କକ୍ରୋଚ ଜନତା ପାର୍ଟି ନେତୃତ୍ୱରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଛାତ୍ରଙ୍କ ପ୍ରତିବାଦ ସମୟରେ ଆହତ ହୋଇଥିବା ଦିଲ୍ଲୀ ପୁଲିସ କର୍ମଚାରୀଙ୍କ ପରିବାରର ସଦସ୍ୟମାନେ ପ୍ରତିବାଦ ସମୟରେ ପୁଲିସ ବାହିନୀର କାର୍ଯ୍ୟ ପାଇଁ ସେମାନଙ୍କୁ ନିନ୍ଦା କରିବା ବନ୍ଦ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
କକ୍ରୋଚ ଜନତା ପାର୍ଟି ନେତୃତ୍ୱରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଛାତ୍ରଙ୍କ ପ୍ରତିବାଦ ସମୟରେ ଆହତ ହୋଇଥିବା ଦିଲ୍ଲୀ ପୁଲିସ କର୍ମଚାରୀଙ୍କ ପରିବାରର ସଦସ୍ୟମାନେ ପ୍ରତିବାଦ ସମୟରେ ପୁଲିସ ବାହିନୀର କାର୍ଯ୍ୟ ପାଇଁ ସେମାନଙ୍କୁ ନିନ୍ଦା କରିବା ବନ୍ଦ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଦିଲ୍ଲୀରେ ସମ୍ପ୍ରତି ଛାତ୍ର ପ୍ରତିବାଦ ସମୟରେ ଆହତ ହୋଇଥିବା ଦିଲ୍ଲୀ ପୁଲିସ କର୍ମଚାରୀଙ୍କ ପରିବାର ଶୁକ୍ରବାର ଦିନ ଦାବି କରିଛନ୍ତି ଯେ, ଆନ୍ଦୋଳନ ସମୟରେ ପୁଲିସ ଅଧିକାରୀମାନେ ପ୍ରବଳ ହିଂସାର ଶିକାର ହୋଇଥିଲେ । ସେମାନେ କହିଛନ୍ତି ଯେ, ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିଲେ ମଧ୍ୟ ସେମାନଙ୍କ ସ୍ଥିତିକୁ କେହି ଗୁରୁତ୍ବ ଦେଉନାହାନ୍ତି ।
ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୀଡ଼ିତ ପୁଲିସ କର୍ମଚାରୀଙ୍କ ପରିବାରର ସଦସ୍ୟମାନେ ପୁଲିସ ଉପରେ ହୋଇଥିବା ଆକ୍ରମଣର ଭିଡିଓ ଉପସ୍ଥାପନ କରିଛନ୍ତି । ସେମାନେ କହିଥିଲେ ଯେ, ଛାତ୍ରଙ୍କ ପ୍ରତିବାଦ ଚାଲିଥିବାବେଳେ ଅନେକ ଅସାମାଜିକ ଲୋକ ସେଠାକୁ ପ୍ରବେଶ କରିଆସିଥିଲେ । ସେମାନଙ୍କ ଆକ୍ରମଣରେ ଅନେକ ପୁଲିସ ଅଧିକାରୀ ଗୁରୁତର ହୋଇଥିବାବେଳେ ସେମାନଙ୍କର ଏବେବି ଚିକିତ୍ସା ଚାଲିଛି । ପୁଲିସ କର୍ମଚାରୀଙ୍କ ପରିବାର ମଧ୍ୟ ସେମାନଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି । ପରିବାରବର୍ଗ ଯୁକ୍ତି ଦେଇଥିଲେ ଯେ, ଛାତ୍ରମାନଙ୍କ ଉପରେ ପୁଲିସର ଅତ୍ୟାଚାର ଅଭିଯୋଗ ଦ୍ୱାରା ସେମାନଙ୍କ ଦୁଃଖ ଢାଙ୍କି ହୋଇଯାଇଛି । ସେମାନେ ପୁଲିସ କର୍ମଚାରୀଙ୍କୁ ନିନ୍ଦା କରିବା ବନ୍ଦ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।
ପ୍ରତିବାଦ ସମୟରେ ଆହତ ହୋଇଥିବା ଦିଲ୍ଲୀ ପୁଲିସର ଜଣେ ସବ୍ ଇନ୍ସପେକ୍ଟରଙ୍କ ଝିଅ ଦାବି କରିଛନ୍ତି ଯେ, ତାଙ୍କ ବାପାଙ୍କୁ ପ୍ରତିବାଦକାରୀ ପିଟିପିଟି ଅଧମରା କରି ଦେଇଥିଲେ । ସେ ବହୁ ସମୟ ଧରି ଚେତାଶୂନ୍ୟ ହୋଇଯାଇଥିଲେ। ଏହା ପରିବାରକୁ ଗଭୀର ଆଘାତ ଦେଇଛି । ଦିଲ୍ଲୀ ପୁଲିସର ଅନ୍ୟ ଜଣେ ଆସିଷ୍ଟାଣ୍ଟ ସବ-ଇନସ୍ପେକ୍ଟରଙ୍କ ପତ୍ନୀ ସୀମା କହିଛନ୍ତି ଯେ, ତାଙ୍କ ସ୍ୱାମୀ କନଷ୍ଟେବଳ ଭାବରେ ପୁଲିସରେ ଯୋଗ ଦେଇଥିଲେ ଓ ୩୩ ବର୍ଷ ଧରି ସେବା କରି ଆସୁଛନ୍ତି । ଜୁଲାଇ ୨୦ ତାରିଖରେ ସଂସଦ ଅଭିମୁଖେ ସିଜେପିର ପଦଯାତ୍ରା ସମୟରେ ପଥର ମାଡ଼ ହେବା ପରେ ସେ ଗଭୀର ଆହତ ହୋଇଥିଲେ । ଆକ୍ରମଣ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ଦାବି କରିଛନ୍ତି। ସାଂସଦମାନଙ୍କୁ ନିବେଦନ କରି ପୁଲିସ କର୍ମଚାରୀଙ୍କ ପରିବାର ଲୋକ ପୁଲିସ କର୍ମଚାରୀ ଓ ସେମାନଙ୍କ ପରିବାରର ଅଧିକାର ଓ କଲ୍ୟାଣ ବିଷୟରେ ବିଚାର କରିବାକୁ ଅନୁରୋଧ କରିଥିଲେ । ଛାତ୍ର ପ୍ରତିବାଦ ସମୟରେ ପୁଲିସର ଅତ୍ୟାଚାର ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଉତ୍ତର ଦାବି କରୁଛନ୍ତି ।

