OCC ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ , ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଚଢ଼ାଉ

ଆୟର ଜ୍ଞାତ ଉତ୍ସଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ । OCC ଲିମିଟେଡ୍‌ର ନିର୍ବାହୀ ଯନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର କିସ୍ପାଟ୍ଟାଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ ଜାରି ରହିଛି ।

ଆୟର ଜ୍ଞାତ ଉତ୍ସଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ । OCC ଲିମିଟେଡ୍‌ର ନିର୍ବାହୀ ଯନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର କିସ୍ପାଟ୍ଟାଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଜୟପୁର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରୁ ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ଏହି ତଲାସି ଅଭିଯାନ ଆରମ୍ଭ କରିଛି । ଭିଜିଲାନ୍ସର ସୂଚନା ଅନୁସାରେ, ୬ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର, ୭ ଜଣ ଏଏସ୍‌ଆଇ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍‌ ୭ଟି ସ୍ଥାନରେ ଏକାସାଙ୍ଗରେ ତଲାସି କରୁଛି ।

କୋରାପୁଟ ସହରରେ ଥିବା ଶ୍ରୀ କିସ୍ପାଟ୍ଟାଙ୍କ ଭଡ଼ା ଘର, ବାଣିଜ୍ୟିକ କୋଠା ଓ ନିର୍ମାଣାଧୀନ ଘରରେ ଯାଞ୍ଚ ଚାଲିଛି । ଏହା ସହ କୋରାପୁଟର କୁମ୍ଭ ଅଞ୍ଚଳରେ ଥିବା କିଛି ସମ୍ପତ୍ତି ମଧ୍ୟ ଭିଜିଲାନ୍ସ ସ୍କାନରରେ ରହିଛି । ଏହା ବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲା ଲାହୁନିପଡ଼ାରେ ଥିବା ତାଙ୍କ ପୈତୃକ ଘର, ନିର୍ମାଣାଧୀନ ତିନି ମହଲା କୋଠା, ଭୁବନେଶ୍ୱର ଓ ବଲାଙ୍ଗୀରରେ ଥିବା ଆବାସିକ କ୍ୱାର୍ଟର ଓ ଅଫିସ ଚାମ୍ବରରେ ମଧ୍ୟ ତଲାସି ଜାରି ରହିଛି । ତଲାସି ସମୟରେ ଭିଜିଲାନ୍ସ ଟିମ୍‌ ଦଲିଲପତ୍ର, ସମ୍ପତ୍ତି ସମ୍ବନ୍ଧୀୟ କାଗଜପତ୍ର ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରୁଛି । ତଦନ୍ତ ଶେଷ ପରେ ସମ୍ପତ୍ତିର ମୂଲ୍ୟ ଓ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି । 

Leave a Reply

Your email address will not be published. Required fields are marked *