ସ୍କୁଲ ଛାଡ଼ି ରାଜରାସ୍ତାରେ ଶିକ୍ଷକ: ୪ ଦଫା ଦାବି ନେଇ ଦେଲେ ଧାରଣା

ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସମିତି ପକ୍ଷରୁ ବାଲେଶ୍ୱରର ବସ୍ତା, ଭୋଗରାଇ ଏବଂ ନୀଳଗିରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକରୁ ଆଜି ଆସିଛି ଶିକ୍ଷକ ଆନ୍ଦୋଳନର ବଡ଼ ଚିତ୍ର । ପାଠପଢ଼ା ଛାଡ଼ି ନିଜର ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସମିତି ପକ୍ଷରୁ ବାଲେଶ୍ୱରର ବସ୍ତା, ଭୋଗରାଇ ଏବଂ ନୀଳଗିରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଦ୍ୟାଳୟଗୁଡ଼ିକୁ ସରକାରୀକରଣ କରିବା, ପୂର୍ଣ୍ଣ ଶିକ୍ଷକ ନିଯୁକ୍ତି ଏବଂ ଅବସର ପରେ ପେନସନ ଲାଗୁ ଭଳି ମୁଖ୍ୟ ୪ ଦଫା ଦାବି ନେଇ ଏହି ଆନ୍ଦୋଳନ ଜାରି ରହିଛି ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଶିକ୍ଷକ ଏକାଠି ହୋଇ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ସରକାର ଯଦି ଶୀଘ୍ର ଦାବି ପୂରଣ ନ କରନ୍ତି, ତେବେ ଏହି ଆନ୍ଦୋଳନକୁ ବ୍ଲକ ସ୍ତରରୁ ଜିଲ୍ଲା ଏବଂ ପରେ ରାଜ୍ୟବ୍ୟାପୀ ଆହୁରି ତୀବ୍ର କରାଯିବ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ଧାରଣାରେ ବସିଥିବା ଶିକ୍ଷକଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ଦୀର୍ଘ ୮ ବର୍ଷ ଧରି ସରକାରଙ୍କୁ ନିଜର ସମସ୍ୟା ଜଣାଇ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଶିକ୍ଷା ବ୍ୟବସ୍ଥାକୁ ସୁଚାରୂ ଭାବେ ପରିଚାଳନା କରୁଥିବା ଏହି କର୍ମଚାରୀମାନେ ଏବେ ଅସହାୟ ଅନୁଭବ କରୁଛନ୍ତି ।

ସେହିପରି ଭୋଗରାଇ ବ୍ଲକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଓଷ୍ଟା (OSTA) ମହାସଚିବ ନଟ ରଞ୍ଜନ ଘଡ଼ାଇଙ୍କ ନେତୃତ୍ୱରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ବିଶାଳ ଧାରଣା ଦେଇଛନ୍ତି। ନୀଳଗିରିରେ ମଧ୍ୟ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଓ ଅନୁଦାନ ପ୍ରାପ୍ତ ୨୦ଟି ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ସ୍କୁଲରେ ତାଲା ପକାଇ ବ୍ଲକ ସମ୍ମୁଖରେ ବସି ରହିଛନ୍ତି। ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇବା ଫଳରେ ଅନେକ ସ୍ଥାନରେ ଶିକ୍ଷାଦାନ ବ୍ୟାହତ ହୋଇଛି। ସରକାର ତୁରନ୍ତ ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା ବାହାର ନକଲେ ଆଗାମୀ ଦିନରେ ସ୍ଥିତି ଗମ୍ଭୀର ହେବ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *