ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ଏକ ମାନବିକ ପଦକ୍ଷେପକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ସହ ବିବାଦ ମଧ୍ୟ ଜୋର ଧରିଛି । ମରାଠୀ ସିନେମା ‘ଦେଉଳ ବନ୍ଦ–୨’କୁ ସହଯୋଗ କରିବା ପାଇଁ ଶାହାରୁଖ ଖାନ ପ୍ରାୟ ୪୨ ଲକ୍ଷ ଟଙ୍କାର ଡିଜିଟାଲ ସିନେମା ପ୍ୟାକେଜ୍ (DCP) ଖର୍ଚ୍ଚ ଛାଡ଼ି ଦେଇଥିଲେ ।
ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ଏକ ମାନବିକ ପଦକ୍ଷେପକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ସହ ବିବାଦ ମଧ୍ୟ ଜୋର ଧରିଛି । ମରାଠୀ ସିନେମା ‘ଦେଉଳ ବନ୍ଦ–୨’କୁ ସହଯୋଗ କରିବା ପାଇଁ ଶାହାରୁଖ ଖାନ ପ୍ରାୟ ୪୨ ଲକ୍ଷ ଟଙ୍କାର ଡିଜିଟାଲ ସିନେମା ପ୍ୟାକେଜ୍ (DCP) ଖର୍ଚ୍ଚ ଛାଡ଼ି ଦେଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଅନେକେ ତାଙ୍କ ପ୍ରଶଂସା କରିଥିବାବେଳେ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଧର୍ମକୁ ନେଇ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ଏହି ଟ୍ରୋଲିଂକୁ ନେଇ ଏବେ ମୁହଁ ଖୋଲିଛନ୍ତି ‘ଦେଉଳ ବନ୍ଦ–୨’ର ନିର୍ଦ୍ଦେଶକ ପ୍ରବୀଣ ତରଡେ ।
ସେ କହିଛନ୍ତି, ଜଣେ ମଣିଷଙ୍କ ଭଲ କାମକୁ ଧର୍ମର ଚଷମାରେ ଦେଖିବା ଉଚିତ୍ ନୁହେଁ । ଶାହାରୁଖ ଖାନ ଜଣେ କଳାକାର ଭାବେ ସିନେମାକୁ ବଞ୍ଚାଇବା ପାଇଁ ସହଯୋଗ କରିଥିଲେ । ସେ ହିନ୍ଦୁ କିମ୍ବା ମୁସଲିମ୍ ବୋଲି ଭାବିନଥିଲେ, ବରଂ ଏକ ଭଲ ସିନେମାକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ପ୍ରାଥମିକତା ଦେଇଥିଲେ । ତେଣୁ ଏଭଳି ଉଦାରତାକୁ ସମ୍ମାନ ଦେବା ଉଚିତ୍ ବୋଲି ସେ କହିଛନ୍ତି । ପ୍ରବୀଣ ତରଡେଙ୍କ କହିବା ଅନୁସାରେ, ଫିଲ୍ମ ରିଲିଜ୍ ପୂର୍ବରୁ ଡିସିପି ପ୍ରସ୍ତୁତ ଥିଲା। କିନ୍ତୁ ଏହାର ବିଲ୍ ପ୍ରାୟ ୪୨ ଲକ୍ଷ ଟଙ୍କା ହୋଇଥିବାରୁ ନିର୍ମାତାଙ୍କ ପକ୍ଷରେ ତାହା ପରିଶୋଧ କରିବା ସମ୍ଭବ ହେଉନଥିଲା ।
ଏହି ସମୟରେ ବିଷୟଟି ଶାହାରୁଖ ଖାନଙ୍କ ନିକଟକୁ ପହଞ୍ଚିଥିଲା । ସେ ଫିଲ୍ମ ବିଷୟରେ ଜାଣିବା ପରେ କହିଥିଲେ—”ଫିଲ୍ମଟି ଭଲ ହୋଇଥିଲେ ବିଲ୍କୁ ଛାଡ଼ି ଦିଅ, ପ୍ରଥମେ ଫିଲ୍ମକୁ ରିଲିଜ୍ କର ।” ଏହି ନିଷ୍ପତ୍ତି ଫିଲ୍ମର ମୁକ୍ତିରେ ବଡ଼ ସହାୟକ ହୋଇଥିଲା । ଏବେ ଏହି ମରାଠୀ ଫିଲ୍ମ ବକ୍ସ ଅଫିସରେ ବଡ଼ ସଫଳତା ହାସଲ କରି ୧୦୦ କୋଟି ଟଙ୍କାରୁ ଅଧିକ ବିଶ୍ୱବ୍ୟାପୀ ବ୍ୟବସାୟ କରିଛି । ନିର୍ଦ୍ଦେଶକ ପ୍ରବୀଣ ତରଡେ କହିଛନ୍ତି, ଶାହାରୁଖ ଖାନଙ୍କ ସହଯୋଗ ନଥାନ୍ତା, ତେବେ ଫିଲ୍ମଟି ଠିକ୍ ସମୟରେ ପ୍ରେକ୍ଷାଳୟକୁ ଆସିପାରୁନଥାନ୍ତା । ସେଥିପାଇଁ ସେ ଶାହାରୁଖଙ୍କ ପ୍ରତି ସାରାଜୀବନ କୃତଜ୍ଞ ରହିବେ ବୋଲି କହିଛନ୍ତି ।

