ପାକିସ୍ତାନର ପରମାଣୁ ଧମକକୁ ଡରିବ ନାହିଁ ଭାରତ: ଜାତିସଂଘରେ ଇସଲାମାବାଦକୁ କଡ଼ା ଚେତାବନୀ

ଜେନେଭାସ୍ଥିତ ନିରସ୍ତ୍ରୀକରଣ ସମ୍ମିଳନୀରେ ଭାରତର ସ୍ଥାୟୀ ମିଶନର ବରିଷ୍ଠ ପରାମର୍ଶଦାତା ଅନମୋଲ ଶେର ସିଂହ ବେଦୀ ଏହି ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଜମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଏବଂ ଅଭିନ୍ନ ଅଙ୍ଗ। ଏହାକୁ ନେଇ ପାକିସ୍ତାନର କୌଣସି ଅଯଥା ହସ୍ତକ୍ଷେପକୁ ଭାରତ ଗ୍ରହଣ କରିବ ନାହିଁ।

ପାକିସ୍ତାନର ପରମାଣୁ ବ୍ଲାକମେଲିଂ ଆଗରେ କେବେ ମୁଣ୍ଡ ନୁଆଁଇବ ନାହିଁ ଭାରତ। ଜାତିସଂଘ ମଞ୍ଚରେ ପାକିସ୍ତାନକୁ ଏଭଳି କଡ଼ା ଚେତାବନୀ ଦେଇଛି ନୂଆଦିଲ୍ଲୀ। ଜାତିସଂଘ ସାଧାରଣ ପରିଷଦର ପ୍ରଥମ କମିଟି ବୈଠକରେ ପାକିସ୍ତାନ ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ନିଜର ‘ରାଇଟ୍ ଅଫ୍ ରିପ୍ଲାଏ’ ଅଧିକାର ବ୍ୟବହାର କରି ଏହାର ଦୃଢ଼ ଜବାବ ଦେଇଛି। ପରମାଣୁ ଅସ୍ତ୍ରକୁ ରାଷ୍ଟ୍ରନୀତି ପରିଚାଳନାର ସାଧାରଣ ଉପକରଣ ଭାବେ ବ୍ୟବହାର କରାଯିବା ଉଚିତ୍ ନୁହେଁ ବୋଲି ଭାରତ ସ୍ପଷ୍ଟ କରିଛି।

ଜେନେଭାସ୍ଥିତ ନିରସ୍ତ୍ରୀକରଣ ସମ୍ମିଳନୀରେ ଭାରତର ସ୍ଥାୟୀ ମିଶନର ବରିଷ୍ଠ ପରାମର୍ଶଦାତା ଅନମୋଲ ଶେର ସିଂହ ବେଦୀ ଏହି ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଜମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଏବଂ ଅଭିନ୍ନ ଅଙ୍ଗ। ଏହାକୁ ନେଇ ପାକିସ୍ତାନର କୌଣସି ଅଯଥା ହସ୍ତକ୍ଷେପକୁ ଭାରତ ଗ୍ରହଣ କରିବ ନାହିଁ। ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳଗୁଡ଼ିକୁ ତୁରନ୍ତ ଖାଲି କରି ଫେରାଇ ଦେବାକୁ ସେ ଦାବି କରିଛନ୍ତି। ଭାରତ ସବୁବେଳେ ଶାନ୍ତି ଓ ସ୍ଥିରତା ସପକ୍ଷରେ ରହିଆସିଛି। କୌଣସି ପଡ଼ୋଶୀ ଦେଶ ସହ ସଂଘର୍ଷ ଚାହୁଁନାହିଁ। କିନ୍ତୁ ଶାନ୍ତିର ଅର୍ଥ ଦୁର୍ବଳତା ନୁହେଁ। ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହେଲେ ଭାରତ ଉପଯୁକ୍ତ ଜବାବ ଦେବ ବୋଲି ବେଦୀ ସ୍ପଷ୍ଟ କରିଛନ୍ତି।

ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ପାକିସ୍ତାନକୁ ଚେତାବନୀ ଦେଇଛି ଭାରତ। ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀ ଓ ଏହାକୁ ପ୍ରୋତ୍ସାହନ ଦେଉଥିବା ଶକ୍ତିଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ କରାଯିବ ନାହିଁ ବୋଲି କୁହାଯାଇଛି। ଗତବର୍ଷ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ହୋଇଥିବା ‘ଅପରେସନ୍ ସିନ୍ଦୂର’ର ଉଦାହରଣ ଦେଇ ଭାରତ ନିଜର ଆତ୍ମରକ୍ଷା ଅଧିକାର ଉପରେ ଜୋର ଦେଇଛି। ପରମାଣୁ ଧମକ ଦେଇ ସୀମାପାର ଆତଙ୍କବାଦକୁ ସୁରକ୍ଷା ଯୋଗାଇବା ଆଞ୍ଚଳିକ ଶାନ୍ତି ପାଇଁ ବିପଜ୍ଜନକ ବୋଲି ଭାରତ କହିଛି। ଏଭଳି ଦାୟିତ୍ୱହୀନ ଆଚରଣ ଉତ୍ତେଜନା କମାଇବା ପରିବର୍ତ୍ତେ ସଂଘର୍ଷର ଆଶଙ୍କା ବଢ଼ାଇଥାଏ। ତେଣୁ ଶାନ୍ତି ପ୍ରତିଷ୍ଠା ପାଇଁ ଦାୟିତ୍ୱବୋଧ ଓ ଉତ୍ତରଦାୟିତ୍ୱ ଜରୁରୀ ବୋଲି ଜାତିସଂଘରେ ଭାରତ ନିଜର ସ୍ପଷ୍ଟ ଆଭିମୁଖ୍ୟ ରଖିଛି।

Leave a Reply

Your email address will not be published. Required fields are marked *