ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଭାରତର ଭୂମିକା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା ।
ବିଶ୍ୱ ରାଜନୀତିରେ ଭାରତର ବଢ଼ୁଛି ପ୍ରଭାବ । ଭାରତକୁ ‘ଆଶାର ଆଲୋକବର୍ତ୍ତିକା’ ବୋଲି କହି ପ୍ରଶଂସା କରିଛନ୍ତି ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ । ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଭାରତର ଭୂମିକା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା ପରେ ଭାରତ-ପୋଲାଣ୍ଡ ସମ୍ପର୍କକୁ ଆହୁରି ମଜଭୁତ କରିବା ନେଇ ଆଶା ପ୍ରକାଶ କରିଛନ୍ତି ଟସ୍କ ।
ମୋଦୀଙ୍କୁ ନିଜର ବନ୍ଧୁ କହିଲେ ଟସ୍କ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମିଳିତ ପ୍ରେସ୍ ବିବୃତିରେ ଡୋନାଲ୍ଡ ଟସ୍କ କହିଥିଲେ ଯେ, ବିଶ୍ୱରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ସମୟରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ଏଭଳି ସମୟରେ ଭାରତ ଭଳି ଏକ ଶକ୍ତିଶାଳୀ ଦେଶରେ ମୋଦୀଙ୍କ ଭଳି ନେତା ରହିବା ସମସ୍ତଙ୍କ ପାଇଁ ଆଶାର ଆଲୋକବର୍ତ୍ତିକା ।
ଭାରତ ଓ ପୋଲାଣ୍ଡ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଏବଂ ଅହିଂସା ଭଳି ସମାନ ମୂଲ୍ୟବୋଧ ରହିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ । ଦୁଇ ଦେଶ ମଧ୍ୟରେ ଐତିହାସିକ ସଂଘର୍ଷ ନଥିବା କହିବା ସହ ମୋଦୀଙ୍କୁ ନିଜର ବନ୍ଧୁ ବୋଲି ପରିଚୟ ଦେବାରେ ସେ ବ୍ୟକ୍ତିଗତ ଭାବେ ଗର୍ବ ଅନୁଭବ କରୁଥିବା କହିଥିଲେ ।
ଭାରତ-ପୋଲାଣ୍ଡ ସମ୍ପର୍କ ହେବ ଆହୁରି ମଜଭୁତ
୨୦୨୪ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୱାର୍ସ ଗସ୍ତ ସମୟରେ ଭାରତ ଓ ପୋଲାଣ୍ଡ ମଧ୍ୟରେ ସ୍ଥାପିତ ହୋଇଥିବା ରଣନୈତିକ ସହଭାଗିତାକୁ ଆଗକୁ ନେବା ନେଇ ଉଭୟ ନେତା ଆଲୋଚନା କରିଥିଲେ । ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କକୁ ଗୁରୁତ୍ୱ ଦେଇ ଟସ୍କ କହିଥିଲେ ଯେ, ଏଥର ତାଙ୍କ ପ୍ରତିନିଧିମଣ୍ଡଳରେ ବହୁ ସଂଖ୍ୟକ ପୋଲାଣ୍ଡ କମ୍ପାନିର ପ୍ରତିନିଧି ସାମିଲ ହୋଇଛନ୍ତି । ଭାରତ-ପୋଲାଣ୍ଡ ସମ୍ପର୍କ ଇତିହାସରେ ଏହା ସବୁଠାରୁ ବଡ଼ ପ୍ରତିନିଧିମଣ୍ଡଳ ବୋଲି ସେ ଦାବି କରିଥିଲେ ।
ଖଣି ଖନନଠାରୁ ମହାକାଶ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ସହଯୋଗ
ଭାରତ ଓ ପୋଲାଣ୍ଡ ମଧ୍ୟରେ ଅନେକ କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଯୋଜନା ହେଉଛି । ଖଣି ଖନନ ଓ ଜାହାଜ ନିର୍ମାଣ ଭଳି ପାରମ୍ପରିକ କ୍ଷେତ୍ର ସହ ମହାକାଶ ପ୍ରଯୁକ୍ତିବିଦ୍ୟା, ଡିଜିଟାଲକରଣ, ଉପଗ୍ରହ ଏବଂ ଡ୍ରୋନ୍ ଭଳି ଅତ୍ୟାଧୁନିକ ପ୍ରତିରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ସହଯୋଗ କରିବେ । ଏହି ସହଯୋଗ କେବଳ ଭାରତ ଓ ପୋଲାଣ୍ଡକୁ ନୁହେଁ, ବରଂ ସମଗ୍ର ବିଶ୍ୱକୁ ଲାଭ ପହଞ୍ଚାଇବ ବୋଲି ଟସ୍କ ଆଶା ପ୍ରକାଶ କରିଛନ୍ତି ।
ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ସହଯୋଗ
ଜି-୨୦ ଭଳି ଅନ୍ତର୍ଜାତୀୟ ମଞ୍ଚରେ ପରସ୍ପରକୁ ସମର୍ଥନ କରି ଭାରତ ଓ ପୋଲାଣ୍ଡ ବିଶ୍ୱସ୍ତରରେ ସକାରାତ୍ମକ ପ୍ରଭାବ ପକାଇପାରିବେ ବୋଲି ପୋଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ କୂଟନୈତିକ, ଆର୍ଥିକ ଓ ବୈଷୟିକ ସମ୍ପର୍କକୁ ନୂଆ ଦିଗ ଦେବା ସହ ଭବିଷ୍ୟତରେ ସହଯୋଗର ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

