ବିଗ୍ରହ ନୁହେଁ, ଚାରିଟି ପଥର ପିଣ୍ଡି । ତଥାପି ପ୍ରତିଦିନ ଲାଗି ରହିଛି ପୂଜାର୍ଚ୍ଚନା, ଭୋଗ ଓ ଭକ୍ତଙ୍କ ସମାଗମ । ଜଗନ୍ନାଥ ସଂସ୍କୃତିର ଏମିତି ଏକ ଅନନ୍ୟ ଐତିହ୍ୟବାହୀ ପୀଠ ରହିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ମଥୁରା ନିକଟସ୍ଥ ଶରଣ ଶ୍ରୀକ୍ଷେତ୍ର ମରଦାରେ ।
ବିଗ୍ରହ ନୁହେଁ, ଚାରିଟି ପଥର ପିଣ୍ଡି । ତଥାପି ପ୍ରତିଦିନ ଲାଗି ରହିଛି ପୂଜାର୍ଚ୍ଚନା, ଭୋଗ ଓ ଭକ୍ତଙ୍କ ସମାଗମ । ଜଗନ୍ନାଥ ସଂସ୍କୃତିର ଏମିତି ଏକ ଅନନ୍ୟ ଐତିହ୍ୟବାହୀ ପୀଠ ରହିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ମଥୁରା ନିକଟସ୍ଥ ଶରଣ ଶ୍ରୀକ୍ଷେତ୍ର ମରଦାରେ । ଯେଉଁଠାରେ ଆଜି ବି ଜୀବନ୍ତ ରହିଛି ମହାପ୍ରଭୁଙ୍କ ମାନବୀୟ ଲୀଳାର ଇତିହାସ । ଓଡ଼ିଆ ଅସ୍ମିତାର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇତିହାସ ସହ ଜଡ଼ିତ ଅନେକ ଐତିହ୍ୟବାହୀ ପୀଠ ମଧ୍ୟରୁ ଶରଣ ଶ୍ରୀକ୍ଷେତ୍ର ମରଦା ଅନ୍ୟତମ । ଏହି ପୀଠର ବିଶେଷତା ହେଲା, ଏଠାରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ବିଗ୍ରହ ନାହିଁ ବରଂ ଚାରିଟି ପବିତ୍ର ପଥର ପିଣ୍ଡିଙ୍କୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରତୀକ ଭାବେ ପୂଜା କରାଯାଏ ।
ଇତିହାସ କହେ, ୧୭୩୩ ମସିହାରେ ମୋଗଲ ସେନାପତି ତକି ଖାଁଙ୍କ ଆକ୍ରମଣରୁ ଶ୍ରୀମନ୍ଦିରକୁ ସୁରକ୍ଷା ଦେବା ପାଇଁ ତତ୍କାଳୀନ ଗଜପତି ରାଜାଙ୍କ ନିର୍ଦ୍ଦେଶରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଏହି ପୀଠକୁ ଅଣାଯାଇଥିଲା । ପ୍ରାୟ ୩୦ ମାସ ଧରି ମହାପ୍ରଭୁ ଏଠାରେ ଶରଣ ନେଇଥିଲେ। ସେହି ସ୍ମୃତିକୁ ଅମର କରିବା ପାଇଁ ଆଜି ମଧ୍ୟ ଚାରି ପଥର ପିଣ୍ଡିଙ୍କୁ ଶ୍ରୀଜିଉଙ୍କ ସ୍ୱରୂପ ଭାବେ ପୂଜା କରାଯାଉଛି । ଭକ୍ତମାନଙ୍କ ବିଶ୍ୱାସ, ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଯେପରି ଆଧ୍ୟାତ୍ମିକ ଶାନ୍ତି ମିଳେ, ସେହିଭଳି ଏହି ପୀଠରେ ପଥର ପିଣ୍ଡିଙ୍କ ଦର୍ଶନରେ ମଧ୍ୟ ସମାନ ଆଧ୍ୟାତ୍ମିକ ଅନୁଭୂତି ଲାଭ ହୁଏ । ତେଣୁ ପ୍ରତିବର୍ଷ ଏଠାରେ ବିବାହ, ବ୍ରତ, ମାନସିକ ପୂଜା ଓ ବିଭିନ୍ନ ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହୋଇଥାଏ ।
ଇତିହାସ ଓ ପରମ୍ପରାର ଏହି ଅମୂଲ୍ୟ ପୀଠ ଆଜି କିନ୍ତୁ ନିଜେ ଉନ୍ନୟନର ଅପେକ୍ଷାରେ ରହିଛି । ଜଗନ୍ନାଥ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ସ୍ମୃତି ବହନ କରୁଥିବା ସତ୍ତ୍ୱେ, ଏହାର ଯେପରି ପ୍ରଚାର ଓ ବିକାଶ ହେବା କଥା, ତାହା ହୋଇପାରିନାହିଁ । ସବୁଠାରୁ ବଡ଼ ସମସ୍ୟା ହେଉଛି ନିତ୍ୟ ନୀତି ଓ ଭୋଗ ବ୍ୟବସ୍ଥା । ପ୍ରତିଦିନ ମହାପ୍ରଭୁଙ୍କ ଭୋଗ ପାଇଁ ପୂଜକଙ୍କୁ ନିଜ ପକେଟରୁ ଖର୍ଚ୍ଚ କରିବାକୁ ପଡ଼ୁଛି । ସରକାରୀ ସହାୟତା କିମ୍ବା ସ୍ଥାୟୀ ବ୍ୟବସ୍ଥା ନଥିବାରୁ ପୂଜାର୍ଚ୍ଚନା ପରିଚାଳନା କରିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି । ତେବେ ଆଶାର କଥା ହେଉଛି, ମନ୍ଦିରର ସାମଗ୍ରିକ ଉନ୍ନୟନ ପାଇଁ ଡିପିଆର ପ୍ରସ୍ତୁତ ହୋଇସାରିଛି । ଆଗାମୀ ଦିନରେ ଭୋଗ ବ୍ୟବସ୍ଥା ସହ ମନ୍ଦିରର ଆବଶ୍ୟକ ଉନ୍ନତି କାର୍ଯ୍ୟ କରାଯିବ ବୋଲି ପୋଲସରା ବିଧାୟକ ତଥା ମନ୍ତ୍ରୀ ସୂଚନା ଦେଇଛନ୍ତି ।

