ଆମେରିକାର ଇରାନର ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ପରେ ଭୟଙ୍କର ଜବାବ ଦେଇଛି ଇରାନ । ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ବା ଆଇଆରଜିସି ଦାବି କରିଛି ଯେ, ଗୋଟିଏ ଦିନରେ ଆମେରିକାର ୧୦ଟି ଜାହାଜ ଉପରେ ଆକ୍ରମଣ କରିଛନ୍ତି ।
ଆମେରିକା ଓ ଇରାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଏବେ ଚରମ ସୀମାରେ ପହଞ୍ଚିଛି । ଆମେରିକାର ଇରାନର ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ପରେ ଭୟଙ୍କର ଜବାବ ଦେଇଛି ଇରାନ । ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ବା ଆଇଆରଜିସି ଦାବି କରିଛି ଯେ, ଗୋଟିଏ ଦିନରେ ଆମେରିକାର ୧୦ଟି ଜାହାଜ ଉପରେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ୨ଟି ଆମେରିକୀୟ ଜାହାଜ ଏବଂ ୮ଟି ତେଲ ଟ୍ୟାଙ୍କର ସାମିଲ ରହିଛି । ଆମେରିକା ପକ୍ଷରୁ ୫ଟି ଇରାନୀ ତୈଳ ଟ୍ୟାଙ୍କର ଉପରେ ହୋଇଥିବା ଆକ୍ରମଣର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆଇଆରଜିସି ପକ୍ଷରୁ କୁହାଯାଇଛି । ଆଇଆରଜିସି ଆହୁରି ଦାବି କରିଛି ଯେ, ଯେଉଁ ଜାହାଜଗୁଡ଼ିକ ହର୍ମୁଜ ପ୍ରଣାଳୀ ପାଇଁ ‘ପ୍ରତିବନ୍ଧିତ ଓ ଅସୁରକ୍ଷିତ’ ସାଜୁଥିଲେ, ସେସବୁକୁ ଟାର୍ଗେଟ କରାଯାଇଛି ।
ପୂର୍ବରୁ ଇରାନର ପାଞ୍ଚଟି ତୈଳ ଟ୍ୟାଙ୍କରକୁ ଟାର୍ଗେଟ୍ କରି ଧ୍ବଂସ କରିଦେଇଥିଲା ଆମେରିକା । ଓମାନରେ ଥିବା ଚାରୋଟି ତୈଳ ଟ୍ୟାଙ୍କରକୁ ଟାର୍ଗେଟ୍ କରିଥିଲା ଆମେରିକା । ଏଥିରେ ଏମଟି କାଭିଜ, ଏମଟି ଚାର୍ମିନାର, ଏମଟି ହୋରିଜନ୍ ଏବଂ ଏମଟି ରିସ୍କୋ । ସେହିପରି ପଞ୍ଚମ ତୈଳ ଟ୍ୟାଙ୍କର ହେଉଛି ଇରାନର ଖାର୍ଗ ଦ୍ବିପରେ ଥିବା ଏମଟି ଦେରିୟା । ଆକ୍ରମଣ ପୂର୍ବରୁ ଜାହାଜର କ୍ରୁ ସଦସ୍ୟଙ୍କୁ ବାହାରକୁ ଆସିବା ପାଇଁ କୁହାଯାଇଥିଲା। ଯାହା ପରେ ଟ୍ୟାଙ୍କର ଉପରେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ଏସବୁ ଜାହାଜ ଏବେ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି । ଧ୍ବଂସ ହୋଇଥିବା ତୈଳ ଟ୍ୟାଙ୍କରଗୁଡ଼ିକ ଇରାନର ସବୁଠାରୁ ବଡ଼ ତୈଳ ନେଟୱର୍କ ବୋଲି ସେଣ୍ଟକମ୍ ଦାବି କରିଛି । ଏହି ତୈଳ ଟ୍ୟାଙ୍କରରୁ ଇରାନ କୋଟି କୋଟି ଡଲାରର ଆୟ କରିଆସୁଛି । ଏହି ଅର୍ଥଦ୍ବାରା ଆଇଆରଜିସି ଏବଂ ତା’ର ସହଯୋଗୀ ସଂଗଠନକୁ ସହାୟତା ମିଳିଥାଏ । ସେଥିପାଇଁ ଆମେରିକା ଏସବୁ ଜାହାଜକୁ ଟାର୍ଗେଟ୍ କରିଥିବା କହିଛି । ଏବେ ଇରାନର ପ୍ରତି ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଅଧିକ ତେଜିବାରେ ଲାଗିଛି । ଆଗକୁ ଏହା ଆହୁରି ଭୟଙ୍କର ହେବାର ସମ୍ଭାବନା ରହିଛି ।

