ବହୁ ପ୍ରତୀକ୍ଷିତ ମୁହୂର୍ତ୍ତର ଅବସାନ । କୋଟି କୋଟି ଭକ୍ତଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶେଷରେ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚିଛି ।
ବହୁ ପ୍ରତୀକ୍ଷିତ ମୁହୂର୍ତ୍ତର ଅବସାନ ଘଟିଛି । କୋଟି କୋଟି ଭକ୍ତଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶେଷରେ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚିଛି । ଏହା ପୂର୍ବରୁ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା । ଏବେ ମହାପ୍ରଭୁଙ୍କ ନନ୍ଦିଘୋଷ ପହଞ୍ଚିବା ସହ ଭକ୍ତମାନଙ୍କ ଦୀର୍ଘ ଅପେକ୍ଷାର ଅନ୍ତ ଘଟିଛି । ଶରଧାବାଲି ଓ ବଡ଼ଦାଣ୍ଡରେ ‘ଜୟ ଜଗନ୍ନାଥ’ ଧ୍ୱନିରେ ସୃଷ୍ଟି ହୋଇଛି ଭକ୍ତି ଓ ଆନନ୍ଦର ଅପୂର୍ବ ପରିବେଶ । ମହାପ୍ରଭୁଙ୍କ ଏକ ଝଲକ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅଧୀର ଅପେକ୍ଷା କରିଥିଲେ ।
ନନ୍ଦିଘୋଷ ରଥ ଗୁଣ୍ଡିଚାରେ ପହଞ୍ଚିବା ମାତ୍ରେ ଭକ୍ତମାନଙ୍କ ମୁହଁରେ ଖୁସିର ଝଲକ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ଅନେକଙ୍କ ବିଶ୍ୱାସ, ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଜୀବନର ସମସ୍ତ ଦୁଃଖ, କଷ୍ଟ ଓ କ୍ଳେଶକୁ ଦୂର କରି ମନକୁ ଶାନ୍ତି ଓ ଆନନ୍ଦରେ ଭରିଦିଏ । ଭକ୍ତି, ବିଶ୍ୱାସ ଓ ଆଧ୍ୟାତ୍ମିକ ଭାବନାର ଏହି ଅଦ୍ଭୁତ ସଙ୍ଗମ ପୁଣି ଥରେ ପ୍ରମାଣ କରିଛି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ଅନନ୍ତ ଓ ଅପାର । ତାଙ୍କ ଅପୂର୍ବ ରୂପର ଦର୍ଶନ ପାଇ ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି । ସଭିଙ୍କ ତୁଣ୍ଡରେ ଏବେ ଗୋଟିଏ ଧ୍ୱନି—”ଜୟ ଜଗନ୍ନାଥ” ।

