ଲଗାଣ ବର୍ଷାରେ ୬ ଜିଲ୍ଲା ପ୍ରଭାବିତ, ୮ ହଜାରରୁ ଅଧିକ ସ୍ଥାନାନ୍ତର; ୫ ଅଫିସରଙ୍କୁ ଫିଲ୍ଡକୁ ପଠାଇଲେ ସରକାର

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ୬ଟି ଜିଲ୍ଲା କୋରାପୁଟ, ଗଞ୍ଜାମ, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ବିଶେଷ ଭାବରେ ପ୍ରଭାବିତ ହୋଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ୬ଟି ଜିଲ୍ଲା କୋରାପୁଟ, ଗଞ୍ଜାମ, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ବିଶେଷ ଭାବରେ ପ୍ରଭାବିତ ହୋଇଛି । ସ୍ଥିତି ଅନୁଧ୍ୟାନ ପାଇଁ ଗତକାଲି ଦୁଇଜଣ ମନ୍ତ୍ରୀଙ୍କୁ ପ୍ରଭାବିତ ଜିଲ୍ଲାକୁ ପଠାଯାଇଥିବା ବେଳେ ଏବେ ୫ ଜଣ ଅଫିସରଙ୍କୁ ମଧ୍ୟ ଫିଲ୍ଡକୁ ପଠାଇଛନ୍ତି ସରକାର ।

ଗଜପତି ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଗଜପତିର କେତେକ ସ୍ଥାନରେ ଯୋଗାଯୋଗ ସମସ୍ୟା ଦେଖାଦେଇଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବାରୁ ରାସ୍ତା ପାର୍ଶ୍ୱ ପାହାଡ଼ ଅଞ୍ଚଳ ଉପରେ ନଜର ରଖାଯାଇଛି । ଆବଶ୍ୟକ ସ୍ଥାନରେ କର୍ମଚାରୀ ମୁତୟନ ସହ ବ୍ୟାରିକେଡ୍ କରାଯାଇଛି । ମାଲକାନଗିରିର କିଛି ଅଞ୍ଚଳରେ ରାସ୍ତା ଉପରେ ପାଣି ଚାଲୁଛି । ପୂର୍ବରୁ ପାଣି ଯାଉଥିବା ରାସ୍ତା ଓ ପୋଲଗୁଡ଼ିକୁ ଉଚ୍ଚା କରିବା କାମ ଚାଲିଛି। ରାସ୍ତାରେ ଅଟକିଥିବା ଲୋକ, ରୋଗୀ ଓ ଗାଡ଼ିଚାଳକଙ୍କ ପାଇଁ ଖାଦ୍ୟ, ପାନୀୟ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି ।

ସରକାରଙ୍କ ତଥ୍ୟ ଅନୁସାରେ, ୬ଟି ଜିଲ୍ଲାର ୩୭ଟି ବ୍ଲକ୍, ୧୨୭ଟି ଗ୍ରାମ ପଞ୍ଚାୟତ ଓ ୨୭୩ଟି ଗାଁ ପ୍ରଭାବିତ ହୋଇଛି । ୫ଟି ଅର୍ବାନ୍ ଲୋକାଲ୍ ବଡିର ୨୦ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି । ମୋଟ ୮,୨୦୫ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୮,୦୮୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ସମ୍ଭାବ୍ୟ ବିପଦପ୍ରବଣ ଅଞ୍ଚଳରୁ ଆବଶ୍ୟକ ହେଲେ ତୁରନ୍ତ ଲୋକଙ୍କୁ ସ୍ଥାନାନ୍ତର, ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ୩୩ଟି ଓଡ୍ରାଫ୍‌ ଟିମ୍‌ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ମୁତୟନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *