ଉତ୍ତର ପ୍ରଦେଶର ଆଗ୍ରାରେ ସମାଜ ଓ ଲୋକଲଜ୍ଜା ଭୟରେ ଏକ ହୃଦୟବିଦାରକ ହତ୍ୟାକାଣ୍ଡ ଘଟିଛି। ବିବାହ ପୂର୍ବରୁ ୪ ମାସର ଗର୍ଭବତୀ ହୋଇଥିବା ୧୮ ବର୍ଷୀୟା ଝିଅକୁ ବାପା ଚମ୍ବଲ ନଦୀରେ ବୁଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଝିଅର ପ୍ରେମ ସମ୍ପର୍କ ଓ ଗର୍ଭଧାରଣ ଖବର ପ୍ରଚାର ହେବା ପରେ ପରିବାରର ସମ୍ମାନ ନଷ୍ଟ ହେବା ଭୟରେ ବାପା ଏହି ଅପରାଧ କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।
କନକ ବ୍ୟୁରୋ: ସମାଜ ଓ ଲୋକଲଜ୍ଜା ଆଗରେ ସମ୍ପର୍କ, ସ୍ନେହ ଆଉ ସମ୍ବେଦନଶୀଳତା ବଳିପଡ଼ିଯାଏ । ତାହାର ଏକ ହୃଦୟବିଦାରକ ଓ ନିର୍ଦ୍ଦୟ ଦୃଶ୍ୟ ଉତ୍ତର ପ୍ରଦେଶର ଆଗ୍ରାରେ ଦେଖିବାକୁ ମିଳିଛି । ବିବାହ ପୂର୍ବରୁ ଜଣେ ୧୮ ବର୍ଷୀୟା ଯୁବତୀ ଗର୍ଭବତୀ ହୋଇଯିବାରୁ ଜଣେ ବାପା ରାଗରେ ନିଜର ଜନ୍ମ କଲା ଝିଅକୁ ନୃଶଂସ ଭାବେ ହତ୍ୟା କରିଛି । ଆଗ୍ରାର ବାସୌନୀ ଅଞ୍ଚଳରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ନିଜ ଝିଅକୁ ଚମ୍ବଲ ନଦୀର ଗଭୀର ପାଣିରେ ବୁଡ଼ାଇ ମାରିଦେଇଛି । ସ୍ତବ୍ଧ କରିଦେବା ଭଳି ଏହି ହତ୍ୟାକାଣ୍ଡ ପଛର କାହାଣୀ ପୁଲିସ ଅନୁସନ୍ଧାନରୁ ପଦାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ଦିଲ୍ଲୀର ତିଗଡ଼ି ଅଞ୍ଚଳରେ ରହୁଥିବା ଏହି ପରିବାର ମୂଳତଃ ଆଗ୍ରାର ବାସୌନୀର ବାସିନ୍ଦା । ପ୍ରାୟ ମାସକ ପୂର୍ବରୁ ଝିଅଟି ୪ ମାସର ଗର୍ଭବତୀ ଥିବା କଥା ବାପା ଜାଣିବାକୁ ପାଇଥିଲା । ଦିଲ୍ଲୀରେ ରହୁଥିବା ଜଣେ ଯୁବକ ସହ ଝିଅର ପ୍ରେମ ସମ୍ପର୍କ ଥିବା ବେଳେ ଏହି ଖବର ପଡ଼ୋଶୀ ଓ ଆତ୍ମୀୟସ୍ୱଜନଙ୍କ ମଧ୍ୟରେ ପ୍ରଚାରିତ ହେବାକୁ ଲାଗିଥିଲା । ସମାଜରେ ନିଜର ପ୍ରତିଷ୍ଠା ଓ ସମ୍ମାନ ହାନି ହେଉଥିବା ଭାବି ବାପା ଆପରାଧିକ ବାଟ ଆପଣାଇଥିଲା । ଗର୍ଭପାତ କରାଇଦେବା ବାହାନାରେ ଝିଅକୁ ଦିଲ୍ଲୀରୁ ଆଗ୍ରା ଆଣିବା ପରେ ନିଜର ଜ୍ୱାଇଁ ସହିତ ମିଶି ସେ ନିଜ ଝିଅକୁ ହତ୍ୟା କରିବା ପାଇଁ ସମ୍ପୂର୍ଣ୍ଣ ଚକ୍ରାନ୍ତ ରଚିଥିଲା ବୋଲି କୁହଯାଉଛି ।
ଘଟଣା ଦିନ ସକାଳେ ଝିଅକୁ ଚମ୍ବଲ ନଦୀ କୂଳକୁ ନେଇ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ କୁହାଯାଇଥିଲା, ମାତ୍ର ଝିଅ ଏଥିରେ ସଫା ସଫା ମନା କରିଦେଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ବାପା ନିଜେ ଝିଅକୁ ନଦୀ ପାଣିରେ ବୁଡ଼ାଇ ଶ୍ୱାସରୁଦ୍ଧ କରି ନିର୍ଦ୍ଦୟ ଭାବେ ହତ୍ୟା କରିଥିଲା । ହତ୍ୟା କରିସାରିବା ପରେ ଅନୁଶୋଚନା ଓ ବିଚଳିତ ମାନସିକତାରେ ବାପା ନଦୀରେ ଭାସୁଥିବା ଝିଅର ମୃତଦେହର ପାଦ ଛୁଇଁ ଭୁଲ୍ ମାଗିଥିଲା । ଏହି ହତ୍ୟାକାଣ୍ଡର ଫଟୋ ଓ ଭିଡିଓ ମୃତ ଯୁବତୀଙ୍କ ଭିଣୋଇ ନିଜ ମୋବାଇଲ୍ରେ ଉଠାଇଥିଲା, ଯେପରିକି ଏହାକୁ ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ଓ ଅନ୍ତିମ ସଂସ୍କାର ବୋଲି ଦର୍ଶାଯାଇପାରିବ ।
ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବାପା ଗାଁକୁ ଫେରି ଝିଅ ଆତ୍ମହତ୍ୟା କରିଥିବା ନେଇ ଲୋକଙ୍କୁ ମିଛ କାହାଣୀ ଶୁଣାଇବା ସହ ମୋବାଇଲ୍ରୁ ଫଟୋ ଦେଖାଇଥିଲା । ମାତ୍ର ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ସେମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସର କଠୋର ଜେରା ଆଗରେ ବାପା ନିଜର ସମସ୍ତ ଅପରାଧ ସ୍ୱୀକାର କରିଛି । ପୁଲିସ ଅଭିଯୁକ୍ତ ବାପା ଓ ଯୁବତୀଙ୍କ ଭିଣୋଇକୁ ଗିରଫ କରି ଜେଲ୍ ପଠାଇଥିବା ବେଳେ ଚମ୍ବଲ ନଦୀରେ ରେସ୍କ୍ୟୁ ଟିମ୍ ସହାୟତାରେ ଝିଅର ମୃତଦେହ ଖୋଜା ଚାଲିଛି ।

