ବଲିଉଡ୍ ଅଭିନେତା ଅକ୍ଷୟ ଖନ୍ନାଙ୍କ ନୂଆ ଅବତାର ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ । ଫିଲ୍ମ ‘ମହାକାଳୀ’ରେ ସେ ନଜର ଆସିବେ ଅସୁରମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ଭୂମିକାରେ।
ବଲିଉଡ୍ ଅଭିନେତା ଅକ୍ଷୟ ଖନ୍ନାଙ୍କ ନୂଆ ଅବତାର ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ । ଫିଲ୍ମ ‘ମହାକାଳୀ’ରେ ସେ ନଜର ଆସିବେ ଅସୁରମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ଭୂମିକାରେ। ତାଙ୍କର ଫର୍ଷ୍ଟ ଲୁକ୍ ସାମ୍ନାକୁ ଆସିବା ପରେ ଫ୍ୟାନ୍ସଙ୍କ ଉତ୍ସାହ ବଢ଼ିଯାଇଛି । କିନ୍ତୁ ଶୁକ୍ରାଚାର୍ଯ୍ୟ କେବଳ ପୁରାଣର ଜଣେ ଗୁରୁ ନୁହନ୍ତି। ତାଙ୍କ କାହାଣୀରେ ରହିଛି ପ୍ରତିଶୋଧ, ଜ୍ଞାନ, ରାଜନୀତି, ତପସ୍ୟା, ମୃତ୍ୟୁକୁ ପରାଜିତ କରିବାର ଶକ୍ତି ଏବଂ ଜଣେ ଗୁରୁ ଓ ପିତାଙ୍କ ଭାବନା। ତେବେ କିଏ ଏହି ଶୁକ୍ରାଚାର୍ଯ୍ୟ? ଆସନ୍ତୁ ଜାଣିବା ।
କିଏ ଥିଲେ ଶୁକ୍ରାଚାର୍ଯ୍ୟ?
ପୁରାଣ ଅନୁସାରେ ଶୁକ୍ରାଚାର୍ଯ୍ୟଙ୍କ ନାମ ଥିଲା ଉଶନା । ସେ ଋଷି ଭୃଗୁ ଓ କାବ୍ୟାଙ୍କ ପୁତ୍ର। ଛୋଟବେଳୁ ସେ ଅତ୍ୟନ୍ତ ପ୍ରତିଭାଶାଳୀ ଥିଲେ । ଅଙ୍ଗିରାସ ଋଷିଙ୍କ ଆଶ୍ରମରେ ସେ ବୃହସ୍ପତିଙ୍କ ସହ ଶିକ୍ଷା ଗ୍ରହଣ କରିଥିଲେ । କିନ୍ତୁ ଉଶନାଙ୍କୁ ଲାଗୁଥିଲା ଯେ ବୃହସ୍ପତି ଗୁରୁଙ୍କ ପୁଅ ହୋଇଥିବାରୁ ତାଙ୍କୁ ଅଧିକ ଗୁରୁତ୍ୱ ମିଳୁଛି । ପରେ ଦେବତାମାନେ ଯେତେବେଳେ ନିଜ ଗୁରୁ ଚୟନ କଲେ, ବୃହସ୍ପତିଙ୍କୁ ଚୟନ କରାଗଲା। ଏହା ଉଶନାଙ୍କ ପାଇଁ ଏକ ବଡ଼ ଆଘାତ ଥିଲା ।
ଦେବତାଙ୍କ ବିରୋଧରେ ଅସୁରଙ୍କ ଗୁରୁ
ଏହା ପରେ ଉଶନା ସ୍ୱର୍ଗଲୋକ ଛାଡ଼ି ଅସୁରମାନଙ୍କ ସହ ଯୋଗ ଦେଲେ। ଆଉ ଧୀରେ ଧୀରେ ସେ ହେଲେ ଅସୁରମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ । କିନ୍ତୁ ତାଙ୍କ ପାଇଁ ଦେବତା ଓ ଅସୁରଙ୍କ ଲଢ଼େଇ କେବଳ ଭଲ ଓ ମନ୍ଦର ଲଢ଼େଇ ନଥିଲା । ଶୁକ୍ରାଚାର୍ଯ୍ୟ ଦେଖିଥିଲେ ଦେବତାଙ୍କ ପାଖରେ ଅମୃତ ଅଛି, କିନ୍ତୁ ଅସୁରମାନଙ୍କ ପାଖରେ ମୃତ୍ୟୁକୁ ରୋକିବାର କୌଣସି ଉପାୟ ନାହିଁ । ତେଣୁ ସେ ଅସୁରମାନଙ୍କୁ କେବଳ ଯୁଦ୍ଧ ନୁହେଁ, ରଣନୀତି, ଧୈର୍ଯ୍ୟ ଓ ରାଜନୈତିକ ବୁଦ୍ଧି ଶିଖାଇଥିଲେ ।
ସଞ୍ଜୀବନୀ ବିଦ୍ୟା—ମୃତ୍ୟୁକୁ ମାତ୍ ଦେବାର ଶକ୍ତି
ଶୁକ୍ରାଚାର୍ଯ୍ୟଙ୍କ ସବୁଠାରୁ ବଡ଼ ପରିଚୟ ହେଉଛି ସଞ୍ଜୀବନୀ ବିଦ୍ୟା ।କଠୋର ତପସ୍ୟା କରି ସେ ଭଗବାନ ଶିବଙ୍କଠାରୁ ଏହି ଅଦ୍ଭୁତ ବିଦ୍ୟା ପାଇଥିବା ପୁରାଣରେ ବର୍ଣ୍ଣନା ରହିଛି । ଏହି ବିଦ୍ୟା ଦ୍ୱାରା ମୃତ ବ୍ୟକ୍ତିଙ୍କୁ ପୁଣି ଜୀବନ ଦିଆଯାଇପାରୁଥିଲା। ଏହା ପରେ ଦେବତା ଓ ଅସୁରଙ୍କ ଯୁଦ୍ଧର ସମୀକରଣ ହିଁ ବଦଳିଗଲା। ଦେବତାଙ୍କ ପାଖରେ ଅମୃତ ଥିଲା, ଆଉ ଅସୁରଙ୍କ ପାଖରେ ଥିଲେ ଶୁକ୍ରାଚାର୍ଯ୍ୟ ।
କଚ ଓ ଦେବଯାନୀଙ୍କ କାହାଣୀ
ଶୁକ୍ରାଚାର୍ଯ୍ୟଙ୍କ ଜୀବନର ସବୁଠାରୁ ରୋଚକ ଅଧ୍ୟାୟ ହେଉଛି କଚ ଓ ଦେବଯାନୀଙ୍କ କାହାଣୀ ।କଚ ଥିଲେ ତାଙ୍କ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ବୃହସ୍ପତିଙ୍କ ପୁଅ। ସଞ୍ଜୀବନୀ ବିଦ୍ୟା ଶିଖିବା ପାଇଁ କଚ ଶୁକ୍ରାଚାର୍ଯ୍ୟଙ୍କ ଶିଷ୍ୟ ହୋଇଥିଲେ । ଅସୁରମାନେ କଚଙ୍କୁ ବାରମ୍ବାର ହତ୍ୟା କରିଥିଲେ, ଆଉ ଶୁକ୍ରାଚାର୍ଯ୍ୟ ତାଙ୍କୁ ପୁଣି ପୁଣି ଜୀବନ ଦେଇଥିଲେ।
ଏପରିକି ଥରେ କଚଙ୍କୁ ହତ୍ୟା କରି ତାଙ୍କ ଶରୀରର ପାଉଁଶ ଶୁକ୍ରାଚାର୍ଯ୍ୟଙ୍କ ଖାଦ୍ୟରେ ମିଶାଇ ଦିଆଯାଇଥିଲା। ଏବେ ଗୁରୁଙ୍କ ସାମ୍ନାରେ ଥିଲା ଅସମ୍ଭବ ପରିସ୍ଥିତି—ଶିଷ୍ୟକୁ ବଞ୍ଚାଇଲେ ନିଜ ଜୀବନ ବିପଦରେ, ନବଞ୍ଚାଇଲେ ଶିଷ୍ୟର ମୃତ୍ୟୁ। କିନ୍ତୁ ଶୁକ୍ରାଚାର୍ଯ୍ୟ ନିଜ ଶିଷ୍ୟଙ୍କୁ ବଞ୍ଚାଇବାକୁ ନିଷ୍ପତ୍ତି ନେଲେ।
ତେବେ ଅକ୍ଷୟ ଖନ୍ନା କାହିଁକି ଫିଟ୍?
ଏହି ଜଟିଳ ଚରିତ୍ରକୁ ପରଦାରେ ଜୀବନ୍ତ କରିବେ ଅକ୍ଷୟ ଖନ୍ନା । ଲମ୍ବା ଦାଢ଼ି, ଜଟା ଏବଂ ପାରମ୍ପରିକ ପୋଷାକରେ ତାଙ୍କ ଲୁକ୍ ସାମ୍ନାକୁ ଆସିବା ପରେ ଫ୍ୟାନ୍ସଙ୍କ ଉତ୍ସାହ ବଢ଼ିଛି । ଶୁକ୍ରାଚାର୍ଯ୍ୟଙ୍କ ଚରିତ୍ରରେ ରହିଛି ଜ୍ଞାନ, ବିଦ୍ରୋହ, ରଣନୀତି, ଶକ୍ତି, ଭାବନା ଏବଂ ନୈତିକ ଦ୍ୱନ୍ଦ୍ୱ । ତେଣୁ ଏହା କେବଳ ଜଣେ ‘ଖଳନାୟକ’ଙ୍କ କାହାଣୀ ନୁହେଁ । ଅର୍ଥାତ୍, ଶୁକ୍ରାଚାର୍ଯ୍ୟ ଏମିତି ଜଣେ ପୁରାଣ ଚରିତ୍ର, ଯିଏ ଦେବତାଙ୍କ ବିରୋଧରେ ଠିଆ ହୋଇଥିଲେ, କିନ୍ତୁ ନିଜେ ମଧ୍ୟ ଶକ୍ତିର ସୀମା ଓ ତାହାର ପରିଣାମକୁ ବୁଝିଥିଲେ । ଆଉ ଏହି ଜଟିଳ ଚରିତ୍ରକୁ ଅକ୍ଷୟ ଖନ୍ନା କିପରି ପରଦାରେ ଫୁଟାଇବେ, ତାହା ହିଁ ‘ମହାକାଳୀ’କୁ ନେଇ ସବୁଠାରୁ ବଡ଼ ଉତ୍ସୁକତା ।

