ବାଲିଅନ୍ତାରେ ମରଣାନ୍ତକ ଆକ୍ରମଣ । କୋଠଘର ତାଲା ଭାଙ୍ଗିବାକୁ ବିରୋଧ କରିବାରୁ ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ଲୁହାରେ ପିଟିଲେ ଯୁବକ । ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚାଲିଛି ଚିକିତ୍ସା ।
ବାଲିଅନ୍ତାରେ ମରଣାନ୍ତକ ଆକ୍ରମଣ । କୋଠଘର ତାଲା ଭାଙ୍ଗିବାକୁ ବିରୋଧ କରିବାରୁ ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ଲୁହାରେ ପିଟିଲେ ଯୁବକ । ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଏପଟେ ଘଟଣାକୁ ନେଇ ଗାଁରେ ଉତ୍ତେଜନା ।ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ବ୍ରାହ୍ମଣଷଡ଼ଙ୍ଗୀ ବିଦ୍ୟାଳୟ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଆକ୍ରମଣରେ ଗୁରୁତର ହୋଇଛନ୍ତି ବେଣ୍ଟପୁର ପଞ୍ଚାୟତର ସୁଧଷଡ଼ଙ୍ଗୀ ଗାଁର ୫୦ ବର୍ଷୀୟ ଲକ୍ଷ୍ମୀଧର ସ୍ୱାଇଁ । ସୂଚନା ଅନୁସାରେ, ବ୍ରାହ୍ମଣଷଡ଼ଙ୍ଗୀ ଗାଁର କିଛି ଯୁବକ କୋଠଘରେ ଭୋଜି କରିବା ପାଇଁ ଯୋଜନା କରିଥିଲେ । ହେଲେ କୋଠଘରର ଚାବି ନମିଳିବାରୁ ସେମାନେ ତାଲା ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହି ସମୟରେ ଲକ୍ଷ୍ମୀଧର ସ୍ୱାଇଁ ବିଦ୍ୟାଳୟ ନିକଟସ୍ଥ ଏକ ଦୋକାନକୁ ପରିବାପତ୍ର ଓ ସଉଦା କିଣିବାକୁ ଆସିଥିଲେ । ଯୁବକମାନେ କୋଠଘରର ତାଲା କାହିଁକି ଭାଙ୍ଗୁଛନ୍ତି ବୋଲି ସେ ପଚାରିଥିବା କୁହାଯାଉଛି ।
ଅଭିଯୋଗ ଅନୁସାରେ, ଏଥିରେ ଉତ୍କ୍ଷିପ୍ତ ହୋଇ ଯୁବକମାନେ ଲକ୍ଷ୍ମୀଧରଙ୍କ ସହ ଯୁକ୍ତିତର୍କ କରିଥିଲେ । ପରେ ନିଶାସକ୍ତ ଅବସ୍ଥାରେ ଥିବା ଯୁବକମାନେ ତାଙ୍କ ମୁଣ୍ଡକୁ ଲୁହାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଲକ୍ଷ୍ମୀଧରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇ ଭର୍ତ୍ତି କରିଛନ୍ତି । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି । ଅନ୍ୟପଟେ ଘଟଣା ପରେ ବ୍ରାହ୍ମଣଷଡ଼ଙ୍ଗୀ ଗାଁରେ ଉତ୍ତେଜନା ଦେଖାଦେଇଛି । ଖବର ପାଇ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଘଟଣାରେ ସମ୍ପୃକ୍ତି ନେଇ ୪ ଜଣ ଯୁବକଙ୍କୁ ଥାନାକୁ ନେଇ ପୁଲିସ ପଚରାଉଚରା କରୁଛି । ତେବେ ଆକ୍ରମଣର ପ୍ରକୃତ କାରଣ କ’ଣ ଥିଲା? ଘଟଣାରେ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି? ଏବଂ ଆକ୍ରମଣ ପୂର୍ବରୁ ଯୁବକମାନେ ନିଶାସକ୍ତ ଥିଲେ କି ନାହିଁ—ସେନେଇ ମଧ୍ୟ ପୁଲିସ ତଦନ୍ତ କରୁଛି ।

