ଭୁବନେଶ୍ୱର ବିମାନବନ୍ଦରରୁ ଏବେ କୌଣସି ସିଧାସଳଖ ବିଦେଶୀ ବିମାନ ନାହିଁ। ଘରୋଇ ରୁଟ୍ ମଧ୍ୟ ୩୩ରୁ ୧୯କୁ ହ୍ରାସ ପାଇଛି। ତେବେ ଅକ୍ଟୋବର ୧ରୁ ଭୁବନେଶ୍ୱର-ବ୍ୟାଙ୍କକ ସିଧା ବିମାନ ଆରମ୍ଭ ହେବାର ଯୋଜନା ରହିଛି।
ରାଜ୍ୟର ପ୍ରମୁଖ ବିମାନ ଦ୍ୱାର ଭାବେ ପରିଚିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବର୍ତ୍ତମାନ କୌଣସି ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁନାହିଁ । ଏନେଇ ଗୁରୁବାର ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ୨୦୨୫ରେ ଭୁବନେଶ୍ୱର ବିମାନବନ୍ଦରରୁ ୩୩ଟି ଘରୋଇ ଗନ୍ତବ୍ୟସ୍ଥଳକୁ ବିମାନ ସଂଯୋଗ ଥିବାବେଳେ ୨୦୨୬ରେ ଏହା ୧୯ଟିକୁ ହ୍ରାସ ପାଇଛି । ବିଭିନ୍ନ ସମୟରେ ଇନ୍ଦୋର, ଦେହରାଦୁନ, କୋଚି, ପୁଣେ ଓ ଗୋଆ ଭଳି ଘରୋଇ ରୁଟ୍ରେ ସେବା ବନ୍ଦ ହୋଇଥିବା ରିପୋର୍ଟ ହୋଇଛି ।
ଅନ୍ତର୍ଜାତୀୟ ସଂଯୋଗରେ ମଧ୍ୟ ବଡ଼ ପରିବର୍ତ୍ତନ ଘଟିଛି । ପୂର୍ବରୁ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର, ଆବୁଧାବି ଓ ବ୍ୟାଙ୍କକ ଭଳି ଗନ୍ତବ୍ୟକୁ ସିଧାସଳଖ ବିମାନ ଥିଲା । ଦୁବାଇ ଓ ସିଙ୍ଗାପୁର ସେବା ଯାତ୍ରୀ ଚାହିଦା କମିବା ଏବଂ ବାଣିଜ୍ୟିକ ଭାବେ ରୁଟ୍ଗୁଡ଼ିକର ଚାପ ଯୋଗୁଁ ବନ୍ଦ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଆବୁଧାବି ସେବା ମଧ୍ୟ ପ୍ରତ୍ୟାହାର ହୋଇଛି । ସେବା ବନ୍ଦ ହେବା ପଛରେ କେବଳ ଗୋଟିଏ କାରଣ ନୁହେଁ । ଏୟାରଲାଇନ୍ଗୁଡ଼ିକର ବ୍ୟବସାୟିକ ଲାଭ-କ୍ଷତି, ଯାତ୍ରୀ ଚାହିଦା, କମ୍ ଯାତ୍ରୀ ଭର୍ତ୍ତି ହାର, ଅପରେସନାଲ୍ ସମସ୍ୟା ଓ ଋତୁଭିତ୍ତିକ ଚାହିଦା ଭଳି କାରଣ ଏଥିରେ ପ୍ରଭାବ ପକାଇଛି। ଦୁବାଇ ଓ ସିଙ୍ଗାପୁର ରୁଟ୍କୁ ଜାରି ରଖିବା ପାଇଁ ରାଜ୍ୟ ସରକାର ଭିଜିଏଫ୍ ସହାୟତା ମଧ୍ୟ ଦେଇଥିଲେ ।
ଏବେ ଇଣ୍ଡିଗୋ ଭୁବନେଶ୍ୱର ବ୍ୟାଙ୍କକ ସିଧାସଳଖ ବିମାନ ଆରମ୍ଭ କରିବା ଯୋଜନା କରୁଛି । ମନ୍ତ୍ରୀଙ୍କ କହିବା ଅନୁସାରେ ଏହା ୧ ଅକ୍ଟୋବର ୨୦୨୬ରୁ ଆରମ୍ଭ ହେବାର ଯୋଜନା ରହିଛି । ସେପଟେ ବିମାନ ରୁଟ୍ ସୂଚନା ଦେଖାଉଥିବା ଏକ ତଥ୍ୟରେ ବ୍ୟାଙ୍କକ ସେବା ଅକ୍ଟୋବରରୁ ଆରମ୍ଭ ହେବା ଦର୍ଶାଯାଇଛି ।
ଭୁବନେଶ୍ୱରର ସିଧାସଳଖ ବିଦେଶୀ ଉଡ଼ାଣ ହ୍ରାସ ପାଇବା ଫଳରେ ଓଡ଼ିଶାର ପର୍ଯ୍ୟଟନ, ବ୍ୟବସାୟ, ନିବେଶ ଓ ବିଦେଶରେ ରହୁଥିବା ଓଡ଼ିଆଙ୍କ ଯାତାୟାତ ଉପରେ ପ୍ରଭାବ ପଡ଼ିବା ନେଇ ପର୍ଯ୍ୟଟନ ଓ ବିମାନ ଶିଳ୍ପ ସହ ଜଡ଼ିତ ମହଲରେ ଚିନ୍ତା ପ୍ରକାଶ ପାଇଛି ।

