ବାଣ ହିଁ ପ୍ରଦୂଷଣର କାରଣ: ସଚେତନତା ପାଇଁ ବିରାଟ କୋହଲିଙ୍କ ଭଳି ଷ୍ଟାରଙ୍କ ସହଯୋଗ ନେବାକୁ ପରାମର୍ଶ

ଜଷ୍ଟିସ୍ ଏମ୍‌ଏମ୍‌ ସୁନ୍ଦରେଶ ଏବଂ ଜଷ୍ଟିସ୍ ପିବି ବରାଲେଙ୍କ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ଯେ, ଗତବର୍ଷ ଦିଆଯାଇଥିବା ନିର୍ଦ୍ଦେଶ ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରକୃତରେ କ’ଣ ପଦକ୍ଷେପ ନିଆଯାଇଛି?

ପର୍ବପର୍ବାଣୀ ସମୟରେ ବାଣ ଓ ପଟ୍ଟାକା ଫୁଟାଇବା ନିୟମକୁ ଠିକ୍‌ ଭାବେ ଲାଗୁ କରାଯାଉନଥିବାରୁ ଦିଲ୍ଲୀ ସରକାର ଏବଂ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଅଦାଲତଙ୍କ ନିର୍ଦ୍ଦେଶ ପାଳନ ନହେଲେ ତାହାର କୌଣସି ମୂଲ୍ୟ ରହିବ ନାହିଁ ବୋଲି କହିବା ସହ ଏହାକୁ କେବଳ ‘ଏକାଡେମିକ୍‌ ଆଲୋଚନା’ରେ ସୀମିତ ରଖାଯାଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ।

ଜଷ୍ଟିସ୍ ଏମ୍‌ଏମ୍‌ ସୁନ୍ଦରେଶ ଏବଂ ଜଷ୍ଟିସ୍ ପିବି ବରାଲେଙ୍କ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ଯେ, ଗତବର୍ଷ ଦିଆଯାଇଥିବା ନିର୍ଦ୍ଦେଶ ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରକୃତରେ କ’ଣ ପଦକ୍ଷେପ ନିଆଯାଇଛି? ନିର୍ଦ୍ଦିଷ୍ଟ ଅଞ୍ଚଳରେ ନିୟୋଜିତ ପ୍ରବର୍ତ୍ତନକାରୀ ଟିମ୍‌ ସେଠାକୁ ଯାଇଥିଲେ କି, କେବେ ଯାଇଥିଲେ ଏବଂ କେଉଁ ତଥ୍ୟ ସଂଗ୍ରହ କରିଥିଲେ, ସେନେଇ ରିପୋର୍ଟ ମାଗିଛନ୍ତି କୋର୍ଟ। କେଉଁ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ବଢ଼ିଛି ଏବଂ କେଉଁଠି ବଢ଼ିନାହିଁ, ତାହାର ତୁଳନାତ୍ମକ ଆକଳନ ହୋଇଛି କି ନାହିଁ, ତାହା ମଧ୍ୟ ପଚାରିଛନ୍ତି।

ଏମିକସ୍‌ କ୍ୟୁରିଙ୍କ ରିପୋର୍ଟ ଅନୁସାରେ, CAQMର ୨୯ଟି ୟୁନିଟ୍‌ ମଧ୍ୟରୁ ମାତ୍ର ୯ଟି କାର୍ଯ୍ୟକ୍ଷମ ରହିଛି। ଏହାକୁ ନେଇ ଖଣ୍ଡପୀଠ କହିଛନ୍ତି ଯେ, ଯଦି ନିୟମ ପାଳନ କରାଯିବ ନାହିଁ, ତେବେ ନିର୍ଦ୍ଦେଶ ଦେବାର ଅର୍ଥ କ’ଣ? ବାରମ୍ବାର ଉଲ୍ଲଂଘନ କରିବା ଦ୍ୱାରା ଅଦାଲତଙ୍କ ନିର୍ଦ୍ଦେଶ ଏକପ୍ରକାର ମଜାକ ପାଲଟୁଛି। ଆସନ୍ତା ବର୍ଷ ମଧ୍ୟ ଅଧିକାରୀମାନେ ଅନ୍ୟ ଏକ ଖଣ୍ଡପୀଠ ଆଗରେ ସମାନ ଉତ୍ତର ରଖିବେ ବୋଲି କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି।

ତେବେ ପର୍ବପର୍ବାଣୀକୁ ନେଇ ଲୋକଙ୍କ ଭାବନାକୁ କୋର୍ଟ ବୁଝୁଥିବା ସ୍ପଷ୍ଟ କରିଛନ୍ତି। ଧାର୍ମିକ ପରମ୍ପରା ଉପରେ ପ୍ରଶ୍ନ ଉଠାଇବା ଏହାର ଉଦ୍ଦେଶ୍ୟ ନୁହେଁ, ବରଂ କାହାର କ୍ଷତି ନକରି କିପରି ପର୍ବ ପାଳନ କରାଯାଇପାରିବ, ତାହା ମୁଖ୍ୟ ପ୍ରସଙ୍ଗ ବୋଲି କହିଛନ୍ତି ଖଣ୍ଡପୀଠ। ପଟ୍ଟାକା ଉପରେ ସମ୍ପୂର୍ଣ୍ଣ ନିଷେଧ ସପକ୍ଷରେ କୋର୍ଟ ନଥିବା ବେଳେ ପରିବେଶ ସୁରକ୍ଷା ଓ ପର୍ବ ପାଳନ ମଧ୍ୟରେ ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି।

ଯେଉଁ ଦୁଇ ଦିନ ବାଣ ଫୁଟାଇବାକୁ ଅନୁମତି ମିଳୁଛି, ସେହି ଦିନଗୁଡ଼ିକରେ ଅଧିକାରୀମାନେ ଯେପରି ଭୂମିସ୍ତରରେ ଉପସ୍ଥିତ ରହି ତଦାରଖ କରିବେ, ତାହା ସୁନିଶ୍ଚିତ କରିବାକୁ କୋର୍ଟ କହିଛନ୍ତି। କେବଳ ପଟ୍ଟାକା ବିକ୍ରି ଉପରେ ନିୟମ ଲଗାଇଲେ ସମସ୍ୟାର ସମାଧାନ ହେବ କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ସଚେତନତା ସୃଷ୍ଟି ପାଇଁ ବିରାଟ କୋହଲିଙ୍କ ଭଳି ପ୍ରସିଦ୍ଧ ବ୍ୟକ୍ତିଙ୍କ ସହଯୋଗ ନେବାକୁ ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ, ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି ଦିଲ୍ଲୀ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ଯୋଜନା ସମ୍ପର୍କରେ ତଥ୍ୟ ରଖିଥିଲେ। ଆଗାମୀ ଶୀତଋତୁ ପାଇଁ ୬୦୮ଟି ଆଣ୍ଟି-ସ୍ମଗ୍‌ ଗନ୍‌, ଇଭି ଚାର୍ଜିଂ ବ୍ୟବସ୍ଥା, ସବୁଜିମା ବୃଦ୍ଧି ଓ ଉନ୍ନତ ନିରୀକ୍ଷଣ ବ୍ୟବସ୍ଥା ନେଇ ପଦକ୍ଷେପ ବିଷୟରେ ସେ ଜଣାଇଥିଲେ। ହେଲେ ଏହି ପଦକ୍ଷେପଗୁଡ଼ିକର ପ୍ରକୃତ ପ୍ରଭାବ ଓ ନିୟମ ପାଳନର ରିପୋର୍ଟ କେଉଁଠି ବୋଲି ପ୍ରଶ୍ନ କରି ସୁପ୍ରିମକୋର୍ଟ ଅଧିକାରୀଙ୍କଠାରୁ ଜବାବ ଲୋଡ଼ିଛନ୍ତି।

Leave a Reply

Your email address will not be published. Required fields are marked *