ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତାକୁ ନେଇ ଏବେ ଚର୍ଚ୍ଚାରେ ଆସିଛି ପ୍ରସିଦ୍ଧ କାଫେ-ବେକେରୀ ବ୍ରାଣ୍ଡ PAUL India । ଗୁରୁଗ୍ରାମ ପରେ ଏବେ ପୁଣେରୁ ମଧ୍ୟ ସାମ୍ନାକୁ ଆସିଛି ସମାନ ଅଭିଯୋଗ ।
ଖାଦ୍ୟରେ ପୋକ, ତା’ପୁଣି ଜୀଅନ୍ତା ପୋକ । ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତାକୁ ନେଇ ଏବେ ଚର୍ଚ୍ଚାରେ ଆସିଛି ପ୍ରସିଦ୍ଧ କାଫେ-ବେକେରୀ ବ୍ରାଣ୍ଡ PAUL India । ଗୁରୁଗ୍ରାମ ପରେ ଏବେ ପୁଣେରୁ ମଧ୍ୟ ସାମ୍ନାକୁ ଆସିଛି ସମାନ ଅଭିଯୋଗ । ପୁଣେର ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ଏକ ପେଷ୍ଟ୍ରି ଭିତରେ ଜୀଅନ୍ତା ପୋକ ଚାଲୁଥିବା ଦେଖାଯାଉଛି ।
ପୁଣେର ଫିନିକ୍ସ ମଲ୍, ଭିମାନ ନଗରସ୍ଥିତ PAUL ଆଉଟଲେଟ୍ରୁ କିଛି ମାସ ପୂର୍ବରୁ ସେ ଟେକ୍ଆୱେ ନେଇଥିଲେ ବୋଲି ଦାବି କରିଛନ୍ତି ଭିନୋଦ ଟିଲେକର । ଘରକୁ ନେବା ପରେ ପେଷ୍ଟ୍ରିରେ ପୋକ ଥିବା ସେ ଦେଖିଥିବା ଦାବି କରିଛନ୍ତି। ସେହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ତେବେ ଏହି ଅଭିଯୋଗକୁ ନେଇ PAUL Indiaର ପୁଣେ ଆଉଟଲେଟ୍ ପକ୍ଷରୁ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
କିନ୍ତୁ ଏହା ପ୍ରଥମ ଘଟଣା ନୁହେଁ। ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଗୁରୁଗ୍ରାମର PAUL ଆଉଟଲେଟ୍କୁ ନେଇ ମଧ୍ୟ ଏଭଳି ଅଭିଯୋଗ ଆସିଥିଲା । ଅଗଷ୍ଟ ୨୧ରେ ସୁଲଭ ମାଥୁର ତାଙ୍କ କିଛି ବନ୍ଧୁଙ୍କ ସହ ଗୁରୁଗ୍ରାମର One Horizon Centreସ୍ଥିତ PAUL ଆଉଟଲେଟ୍କୁ ବ୍ରେକଫାଷ୍ଟ ପାଇଁ ଯାଇଥିଲେ । ସେମାନେ ପ୍ରାୟ ୭ଟି ଡିଶ୍ ଅର୍ଡର କରିଥିଲେ ।
ମାଥୁରଙ୍କ ଦାବି ଅନୁସାରେ, ସେ ଏକ ସ୍ୟାଣ୍ଡୱିଚ୍ର ଅଧା ଖାଇବା ପରେ ବ୍ରେଡ୍ ଭିତରେ ଜୀଅନ୍ତା ପୋକ ଚାଲୁଥିବା ଦେଖିଥିଲେ । ଏହାକୁ ସେ ଭିଡିଓରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପରେ PAUL India ପକ୍ଷରୁ ସୋସିଆଲ ମିଡିଆରେ ବୟାନ ଦିଆଯାଇଥିଲା । କମ୍ପାନୀ କହିଥିଲା, ଖାଦ୍ୟ ସୁରକ୍ଷା, ସ୍ୱଚ୍ଛତା ଓ ଗୁଣବତ୍ତାର ମାନକକୁ ସେମାନେ ଅତ୍ୟନ୍ତ ଗୁରୁତ୍ୱର ସହ ନିଅନ୍ତି ।
ତେବେ କମ୍ପାନୀର ଏହି ବୟାନକୁ ନେଇ ମଧ୍ୟ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ । ଅଭିଯୋଗ ପାଇଁ ସ୍ପଷ୍ଟ କ୍ଷମାପ୍ରାର୍ଥନା ଓ ଦାୟିତ୍ୱ ନେବାର ଅଭାବ ଥିବା ନେଇ ପ୍ରଶ୍ନ ଉଠିଥିଲା । ଏବେ ପୁଣେରୁ ଆସିଥିବା ଏହି ନୂଆ ଅଭିଯୋଗ ପରେ PAUL Indiaର ଫୁଡ୍ ସେଫ୍ଟି ଓ ହାଇଜିନ୍ ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।
୧୮୮୯ରେ ଫ୍ରାନ୍ସରେ ପ୍ରତିଷ୍ଠିତ PAUL ଏକ ଆନ୍ତର୍ଜାତୀୟ କାଫେ ଓ ବେକେରୀ ଚେନ୍ । ୪୫ରୁ ଅଧିକ ଦେଶରେ ଏହାର ଉପସ୍ଥିତି ରହିଛି । ଭାରତରେ ମଧ୍ୟ ଏହି ବ୍ରାଣ୍ଡର ଏକାଧିକ ଆଉଟଲେଟ୍ ରହିଛି । କିନ୍ତୁ ଗୁରୁଗ୍ରାମ ପରେ ପୁଣେରୁ ସାମ୍ନାକୁ ଆସିଥିବା ଏହି ଅଭିଯୋଗ ଏବେ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଠିଆ କରିଛି ।

