୨୦୨୭ରେ ବିଶ୍ୱକୁ ଘାରିପାରେ ବଡ଼ ଖାଦ୍ୟ ସଙ୍କଟ! ଆସନ୍ତା ବର୍ଷ ଖାଦ୍ୟ ମୂଲ୍ୟ ବୃଦ୍ଧି ସହ ଗ୍ଲୋବାଲ୍ ଫୁଡ୍ କ୍ରାଇସିସ୍ର ଆଶଙ୍କା ନେଇ ସତର୍କ କରିଛି ଆମେରିକୀୟ ଆର୍ଥିକ ସଂସ୍ଥା ଜେପି ମର୍ଗାନ୍ ।
୨୦୨୭ରେ ବିଶ୍ୱକୁ ଘାରିପାରେ ବଡ଼ ଖାଦ୍ୟ ସଙ୍କଟ! ଆସନ୍ତା ବର୍ଷ ଖାଦ୍ୟ ମୂଲ୍ୟ ବୃଦ୍ଧି ସହ ଗ୍ଲୋବାଲ୍ ଫୁଡ୍ କ୍ରାଇସିସ୍ର ଆଶଙ୍କା ନେଇ ସତର୍କ କରିଛି ଆମେରିକୀୟ ଆର୍ଥିକ ସଂସ୍ଥା ଜେପି ମର୍ଗାନ୍ । ଭୂ-ରାଜନୈତିକ ତଣାପୋଡ଼, ସାର ଯୋଗାଣରେ ବାଧା ଏବଂ ଜଳବାୟୁ ପରିବର୍ତ୍ତନ ଏହି ସଙ୍କଟକୁ ଆହୁରି ଗମ୍ଭୀର କରିପାରେ ବୋଲି ଆକଳନ କରାଯାଇଛି । ଜେପି ମର୍ଗାନ୍ର ଆକଳନ ଅନୁସାରେ, ୨୦୨୭ର ପ୍ରଥମ ଛଅ ମାସରେ ବିଶ୍ୱ ଖାଦ୍ୟ ମୁଦ୍ରାସ୍ଫୀତି ପ୍ରାୟ ୫ ପ୍ରତିଶତକୁ ବଢ଼ିପାରେ । ଯେଉଁଠାରେ ୨୦୨୬ର ପ୍ରଥମ ଛଅ ମାସରେ ଏହା ପ୍ରାୟ ୨.୮ ପ୍ରତିଶତ ଥିଲା। ଅର୍ଥାତ୍ ଖାଦ୍ୟ ଉତ୍ପାଦନ ଖର୍ଚ୍ଚ ବଢ଼ିଲେ ଏହାର ପ୍ରଭାବ ସିଧାସଳଖ ଭାବେ ଉପଭୋକ୍ତାଙ୍କ ଉପରେ ପଡ଼ିପାରେ । ଏହି ସଙ୍କଟର ପ୍ରମୁଖ କାରଣ ଭାବେ ସାରର ଅଭାବକୁ ଦର୍ଶାଯାଇଛି । ବିଶେଷକରି ମଧ୍ୟପ୍ରାଚ୍ୟରୁ ଆସୁଥିବା ୟୁରିଆ ଓ ଅନ୍ୟ ନାଇଟ୍ରୋଜେନ୍ଭିତ୍ତିକ ସାରର ଯୋଗାଣରେ ବାଧା ହେଲେ ଚାଷ ଖର୍ଚ୍ଚ ବଢ଼ିବା ସହ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇପାରେ ।
ହର୍ମୁଜ୍ ଅଞ୍ଚଳରେ ଚାଲିଥିବା ଭୂ-ରାଜନୈତିକ ଅସ୍ଥିରତା ଏହି ସପ୍ଲାଇ ଚେନ୍ ପାଇଁ ଚିନ୍ତାର କାରଣ ହୋଇଛି । ଏହା ସହିତ ଅଲ୍ ନିନୋର ପ୍ରଭାବ ମଧ୍ୟ ବିଶ୍ୱ କୃଷି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ । ବର୍ଷା ଓ ତାପମାତ୍ରାର ଧାରା ବଦଳିଲେ କେତେକ ଅଞ୍ଚଳରେ ମରୁଡ଼ି, ଆଉ କେଉଁଠି ବନ୍ୟା ଭଳି ଚରମ ପାଣିପାଗ ସ୍ଥିତି ସୃଷ୍ଟି ହୋଇପାରେ । ଏହା ଫଳରେ ଫସଲ ଉତ୍ପାଦନ କମିବାର ଆଶଙ୍କା ରହିଛି । ଭାରତ ପାଇଁ ମଧ୍ୟ ଏହି ଚେତାବନୀ ଗୁରୁତ୍ୱପୂର୍ଣ୍ଣ । ଜେପି ମର୍ଗାନ୍ ଭାରତ ସହ ବ୍ରାଜିଲ୍ ଓ ଇଣ୍ଡୋନେସିଆକୁ ସାର ଯୋଗାଣରେ ବାଧା ଓ ଅଲ୍ ନିନୋର ମିଶ୍ରିତ ପ୍ରଭାବ ପଡ଼ିପାରୁଥିବା ଦେଶ ଭାବେ ଚିହ୍ନଟ କରିଛି । ଭାରତରେ ଧାନ, ଡାଲି, ତୈଳବୀଜ, କପା ଓ ଆଖୁ ଭଳି ଫସଲ ଉପରେ ଅନିୟମିତ ବର୍ଷାର ପ୍ରଭାବ ପଡ଼ିପାରେ । ତେବେ ବିଶେଷଜ୍ଞମାନେ ଏହାକୁ ତୁରନ୍ତ ବିଶ୍ୱରେ ଖାଦ୍ୟ ସରିଯିବାର ସଙ୍କଟ ବୋଲି କହୁନାହାନ୍ତି । ବର୍ତ୍ତମାନ ଅନେକ ଦେଶରେ ଖାଦ୍ୟଶସ୍ୟ ମହଜୁଦ ରହିଛି ଏବଂ କୃଷି ପ୍ରଯୁକ୍ତି, ଜଳସେଚନ ଓ ଉନ୍ନତ ବିହନ ଯୋଗୁଁ ବିଶ୍ୱ ଖାଦ୍ୟ ବ୍ୟବସ୍ଥା ପୂର୍ବ ତୁଳନାରେ ଅଧିକ ପ୍ରସ୍ତୁତ ବୋଲି ରଏଟର୍ସ ରିପୋର୍ଟ କରିଛି । ତେଣୁ ଆଗାମୀ ଦିନରେ ଅଲ୍ ନିନୋର ପ୍ରଭାବ, ସାର ଯୋଗାଣ ଓ ଭୂ-ରାଜନୈତିକ ପରିସ୍ଥିତି କେଉଁ ଦିଗକୁ ଯାଉଛି, ତାହା ଉପରେ ରହିବ ବିଶ୍ୱ ଖାଦ୍ୟ ବଜାରର ଭବିଷ୍ୟତ ।

