ଆଜି ଅକ୍ଟୋବର ୭, ଏହି ଦିନ ଭି. ତେଜାଙ୍କ ୩୧ତମ ଜନ୍ମଦିନ ହୋଇଥାନ୍ତା । କିନ୍ତୁ ଜନ୍ମଦିନରେ ଘରକୁ ଫେରିଲା ତାଙ୍କ ମରଶରୀର । ଯେଉଁ ଘରେ ବିବାହ ପାଇଁ ଖୁସିର ପ୍ରସ୍ତୁତି ଚାଲିଥିଲା, ସେହି ଘରେ ଆଜି ଶୋକର ଛାୟା।
ଘରେ ବାଜିଥାନ୍ତା ଶାହାନାଇ , ଅଗଣିତ ସ୍ୱପ୍ନ ନେଇ ବର ସାଜିଥାନ୍ତେ ତେଜା । ପରିବାରରେ ଚାଲିଥିଲା ବିବାହ ପ୍ରସ୍ତୁତି। କନିଆଁ ଅପେକ୍ଷା କରିଥିଲା ଡିସେମ୍ବର ୧୦ ତାରିଖକୁ । ଦେଶ ସେବାରେ ଥିବା ପୁଅ ଛୁଟି ନେଇ ଘରକୁ ଫେରିବ, ପରିବାର ସହ ଜନ୍ମଦିନ ପାଳନ କରିବ, ବିବାହର ପ୍ରସ୍ତୁତିରେ ମାତିବ—ଏମିତି କେତେ ସ୍ୱପ୍ନ ଦେଖିଥିଲା ପରିବାର । କିନ୍ତୁ ନିୟତିର ନିଷ୍ଠୁର ନିଷ୍ପତ୍ତି ସବୁକିଛି ବଦଳାଇଦେଲା ।
ଆଜି ଅକ୍ଟୋବର ୭, ଏହି ଦିନ ଭି. ତେଜାଙ୍କ ୩୧ତମ ଜନ୍ମଦିନ ହୋଇଥାନ୍ତା । କିନ୍ତୁ ଜନ୍ମଦିନରେ ଘରକୁ ଫେରିଲା ତାଙ୍କ ମରଶରୀର । ଯେଉଁ ଘରେ ବିବାହ ପାଇଁ ଖୁସିର ପ୍ରସ୍ତୁତି ଚାଲିଥିଲା, ସେହି ଘରେ ଆଜି ଶୋକର ଛାୟା। ଶାହାନାଇ ବଦଳରେ ଶୁଭୁଛି କାନ୍ଦଣା । ଆଖିର ଲୁହରେ ଭିଜିଛି ତେଜାଙ୍କ ଜନ୍ମମାଟି ରାୟଗଡ଼ା।
ନାଗାଲାଣ୍ଡରେ କର୍ତ୍ତବ୍ୟ, ଗୁଳିରେ ଚାଲିଗଲା ଜୀବନ
ରାୟଗଡ଼ା ଜିଲ୍ଲାର ୩୦ ବର୍ଷୀୟ ଭି. ତେଜା ଆସାମ ରାଇଫଲ୍ସରେ ଯବାନ ଭାବେ କାର୍ଯ୍ୟରତ ଥିଲେ। ୨୦୨୨ରେ ସେ ସେନା ବାହିନୀରେ ଯୋଗ ଦେଇଥିଲେ। ସୋମବାର ନାଗାଲାଣ୍ଡରେ କର୍ତ୍ତବ୍ୟରତ ଥିବା ସମୟରେ ହଠାତ୍ ଗୁଳି ବିଦ୍ଧ ହୋଇ ସେ ଗୁରୁତର ଆହତ ହୋଇଥିଲେ।
ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଗଲା। ପରିବାର ଓ ସାଥୀମାନେ ଆଶା କରିଥିଲେ—ତେଜା ଫେରିବେ। କିନ୍ତୁ ଡାକ୍ତରଙ୍କ ଗୋଟିଏ ଘୋଷଣା ସବୁ ସ୍ୱପ୍ନକୁ ଚୁରମାର କରିଦେଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।
ଡିସେମ୍ବର ୧୦ରେ ବିବାହ… ହେଲେ ଫେରିଲେନି ବର
ତେଜାଙ୍କ ଜୀବନରେ ଆସିବାକୁ ଥିଲା ଏକ ନୂଆ ଅଧ୍ୟାୟ। ଡିସେମ୍ବର ୧୦ରେ ତାଙ୍କ ବିବାହ ହେବାକୁ ସ୍ଥିର ହୋଇଥିଲା । ବିବାହ ପାଇଁ ତାଙ୍କୁ ୫୦ ଦିନର ଛୁଟି ମଧ୍ୟ ମଞ୍ଜୁର ହୋଇସାରିଥିଲା। ଦୀପାବଳି ସମୟରେ ଘରକୁ ଫେରିବାର ଥିଲା ତାଙ୍କର ।
ପରିବାର ଅପେକ୍ଷା କରିଥିଲା ପୁଅ କେବେ ଘରକୁ ଫେରିବ। କିନ୍ତୁ ଯେଉଁ ତେଜାଙ୍କୁ ପରିବାର ବର ବେଶରେ ଦେଖିବାକୁ ଅପେକ୍ଷା କରିଥିଲା, ସେହି ତେଜା ଆସିଲେ ତ୍ରିରଙ୍ଗାରେ ଘୋଡ଼ାଇ ହୋଇ।
କନିଆଁ ଅପେକ୍ଷା କରିଥିଲା ବରକୁ। କିନ୍ତୁ ଫେରିଲା ମରଶରୀର।
ଏହାଠାରୁ ଅଧିକ ହୃଦୟବିଦାରକ ଦୃଶ୍ୟ ଆଉ କ’ଣ ହୋଇପାରେ?
ଜନ୍ମଦିନରେ ଜଳିଲା ଜୁଇ
ଅକ୍ଟୋବର ୭ରେ ତେଜା ୩୧ ବର୍ଷରେ ପାଦ ଦେଇଥାନ୍ତେ। ପରିବାର ହୁଏତ ତାଙ୍କ ଜନ୍ମଦିନ ପାଇଁ ଯୋଜନା କରିଥିଲା। କିନ୍ତୁ ସେହି ଦିନ ଜଳିଲା ତାଙ୍କ ଜୁଇ।
ଯେଉଁ ହାତରେ ମେହେନ୍ଦି ଲାଗିବାର ଥିଲା, ସେହି ହାତକୁ ଶେଷଥର ପାଇଁ ଦେଖିଲା ପରିବାର। ଯେଉଁ ଘରେ ବିବାହ ଗୀତ ଗୁଞ୍ଜିବାର ଥିଲା, ସେହି ଘରେ ଶୁଭିଲା ବିକଳ କାନ୍ଦଣା।
ରାୟଗଡ଼ାର ରାସ୍ତାରେ ଅଶ୍ରୁଳ ବିଦାୟ
ନାଗାଲାଣ୍ଡରୁ ତେଜାଙ୍କ ପାର୍ଥିବ ଶରୀରକୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ହାଇଦ୍ରାବାଦ ଦେଇ ବିଶାଖାପାଟଣା ଅଣାଯାଇଥିଲା। ସେଠାରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ମରଶରୀରକୁ ରାୟଗଡ଼ା ଅଣାଯାଇଥିଲା।
ରାୟଗଡ଼ା ସହରଠାରୁ ପ୍ରାୟ ୧୦ କିଲୋମିଟର ପୂର୍ବରୁ ହଜାର ହଜାର ଯୁବକ ଏକାଠି ହୋଇଥିଲେ। ବାଇକ୍ ରାଲିରେ ସହିଦଙ୍କ ମରଶରୀରକୁ ଜନ୍ମମାଟି ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।
ଆକାଶରେ ଗୁଞ୍ଜିଥିଲା—‘ସହିଦ ଭି. ତେଜା ଅମର ରହେ’ ଏବଂ ‘ଭାରତ ମାତା କି ଜୟ’ ଧ୍ୱନି। ହଜାର ହଜାର ଆଖିରେ ଲୁହ ଥିଲା, କିନ୍ତୁ ଛାତିରେ ଥିଲା ଗର୍ବ।
ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଏବଂ ଏସପି ପୁଷ୍ପମାଲ୍ୟ ଅର୍ପଣ କରି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।
ମୃତ୍ୟୁ ପରେ ବି ଦେଇଗଲେ ଜୀବନର ଉପହାର
ତେଜାଙ୍କ କାହାଣୀ କେବଳ ଜଣେ ସହିଦ ଯବାନଙ୍କ କାହାଣୀ ନୁହେଁ। ମୃତ୍ୟୁ ପରେ ମଧ୍ୟ ସେ ମାନବିକତାର ଏକ ବଡ଼ ଉଦାହରଣ ଛାଡ଼ି ଯାଇଛନ୍ତି।
ପରିବାରର କହିବା ଅନୁଯାୟୀ, ପ୍ରାୟ ଦୁଇ ବର୍ଷ ପୂର୍ବେ ତେଜା ମରଣୋତ୍ତର ଅଙ୍ଗଦାନ ପାଇଁ ସଂକଳ୍ପ ପତ୍ରରେ ସ୍ୱାକ୍ଷର କରିଥିଲେ। ତାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇ ନାଗାଲାଣ୍ଡର ଏକ ସ୍ଥାନୀୟ ଡାକ୍ତରଖାନାରେ ତାଙ୍କ ଅଙ୍ଗଗୁଡ଼ିକୁ ସଂଗ୍ରହ କରି ସଂରକ୍ଷିତ କରାଯାଇଛି।
ଅର୍ଥାତ୍, ଯେଉଁ ଯବାନ ଦେଶ ପାଇଁ ନିଜ ଜୀବନ ଦେଇଗଲେ, ସେ ମୃତ୍ୟୁ ପରେ ମଧ୍ୟ ଅନ୍ୟ କାହାର ଜୀବନରେ ଆଲୋକ ଭରିବାର ରାସ୍ତା ଖୋଲିଦେଲେ।
ତେଜା ଚାଲିଗଲେ। ରହିଗଲା ତାଙ୍କ ପରିବାରର ଅସରନ୍ତି ଲୁହ, କନିଆଁର ଅପେକ୍ଷା, ଅଧୁରା ବିବାହ ସ୍ୱପ୍ନ ଏବଂ ରାୟଗଡ଼ା ମାଟିର ଗର୍ବ।
ଜନ୍ମଦିନରେ ଜଳିଲା ଜୁଇ, କିନ୍ତୁ ତେଜାଙ୍କ ବଳିଦାନର ଜ୍ୟୋତି ସବୁଦିନ ଜଳୁଥିବ।
ସହିଦ ଭି. ତେଜା ଅମର ରହେ।

