ସୂଚନା ଅନୁସାରେ, କକ୍ରୋଚ୍ ଜନତା ପାର୍ଟି ବା ସିଜେପି ପକ୍ଷରୁ ଯନ୍ତରମନ୍ତରରେ ଆୟୋଜିତ ବିକ୍ଷୋଭକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ସୁପ୍ରିମକୋର୍ଟ ନିକଟରେ ପ୍ରତିବାଦ କରୁଥିବା ଆଇନଜୀବୀମାନଙ୍କୁ ପୁଲିସ ଉଠାଇ ନେଇଥିଲା।
ଦେଶର ରାଜଧାନୀ ଦିଲ୍ଲୀରେ ‘ଚଲୋ ଦିଲ୍ଲୀ’ ଆନ୍ଦୋଳନକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ସୁପ୍ରିମକୋର୍ଟ ନିକଟରେ ଦେଖିବାକୁ ମିଳିଛି ହାଇଭୋଲଟେଜ୍ ଡ୍ରାମା। ଶନିବାର ସୁପ୍ରିମକୋର୍ଟ ପରିସର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବହୁ ବରିଷ୍ଠ, ଯୁବ ଓ ମହିଳା ଆଇନଜୀବୀଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଘଟଣାକୁ ନେଇ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ହସ୍ତକ୍ଷେପ ଏବଂ ବାର୍ ଆସୋସିଏସନ୍ର ଉଦ୍ୟମ ପରେ ଅଟକ ଆଇନଜୀବୀମାନଙ୍କୁ ମୁକ୍ତ କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, କକ୍ରୋଚ୍ ଜନତା ପାର୍ଟି ବା ସିଜେପି ପକ୍ଷରୁ ଯନ୍ତରମନ୍ତରରେ ଆୟୋଜିତ ବିକ୍ଷୋଭକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ସୁପ୍ରିମକୋର୍ଟ ନିକଟରେ ପ୍ରତିବାଦ କରୁଥିବା ଆଇନଜୀବୀମାନଙ୍କୁ ପୁଲିସ ଉଠାଇ ନେଇଥିଲା। ଏପରିକି କେତେକ ଆଇନଜୀବୀଙ୍କୁ ସେମାନଙ୍କ ଚାମ୍ବରରୁ ଅଟକ ରଖାଯାଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା।ଘଟଣା ପରେ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ସଭାପତି ପ୍ରଦୀପ ରାୟ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ସହ ତୁରନ୍ତ ଆଇନଜୀବୀଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ସେ ନୂଆଦିଲ୍ଲୀ ଡିସିପିଙ୍କ ସହ ଆଲୋଚନା କରିବା ପରେ ଅଟକ ଆଇନଜୀବୀଙ୍କୁ ଛାଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ଅନ୍ୟପଟେ ବାର୍ ଆସୋସିଏସନ୍ ପକ୍ଷରୁ ପ୍ରଧାନ ବିଚାରପତିଙ୍କୁ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଥିଲା। ଅଟକ ଆଇନଜୀବୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ସେମାନଙ୍କୁ ଆଇନଗତ ସହାୟତା ଯୋଗାଇଦେବା ଏବଂ ପୁଲିସର କଥିତ ଅତ୍ୟଧିକ ବଳପ୍ରୟୋଗର ତଦନ୍ତ କରିବାକୁ ସଂଘ ଦାବି କରିଛି।
ସେପଟେ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ ପ୍ରକ୍ରିୟାକୁ ବିରୋଧ କରି ସିଜେପି ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୁଲିସ ମୁତୟନ ସହ ଡ୍ରୋନ୍ ଓ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। ଏହି ଘଟଣା ପରେ ଆଇନଜୀବୀଙ୍କ ସୁରକ୍ଷା, ପ୍ରତିବାଦ କରିବାର ଅଧିକାର ଏବଂ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ନୂଆ ବିତର୍କ ଆରମ୍ଭ ହୋଇଛି।

