ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀରେ ଦିନକୁ ଦିନ ବଢ଼ୁଛି ସମୁଦ୍ର କୂଳ କ୍ଷୟର ଭୟ । ପୁଣି ଥରେ କୂଳ ଲଙ୍ଘି ଗାଁ ଆଡ଼କୁ ମାଡ଼ି ଆସିଛି ସମୁଦ୍ର।
ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀରେ ଦିନକୁ ଦିନ ବଢ଼ୁଛି ସମୁଦ୍ର କୂଳ କ୍ଷୟର ଭୟ । ପୁଣି ଥରେ କୂଳ ଲଙ୍ଘି ଗାଁ ଆଡ଼କୁ ମାଡ଼ି ଆସିଛି ସମୁଦ୍ର। ସମୁଦ୍ର ଗର୍ଭରେ ରାସ୍ତା ଓ ଗଙ୍ଗାଦେବୀ ମନ୍ଦିର ଲୀନ ହୋଇଯିବା ପରେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ । ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗାଁରେ ସମୁଦ୍ର କୂଳ କ୍ଷୟ ଏବେ ଗମ୍ଭୀର ସମସ୍ୟା ପାଲଟିଛି । ଯେଉଁ ସମୁଦ୍ର ଦିନେ ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିଲା, ଏବେ ସେହି ସମୁଦ୍ର ଗାଁର ଶେଷ ଭାଗଠାରୁ ମାତ୍ର ୫୦ ମିଟର ଦୂରରେ ପହଞ୍ଚିଛି । ସମୁଦ୍ର ଜୁଆରରେ ଗାଁର ରାସ୍ତା, କୋଠ ଘର ଓ ଗଙ୍ଗାଦେବୀ ମନ୍ଦିର ଭଳି ଅନେକ ସ୍ଥାନ କ୍ଷତିଗ୍ରସ୍ତ ହୋଇଛି ।
ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବଢ଼ିଛି ଭୟ । ଯଦି ଶୀଘ୍ର ସ୍ଥାୟୀ ପ୍ରତିକାର ନ ହୁଏ, ତେବେ ଦିନେ ଆର୍ଯ୍ୟପଲ୍ଲୀ ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ଲୋକେ ଆଶଙ୍କା କରୁଛନ୍ତି । ସ୍ଥାନୀୟ ଲୋକେ ଦୀର୍ଘ ଦିନ ଧରି ସମୁଦ୍ର କୂଳ ସୁରକ୍ଷା ପାଇଁ ଦାବି କରିଆସୁଛନ୍ତି । ବିଶେଷ କରି ଗାର୍ଡ ୱାଲ ନିର୍ମାଣ କରି ସ୍ଥାୟୀ ସମାଧାନ କରିବାକୁ ଦାବି ହୋଇଛି । ଏହି ସମସ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ପାଇଁ ବୈଠକ ଡାକାଯାଇଛି । ଏବେ ସମସ୍ତଙ୍କ ନଜର ରହିଛି ପ୍ରଶାସନର ପଦକ୍ଷେପ ଉପରେ ।

