ସିରିଜ୍ ଅଳଙ୍କାର ଲୁଟ୍‌ର ପର୍ଦ୍ଦାଫାସ୍, ୨୧ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଜବତ

ବଡ଼ ଧରଣର ସିରିଜ୍ ଅଳଙ୍କାର ଲୁଟ୍ ଘଟଣାର ପର୍ଦ୍ଦାଫାସ୍ । ଗଞ୍ଜାମ ଓ ମୟୂରଭଞ୍ଜ ପୁଲିସର ମିଳିତ ଅଭିଯାନରେ ଧରାପଡ଼ିଛି ଅଳଙ୍କାର ଲୁଟେରା ଗ୍ୟାଙ୍ଗ୍ । ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା, ଯଶୀପୁର, କୋଳିଅଣା ଓ ଝାରପୋଖରିଆ ଥାନା ଅଞ୍ଚଳରେ ଘଟିଥିବା ୫ଟି ଚୋରି ଓ ଲୁଟ୍ ମାମଲାର ତଦନ୍ତ କରି ପୁଲିସ ବିପୁଳ ପରିମାଣର ଅଳଙ୍କାର ଜବତ କରିଛି ।

ବଡ଼ ଧରଣର ସିରିଜ୍ ଅଳଙ୍କାର ଲୁଟ୍ ଘଟଣାର ପର୍ଦ୍ଦାଫାସ୍ । ଗଞ୍ଜାମ ଓ ମୟୂରଭଞ୍ଜ ପୁଲିସର ମିଳିତ ଅଭିଯାନରେ ଧରାପଡ଼ିଛି ଅଳଙ୍କାର ଲୁଟେରା ଗ୍ୟାଙ୍ଗ୍ । ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା, ଯଶୀପୁର, କୋଳିଅଣା ଓ ଝାରପୋଖରିଆ ଥାନା ଅଞ୍ଚଳରେ ଘଟିଥିବା ୫ଟି ଚୋରି ଓ ଲୁଟ୍ ମାମଲାର ତଦନ୍ତ କରି ପୁଲିସ ବିପୁଳ ପରିମାଣର ଅଳଙ୍କାର ଜବତ କରିଛି ।
ପୁଲିସ ଜବତ କରିଛି ୭ କିଲୋ ୫୦୦ ଗ୍ରାମ ରୁପା ଅଳଙ୍କାର, ୬୦ ଗ୍ରାମ ସୁନା ଅଳଙ୍କାର ଏବଂ ଗୋଟିଏ ବାଇକ୍ । ଜବତ ଅଳଙ୍କାରର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ମୋରଡ଼ା ଅଞ୍ଚଳର ଏକ ସାପ୍ତାହିକ ହାଟରୁ ସୁନା ଓ ରୁପା ଅଳଙ୍କାର ବ୍ୟବସାୟୀମାନେ ଫେରୁଥିବା ସମୟରେ ରାସ୍ତାରେ ସେମାନଙ୍କୁ ଅଟକାଇ ଦୁର୍ବୃତ୍ତମାନେ ଲୁଟ୍ କରିଥିଲେ । ଗତ ଜୁଲାଇରୁ ଅଗଷ୍ଟ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏଭଳି ୫ଟି ସିରିଜ୍ ଡକାୟତି ଓ ଲୁଟ୍ ଘଟିଥିଲା । ଘଟଣାର ତଦନ୍ତ ବେଳେ ପୁଲିସ ପ୍ରଥମେ ଏକ ବାଇକ୍ ଜବତ କରିଥିଲା ।

 ଏହି ବାଇକ୍‌ର ସୂତ୍ର ଧରି ତଦନ୍ତ ଆଗକୁ ବଢ଼ିବା ପରେ ଲୁଟ୍ ଘଟଣାରେ ଗଞ୍ଜାମ ଜିଲ୍ଲାର କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲା । ଏହାପରେ ମୟୂରଭଞ୍ଜ ପୁଲିସ ପକ୍ଷରୁ ଗଞ୍ଜାମ ପୁଲିସକୁ ସୂଚନା ଦିଆଯାଇଥିଲା । ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଆସିକା ଏସ୍‌ଡିପିଓଙ୍କ ନେତୃତ୍ୱରେ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଗଞ୍ଜାମ ଓ ମୟୂରଭଞ୍ଜ ପୁଲିସର ମିଳିତ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶେଷରେ ଏ. ନରେଶ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରି ଲୁଟ୍ ଘଟଣା ସହ ଜଡ଼ିତ ଅନ୍ୟମାନଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବାକୁ ପୁଲିସ ତଦନ୍ତ ଜାରି ରଖିଛି । ଏହି ଲୁଟ୍ ଗ୍ୟାଙ୍ଗ୍‌ରେ ଆଉ କେତେଜଣ ସାମିଲ ଅଛନ୍ତି ଏବଂ ଅନ୍ୟ କେଉଁ କେଉଁ ଘଟଣାରେ ସେମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ମଧ୍ୟ ଖୋଳତାଡ଼ ଚାଲିଛି । ଗଞ୍ଜାମ-ମୟୂରଭଞ୍ଜ ପୁଲିସର ମିଳିତ ଅଭିଯାନରେ ସିରିଜ୍ ଅଳଙ୍କାର ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ହୋଇଥିବା ବେଳେ, ବାକି ଅଭିଯୁକ୍ତଙ୍କୁ ଧରିବା ସହ ଲୁଟ୍ ହୋଇଥିବା ଅନ୍ୟ ସାମଗ୍ରୀ ଜବତ ପାଇଁ ପୁଲିସର ଅଭିଯାନ ଜାରି ରହିଛି ।

Leave a Reply

Your email address will not be published. Required fields are marked *