ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ଶେଷ ବର୍ଷର ଏମବିବିଏସ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଗତ କଟକ ତ୍ରିଶୂଳିଆ କାଠଯୋଡ଼ି ନଦୀ ପଠାରୁ ଉଦ୍ଧାର କରାଯାଇଥିଲା
ବାରଙ୍ଗ ଥାନାରେ ଓଏଏସ ବାବୁ ଭୀମସେନ ଟୁଡୁ । ଉଦଳାର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଭୀମସେନ ଗିରଫ । କମିଶନରେଟ ପୋଲିସର ସ୍ପେଶାଲ୍ ସ୍କ୍ୱାଡ ମୟୂରଭଞ୍ଜ ବିଶୋଇ ଥାନା ଅଞ୍ଚଳରୁ ତାଙ୍କୁ ଗିରଫ ପରେ ତାଙ୍କୁ ବାରଙ୍ଗ ଥାନାକୁ ଅଣାଯାଇଛି । ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ମାରାଥନ ପଚରାଉଚୁରା କରାଯାଉଛି ।
ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ଶେଷ ବର୍ଷର ଏମବିବିଏସ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଗତ କଟକ ତ୍ରିଶୂଳିଆ କାଠଯୋଡ଼ି ନଦୀ ପଠାରୁ ଉଦ୍ଧାର କରାଯାଇଥିଲା । ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ପାଣିରେ ବୁଡ଼ିଯିବା ଏବଂ ଶ୍ୱାସରୁଦ୍ଧ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ପ୍ରାଥମିକ ଅବସ୍ଥାରେ ଏହାକୁ ଏକ ଅପମୃତ୍ୟୁ ମାମଲା କୁହାଯାଉଥିଲେ ମଧ୍ୟ ଚନ୍ଦ୍ରିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣା ଭିନ୍ନ ମୋଡ଼ ନେଇଛି । ଚନ୍ଦ୍ରିକାଙ୍କ ମା’ ହୀରାମଣି ହେମ୍ବ୍ରମ ଓ ପରିବାର ସଦସ୍ୟ ଭୀମସେନଙ୍କ ବିରୋଧରେ ମାନସିକ ନିର୍ଯାତନା ଏବଂ ଜୀବନ ହାରିବା ପାଇଁ ଉସୁକାଇବା ଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି । ନବୋଦୟ ବିଦ୍ୟାଳୟରେ ପଢ଼ିବା ସମୟରୁ ଦୁହିଁଙ୍କ ମଧ୍ୟରେ ପ୍ରାୟ ୧୫ ବର୍ଷର ପ୍ରେମ ସମ୍ପର୍କ ଥିଲା ଏବଂ ୨୦୨୭ରେ ବିବାହ କରିବା ପାଇଁ ଦୁଇ ପରିବାର ମଧ୍ୟରେ କଥାବାର୍ତ୍ତା ଚାଲିଥିଲା। ଅଭିଯୋଗ ଅନୁସାରେ, ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଟ୍ରେନିଂରେ ଯିବା ପରେ ଭୀମସେନଙ୍କର ଅନ୍ୟ ଜଣେ ବାନ୍ଧବୀଙ୍କ ସହ ସମ୍ପର୍କ ଗଢ଼ିଥିଲେ। ଏହାକୁ ନେଇ ବିବାଦ ବଢ଼ିଥିଲା ।
ଚନ୍ଦ୍ରିକାଙ୍କୁ ତାଙ୍କ ଚେହେରା ଓ ରଙ୍ଗକୁ ନେଇ ତାତ୍ସଲ୍ୟ କରାଯାଉଥିଲା । ରଙ୍ଗ ଗୋରା କରିବା ଇଞ୍ଜେକସନ ନେବାକୁ ଚାପ ପକାଯାଉଥିଲା । ପରିବାର ଲୋକେ ଏହାକୁ ଆତ୍ମହତ୍ୟା ନୁହେଁ, ବରଂ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଓ ପ୍ରମାଣ ନଷ୍ଟ କରିବାର ଷଡ଼ଯନ୍ତ୍ର ବୋଲି ଦାବି କରିଛନ୍ତି । ପୋଲିସ ଭାରତୀୟ ନ୍ୟାୟ ସଂହିତା ର ଧାରା ୧୦୮ ଆତ୍ମହତ୍ୟା ପାଇଁ ଉସୁକାଇବା ଏବଂ ଧାରା ୩୪ (ସମାନ ଉଦ୍ଦେଶ୍ୟ) ଅଧୀନରେ ମାମଲା ରୁଜୁ କରିଛି । ଚନ୍ଦ୍ରିକା ମୃତ୍ୟୁ ଘଟଣାରେ ୯ ଦିନ ହେବ ଫେରାର ଥିଲେ ଭୀମସେନ । ବର୍ତ୍ତମାନ ଭୀମସେନଙ୍କ କଲ୍ ରେକର୍ଡ, ହ୍ୱାଟସଆପ୍ ଚାଟ୍ ଏବଂ ସିସିଟିଭି ଫୁଟେଜର ଯାଞ୍ଚ ଚାଲିଛି । ଚନ୍ଦ୍ରିକାଙ୍କ ମୃତ୍ୟୁ କିପରି ହେଲା? ଭୀମସେନଙ୍କ ସହ ଚନ୍ଦ୍ରିକାଙ୍କ ସମ୍ପର୍କରେ ଫାଟ କିପରି ହେଲା? ଘଟଣା ଦିନ ସେ କେଉଁଠି ଥିଲେ ଏବଂ ଏଥିରେ ସଂପୃକ୍ତ ଥିବା ଅନ୍ୟ ମହିଳାଙ୍କର କଣ ଭୂମିକା ରହିଛି, ସେ ନେଇ ଜେରା କରାଯାଉଛି ।
ସୂଚନା ଥାଉ କି, ମୟୂରଭଞ୍ଜ ଉଦଳା ଅଞ୍ଚଳର ଚନ୍ଦ୍ରିକା ବାଲେଶ୍ବର ଜିଲ୍ଲା ଫକିରମୋହନ ମେଡିକାଲ୍ କଲେଜର ଏମବିବିଏସ ତୃତୀୟ ବର୍ଷ ଛାତ୍ରୀ ଥିଲେ। ସ୍ଥାନୀୟ ଅଞ୍ଚଳର ଭୀମସେନଙ୍କ ସହ ଏକାଠି ପଢ଼ୁଥିଲେ। ପାଖାପାଖି ୧୫ ବର୍ଷ କାଳ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଚନ୍ଦ୍ରିକା ଡାକ୍ତରୀ ପଢ଼ିବାକୁ ବାଲେଶ୍ବର ଚାଲିଗଲେ। ଭୀମସେନ ମଧ୍ୟ ଗାଁରୁ ଭୁବନେଶ୍ବର ଚାଲି ଆସିଲେ। ଭୁବନେଶ୍ବରରେ ରହିବା ବେଳେ ଭୀମସେନ ଆଉ ଜଣେ ଯୁବତୀଙ୍କୁ ଭଲ ପାଇ ବସିଲେ। ଭୀମସେନ ଓଡ଼ିଶା ଟ୍ୟାକ୍ସେସନ ଆଣ୍ଡ ଆକାଉଣ୍ଟସ ସର୍ଭିସ ପାଇବା ସହିତ ଚାକିରି ପୂର୍ବ ଟ୍ରେନିଂରେ ଥିଲେ। ଭୀମସେନ ପ୍ରତାରଣା କରିବାରୁ ଏଥିରେ ମାନସିକ ସ୍ତରରେ ଭାଙ୍ଗିପଡ଼ି ଚନ୍ଦ୍ରିକା ଆତ୍ମହତ୍ୟା କରିଥିବା ସଂପର୍କରେ ଥାନାରେ ଅଭିଯୋଗ ହୋଇଥିଲା।

