ଛତିଶଗଡ଼ର ବିଜେପି ବିଧାୟକ ଅଜୟ ଚନ୍ଦ୍ରାକରଙ୍କ ଏକ ପୁରୁଣା ଭିଡିଓକୁ ସ୍ୱାଧୀନତା ଦିବସର ଭିଡିଓ ବୋଲି ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଅଭିଯୋଗକୁ ନେଇ ଏହି ମାମଲା ରୁଜୁ ହୋଇଛି ।
ପୁରୁଣା ଭିଡିଓକୁ ନେଇ ବଢ଼ିଲା ବିବାଦ, କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ଓ ଭୋଜପୁରୀ ଗାୟିକା ନେହା ସିଂହ ରାଠୋରଙ୍କ ବିରୋଧରେ ଏଫ୍ଆଇଆର୍ । ଛତିଶଗଡ଼ର ବିଜେପି ବିଧାୟକ ଅଜୟ ଚନ୍ଦ୍ରାକରଙ୍କ ଏକ ପୁରୁଣା ଭିଡିଓକୁ ସ୍ୱାଧୀନତା ଦିବସର ଭିଡିଓ ବୋଲି ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଅଭିଯୋଗକୁ ନେଇ ଏହି ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ, ଅଗଷ୍ଟ ୧୫ ତାରିଖରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଅଜୟ ଚନ୍ଦ୍ରାକର ବିଜେପି ପତାକା ଉତ୍ତୋଳନ କରୁଥିବା ଦେଖାଯାଇଥିଲା । ଏହାକୁ ସ୍ୱାଧୀନତା ଦିବସର ଦୃଶ୍ୟ ବୋଲି ଦାବି କରି ପୋଷ୍ଟ କରାଯାଇଥିବା ଅଭିଯୋଗ ରହିଛି । ତେବେ ବିଜେପି ପକ୍ଷରୁ କୁହାଯାଇଛି ଯେ, ଭିଡିଓଟି ପୁରୁଣା । ଏହା ମାର୍ଚ୍ଚ ୨୦୨୬ରେ ଆୟୋଜିତ ଏକ ବିଜେପି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଭିଡିଓ ବୋଲି ଦାବି କରାଯାଇଛି ।
ଅଜୟ ଚନ୍ଦ୍ରାକର ମଧ୍ୟ କହିଛନ୍ତି ଯେ, ଅଗଷ୍ଟ ୧୫ରେ ସେ ଧମତରୀର ଏକଲବ୍ୟ ଖେଳ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ମାମଲାରେ ବିଜେପି ପ୍ରବକ୍ତା ଉଜ୍ଜ୍ୱଳ ଦୀପକଙ୍କ ଅଭିଯୋଗ ଆଧାରରେ ସୁପ୍ରିୟା ଶ୍ରୀନେତ, ନେହା ସିଂହ ରାଠୋର ଏବଂ ‘Gen Z of India’ ନାମକ ଏକ୍ସ ଆକାଉଣ୍ଟ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି । ପୁଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ, ଭାଇରାଲ ଭିଡିଓକୁ ନେଇ ଫ୍ୟାକ୍ଟ-ଚେକ୍ରେ ମଧ୍ୟ ଏହା ପୁରୁଣା ଭିଡିଓ ବୋଲି ଜଣାପଡ଼ିଛି । ସେହିପରି ଅନ୍ୟ ଏକ ସମାନ ଭାଇରାଲ ଭିଡିଓ ଘଟଣାରେ ମଧ୍ୟ ପୁରୁଣା ଫୁଟେଜକୁ ଅଗଷ୍ଟ ୧୫ର ଘଟଣା ବୋଲି ପ୍ରଚାର କରାଯାଇଥିବା ଫ୍ୟାକ୍ଟ-ଚେକ୍ରେ ସ୍ପଷ୍ଟ ହୋଇଛି। ତେବେ ପୁରୁଣା ଭିଡିଓକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ଆଇନର ଦ୍ୱାରସ୍ଥ ହୋଇଛି । ଭିଡିଓ କିଏ, କେବେ ଏବଂ କେଉଁ ପରିପ୍ରେକ୍ଷୀରେ ସେୟାର କରିଥିଲେ, ତାହା ନେଇ ପୁଲିସ ତଦନ୍ତ ଆଗକୁ ବଢ଼ାଉଛି ।

