ନୂଆ ମୋଡ଼ରେ ରାଜ୍ୟସଭା କ୍ରସ୍ ଭୋଟିଂ ଅଭିଯୋଗ ବିବାଦ: ହସ୍ତକ୍ଷେପ କଲେ ହାଇକୋର୍ଟ, ୫ ବିଧାୟକଙ୍କୁ ନୋଟିସ୍

ଓଡ଼ିଶାର ରାଜ୍ୟସଭା ନିର୍ବାଚନକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା କ୍ରସ୍‌ ଭୋଟିଂ ବିବାଦ ଏବେ ନୂଆ ମୋଡ଼ ନେଇଛି । ବିଜୁ ଜନତା ଦଳ (ବିଜେଡି)ର କିଛି ବିଧାୟକ ଦଳୀୟ ନିଷ୍ପତ୍ତି ବିରୋଧରେ ଭୋଟ୍‌ ଦେଇଥିବା ଅଭିଯୋଗକୁ ନେଇ ଚାଲିଛି ଆଇନ ଲଢ଼େଇ ।

 ଓଡ଼ିଶାର ରାଜ୍ୟସଭା ନିର୍ବାଚନକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା କ୍ରସ୍‌ ଭୋଟିଂ ବିବାଦ ଏବେ ନୂଆ ମୋଡ଼ ନେଇଛି । ବିଜୁ ଜନତା ଦଳ (ବିଜେଡି)ର କିଛି ବିଧାୟକ ଦଳୀୟ ନିଷ୍ପତ୍ତି ବିରୋଧରେ ଭୋଟ୍‌ ଦେଇଥିବା ଅଭିଯୋଗକୁ ନେଇ ଚାଲିଛି ଆଇନ ଲଢ଼େଇ । ଏହି ଲଢ଼େଇରେ ଓଡ଼ିଶା ହାଇକୋର୍ଟଙ୍କ ହସ୍ତକ୍ଷେପ ଗୁରୁତ୍ୱ ବହନ କରୁଛି । ପାଞ୍ଚ ଜଣ ବିଧାୟକଙ୍କୁ ନୋଟିସ୍‌ ଜାରି ହୋଇଥିବା ସୂଚନା ମିଳିବା ପରେ ବିଜେଡି ଏହାକୁ ସ୍ୱାଗତ କରିଛି । 

ଖାଲି ସେତିକି ନୁହେଁ, ଓଡ଼ିଶାର ଆଡଭୋକେଟ୍‌ ଜେନେରାଲ୍‌ଙ୍କ ବୟାନର ରାଜନୈତିକ ଆଭିମୁଖ୍ୟକୁ ନେଇ ମଧ୍ୟ ଦଳ ପ୍ରଶ୍ନ ଉଠାଇଛି । ତେବେ ଏହି ବିବାଦର ମୂଳ କାରଣ କ’ଣ ଏବଂ ହାଇକୋର୍ଟ କାହିଁକି ହସ୍ତକ୍ଷେପ କଲେ, ତାହା ଜାଣିବା ଜରୁରୀ ।

ମାର୍ଚ୍ଚ ୧୬ରୁ ଆରମ୍ଭ ହୋଇଥିଲା ବିବାଦ
୨୦୨୬ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାର ଚାରିଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା । ଏଥିରେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ଏବଂ ବିଜେଡି-କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ମଧ୍ୟରେ ଚତୁର୍ଥ ଆସନ ପାଇଁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ନିର୍ବାଚନରେ ଉଭୟ ପ୍ରାର୍ଥୀ ୨୩ଟି ଲେଖାଏଁ ପ୍ରଥମ ଭୋଟ୍‌ ପାଇଥିଲେ । କିନ୍ତୁ ଦ୍ୱିତୀୟ ଭୋଟ୍‌ ଗଣତିରେ ଦିଲୀପ ରାୟ ବିଜୟୀ ହୋଇଥିଲେ । ବିରୋଧୀ ଦଳର କିଛି ବିଧାୟକ ଦଳୀୟ ଆଭିମୁଖ୍ୟ ବିରୋଧରେ ଭୋଟ୍‌ ଦେଇଥିବା ଅଭିଯୋଗ ହେବାପରେ ବିବାଦ ତୀବ୍ର ହୋଇଥିଲା । 

ଦଳୀୟ ହ୍ୱିପ୍‌ ଉଲ୍ଲଂଘନ ଅଭିଯୋଗ
ବିଜେଡି ଅଭିଯୋଗ କରିଥିଲା ଯେ, ଦଳର ନିଷ୍ପତ୍ତି ଓ ହ୍ୱିପ୍‌କୁ ଅମାନ୍ୟ କରି କେତେକ ବିଧାୟକ ଭୋଟ୍‌ ଦେଇଛନ୍ତି। ଏହି ଘଟଣା ପରେ ମାର୍ଚ୍ଚ ୨୧ ତାରିଖରେ ଦଳ 6 ଜଣ ବିଧାୟକଙ୍କୁ ନିଲମ୍ବନ କରିଥିଲା । ଅନ୍ୟ ଦୁଇଜଣ ବିଧାୟକଙ୍କ ବିରୋଧରେ ମଧ୍ୟ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗ ରହିଥିଲା । ପରେ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ 8 ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ପୃଥକ୍‌ ପୃଥକ୍‌ ଆବେଦନ କରିଥିଲେ । କଂଗ୍ରେସ ମଧ୍ୟ ନିଜର 3 ଜଣ ବିଧାୟକଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲା । 

ଜୁନ୍‌ରେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ନେଇ ବଢ଼ିଥିଲା ବିବାଦ
ଜୁନ୍‌ ୨୦୨୬ରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ବିଜେଡି ଓ କଂଗ୍ରେସର ମୋଟ ୧୧ ଜଣ ବିଧାୟକଙ୍କ ବିରୋଧରେ ଆସିଥିବା ସଭ୍ୟପଦ ରଦ୍ଦ ଆବେଦନଗୁଡ଼ିକୁ ଖାରଜ କରିଥିଲେ । ଆବେଦନ ସହିତ ଆବଶ୍ୟକ ପ୍ରମାଣ ଦଲିଲ ଓ ଆଇନ ଅନୁଯାୟୀ ଆବଶ୍ୟକ ତଥ୍ୟର ଅଭାବ ଥିବା ବାଚସ୍ପତିଙ୍କ ପକ୍ଷରୁ ଦର୍ଶା ଯାଇଥିଲା । ବିଧାନସଭା ସଚିବାଳୟ, ଆବେଦନଗୁଡ଼ିକୁ ଅସ୍ପଷ୍ଟ ଓ ଅପର୍ଯ୍ୟାପ୍ତ ବୋଲି କହି ଖାରଜ କରିଦେଇଥିଲା।

କିନ୍ତୁ ବିଜେଡିର ଯୁକ୍ତି ଥିଲା ଯେ, ଆବେଦନରେ ଯଦି କିଛି ପ୍ରକ୍ରିୟାଗତ ତ୍ରୁଟି ଥିଲା, ତେବେ ତାହା ସୁଧାରିବା ପାଇଁ ସୁଯୋଗ ଦେବା ପରିବର୍ତ୍ତେ, ଆବେଦନଗୁଡ଼ିକୁ ସିଧାସଳଖ ଖାରଜ କରିବା ଭୁଲ୍। ଦଳ ଏହାକୁ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଭାବେ ଅଭିହିତ କରିଥିଲା। 

ହାଇକୋର୍ଟ କାହିଁକି ହସ୍ତକ୍ଷେପ କଲେ ?
ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରି ସେପ୍ଟେମ୍ବରରେ ପ୍ରମିଳା ମଲ୍ଲିକ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଜେଡିର ଆବେଦନର ମୂଳ ଉଦ୍ଦେଶ୍ୟ ଥିଲା କେବଳ ପ୍ରକ୍ରିୟାଗତ ତ୍ରୁଟି ଆଧାରରେ ଆବେଦନ ଖାରଜ କରିବା ପରିବର୍ତ୍ତେ ଦଳବଦଳ ବିରୋଧୀ ଆଇନ ଅନୁଯାୟୀ ଅଭିଯୋଗ ଗୁଡ଼ିକର ମେରିଟ୍‌ ବା ମୂଳ ଯୋଗ୍ୟତା ବିଚାର କରାଯାଉ ।

ଅକ୍ଟୋବର ୨୯ରେ ପାଞ୍ଚ ଜଣ ବିଧାୟକଙ୍କ ସମ୍ପର୍କିତ ମାମଲାରେ ହାଇକୋର୍ଟ ନୋଟିସ୍‌ ଜାରି କରିଥିବା ରିପୋର୍ଟ ପ୍ରକାଶ ପାଇଛି । ଏହି ବିଧାୟକମାନେ ହେଲେ ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼, ସୌଭିକ ବିଶ୍ୱାଳ ଓ ଚକ୍ରମଣି କହଁର । ରିପୋର୍ଟ ଅନୁଯାୟୀ, ସେମାନଙ୍କୁ ଡିସେମ୍ବର ୪ ସୁଦ୍ଧା ଜବାବ ଦାଖଲ କରିବାକୁ କୁହାଯାଇଛି ଏବଂ ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୧ରେ ହେବାର କାର୍ଯ୍ୟସୂଚୀ ରହିଛି । 

ଏଜିଙ୍କ ବୟାନକୁ ନେଇ ବିଜେଡିର ଆପତ୍ତି
ବିଜେଡି ଉପସଭାପତି ପ୍ରମିଳା ମଲ୍ଲିକ ହାଇକୋର୍ଟଙ୍କ ହସ୍ତକ୍ଷେପକୁ ସ୍ୱାଗ କରିବା ସହ ଆଇନଗତ ପ୍ରକ୍ରିୟା ଉପରେ ଆସ୍ଥା ପ୍ରକାଶ କରିଛନ୍ତି । ଏଥିସହ ଆଡଭୋକେଟ୍‌ ଜେନେରାଲ୍‌ ପିତାମ୍ବର ଆଚାର୍ଯ୍ୟଙ୍କ ବୟାନର ରାଜନୈତିକ ସ୍ୱରକୁ ନେଇ ଦଳ ଆପତ୍ତି ଉଠାଇଛି । ବିଜେଡି ମତରେ, ସାମ୍ବିଧାନିକ ଓ ଆଇନଗତ ପ୍ରସଙ୍ଗରେ ରାଜନୈତିକ ମନ୍ତବ୍ୟ ପରିବର୍ତ୍ତେ ଆଇନର ମର୍ଯ୍ୟାଦା ଓ ପ୍ରତିଷ୍ଠିତ ନୀତି ଅନୁସାରେ ମତ ରଖିବା ଉଚିତ । 

ଆଗକୁ କ’ଣ ?
ଏହି ମାମଲା ଏବେ କେବଳ ଦୁଇ ଦଳର ରାଜନୈତିକ ବିବାଦ ନୁହେଁ, ଏହା ଦଳୀୟ ହ୍ୱିପ୍‌, ବିଧାୟକଙ୍କ ସ୍ୱାଧୀନତା, ଦଳବଦଳ ବିରୋଧୀ ଆଇନ ଓ ବାଚସ୍ପତିଙ୍କ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକୁ ସାମ୍ନାକୁ ଆଣିଛି । ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ଏବଂ ସମ୍ପୃକ୍ତ ପକ୍ଷଙ୍କ ଜବାବ ଏହି ବିବାଦର ଦିଗ ନିର୍ଦ୍ଧାରଣ କରିବ। ତେଣୁ ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଅଭିଯୋଗକୁ ପ୍ରମାଣିତ ସତ୍ୟ ଭାବେ ନୁହେଁ, ବରଂ ବିଚାରାଧୀନ ଆଇନଗତ ପ୍ରସଙ୍ଗ ଭାବେ ଦେଖିବା ହିଁ ଉଚିତ ।

Leave a Reply

Your email address will not be published. Required fields are marked *