଂ ଖୁରସିଦ ଅହମ୍ମଦ ଚାଲକୁଙ୍କ ନାମରେ ଚାର୍ଜସିଟ୍ ଦାଖଲ କରାଯାଇଛି।
ଉପରାଜ୍ୟପାଳ ମନୋଜ ସିହ୍ନା ପାକିସ୍ତାନ ସମର୍ଥିତ ସନ୍ତ୍ରାସବାଦୀଙ୍କ ଦ୍ୱାରା ପ୍ରାଣ ହରାଇଥିବା ଏବଂ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିବା ପରିବାରଗୁଡ଼ିକୁ ନ୍ୟାୟ ପ୍ରଦାନ ପାଇଁ ସମସ୍ତ ପୁରୁଣା ମାମଲା ପୁନଃ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସେ ଏଫଆଇଆର୍ ରୁଜୁ କରି ମୃତକଙ୍କ ନିକଟତର ସମ୍ପର୍କୀୟଙ୍କୁ ଅଗ୍ରାଧିକାର ଭିତ୍ତିରେ ଚାକିରି ଯୋଗାଇଦେବାକୁ ପ୍ରଶାସନକୁ କହିଛନ୍ତି। ଏସଆଇଏ ୧୯୮୯ର ବିଚାରପତି ନୀଲକଣ୍ଠ ଗଞ୍ଜୁଙ୍କ ହତ୍ୟା ମାମଲାରେ ସାଧାରଣ ଜନତାଙ୍କ ସହଯୋଗ ଲୋଡ଼ିବା ସହ ମିରୱାଇଜ୍ ମୋଲଭି ଫାରୁକ୍ ହତ୍ୟାକାଣ୍ଡର ଫେରାର ଅଭିଯୁକ୍ତଙ୍କୁ ଗିରଫ କରିଛି।

