ଲଦାଖ ପ୍ରସଙ୍ଗରେ ପୁଣି ଗର୍ଜିଲେ ୱାଙ୍ଗଚୁକ୍‌ , ୧୯ରୁ ୨୪ ଯାଏଁ ଆନ୍ଦୋଳନ ଚେତାବନୀ

ଲଦାଖର ରାଜ୍ୟ ମାନ୍ୟତା ସମେତ ବିଭିନ୍ନ ଦାବିକୁ ନେଇ ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଆସୁଛି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ଲଦାଖର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ଆଶାନୁରୂପ ସମାଧାନ ବାହାରିନଥିବା ଅଭିଯୋଗ କରିଛନ୍ତି ୱାଙ୍ଗଚୁକ୍‌ ।

ଲଦାଖର ବିଭିନ୍ନ ଦାବିକୁ ନେଇ ପୁଣି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ସୋନମ୍‌ ୱାଙ୍ଗଚୁକ୍‌ । ଲଦାଖ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକରେ କେନ୍ଦ୍ର ସରକାର ଗୋଟିଏ ସପ୍ତାହ ମଧ୍ୟରେ ଠୋସ୍‌ ପ୍ରତିଶ୍ରୁତି ନଦେଲେ ସେପ୍ଟେମ୍ବର ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ ନୂଆକରି ଆନ୍ଦୋଳନ ଆରମ୍ଭ କରିବେ ବୋଲି ୱାଙ୍ଗଚୁକ୍‌ କହିଛନ୍ତି । ଲଦାଖର ରାଜ୍ୟ ମାନ୍ୟତା ସମେତ ବିଭିନ୍ନ ଦାବିକୁ ନେଇ ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଆସୁଛି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ଲଦାଖର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ଆଶାନୁରୂପ ସମାଧାନ ବାହାରିନଥିବା ଅଭିଯୋଗ କରିଛନ୍ତି ୱାଙ୍ଗଚୁକ୍‌ ।

ବୁଧବାର ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସବ୍‌-କମିଟି ଓ ଲଦାଖର ପ୍ରମୁଖ ନେତାମାନଙ୍କ ମଧ୍ୟରେ ବୈଠକ ହୋଇଥିଲା। ତେବେ ବୈଠକରେ କୌଣସି ନୂଆ ପ୍ରଗତି ହୋଇନଥିବା ଅଭିଯୋଗ କରି ଏହାକୁ ନେଇ ନିରାଶା ପ୍ରକାଶ କରିଛନ୍ତି ୱାଙ୍ଗଚୁକ୍‌ । ବୈଠକକୁ କଟାକ୍ଷ କରି ସେ ଲୋକପ୍ରିୟ ହାସ୍ୟାଭିନେତା ଜସପାଲ ଭଟ୍ଟିଙ୍କ ଏକ ପୁରୁଣା ଶୋ’ର କ୍ଲିପ୍‌ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ। ଆଲୋଚନାରେ କୌଣସି ଠୋସ୍‌ ନିଷ୍ପତ୍ତି ହୋଇନଥିବା ଦର୍ଶାଇବା ପାଇଁ ସେ ଏହି କ୍ଲିପ୍‌ ବ୍ୟବହାର କରିଥିବା କୁହାଯାଉଛି ।

ଲଦାଖର ଦାବିକୁ ନେଇ ପୂର୍ବରୁ ମଧ୍ୟ ୱାଙ୍ଗଚୁକ୍‌ ଆନ୍ଦୋଳନ କରିଛନ୍ତି । ଗତବର୍ଷ ସେପ୍ଟେମ୍ବରରେ ଲଦାଖରେ ଆନ୍ଦୋଳନ ହିଂସାତ୍ମକ ରୂପ ନେବା ପରେ ତାଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ଅଧୀନରେ ଗିରଫ କରାଯାଇଥିଲା। ପରେ ସେ ପ୍ରାୟ ଛଅ ମାସ ଯୋଧପୁର ଜେଲ୍‌ରେ ରହିଥିଲେ ଏବଂ ମାର୍ଚ୍ଚ ୨୦୨୬ରେ ମୁକ୍ତ ହୋଇଥିଲେ । ଗତବର୍ଷ ଲଦାଖ ପାଇଁ ରାଜ୍ୟ ମାନ୍ୟତା ଦାବିକୁ ନେଇ ହୋଇଥିବା ଆନ୍ଦୋଳନ ସମୟରେ ହିଂସା ଘଟିଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ । ଏବେ ପୁଣି ଆନ୍ଦୋଳନର ଚେତାବନୀ ଦିଆଯାଇଥିବାରୁ ଲଦାଖ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି ।

Leave a Reply

Your email address will not be published. Required fields are marked *