କାର୍ ନୁହେଁ, ଚଳନ୍ତା ପାୱାର ବ୍ୟାଙ୍କ: ଅର୍ଣ୍ଣବ ବାତ୍ୟାରେ ଘରକୁ କରେଣ୍ଟ ଦେଲା ଟାଟା କର୍ଭ ଇଭି !

ଏକ ଇଲେକ୍ଟ୍ରିକ୍ କାର୍ ଘରକୁ ବିଦ୍ୟୁତ୍ ଯୋଗାଇବାରେ ସହାୟକ ହୋଇଥିବା ଦାବି ଏବେ ଚର୍ଚ୍ଚାରେ। ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରବରମ୍‌ରୁ ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ ଭାଇରାଲ୍ ହୋଇଛି ।

ପ୍ରବଳ ବାତ୍ୟା, ଝଡ଼ବର୍ଷା ଓ ବିଦ୍ୟୁତ୍ କାଟ୍‌ ମଧ୍ୟରେ ଯଦି ଇନଭର୍ଟର ମଧ୍ୟ କାମ କରିବା ବନ୍ଦ କରିଦିଏ, ତେବେ କ’ଣ କରିବେ ? ଏଭଳି ପରିସ୍ଥିତିରେ ଏକ ଇଲେକ୍ଟ୍ରିକ୍ କାର୍ ଘରକୁ ବିଦ୍ୟୁତ୍ ଯୋଗାଇବାରେ ସହାୟକ ହୋଇଥିବା ଦାବି ଏବେ ଚର୍ଚ୍ଚାରେ। ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରବରମ୍‌ରୁ ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ ଭାଇରାଲ୍ ହୋଇଛି । ଏଥିରେ ଟାଟା କର୍ଭ ଇଭି କାର୍ ପ୍ରାୟ ୧୩ ଘଣ୍ଟା ଧରି ଘରର କିଛି ଜରୁରୀ ଉପକରଣକୁ ବିଦ୍ୟୁତ୍ ଯୋଗାଇଥିବା ଦାବି କରାଯାଇଛି ।

ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, ଅକ୍ଟୋବର ୨୮ରେ ଆନ୍ଧ୍ରପ୍ରଦେଶରେ ‘ଅର୍ଣ୍ଣବ’ ଚକ୍ରବାତର ପ୍ରଭାବ ଯୋଗୁଁ ଅନେକ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ପ୍ରବଳ ପବନ ଓ ବର୍ଷା ଯୋଗୁଁ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିପଡ଼ିଥିବା ଦାବି କରାଯାଇଛି । ଏହି ସମୟରେ ରାଜମହେନ୍ଦ୍ରବରମ୍‌ର ଇନ୍ଦର ରାଜୁଙ୍କ ଟାଟା କର୍ଭ ଇଭି କାର୍ ଘରର ଆବଶ୍ୟକ ବିଦ୍ୟୁତ୍ ଉପକରଣ ଚଳାଇବାରେ ସହାୟକ ହୋଇଥିବା କୁହାଯାଇଛି ।

ପୋଷ୍ଟରେ ଦାବି ହୋଇଛି ଯେ, କାର୍‌ର ବ୍ୟାଟେରୀ ଚାର୍ଜ ୫୬ ପ୍ରତିଶତରୁ ୪୩ ପ୍ରତିଶତକୁ ଖସିଥିବା ବେଳେ ଘରେ ୩ଟି ପଙ୍ଖା ଓ ୫ଟି ଲାଇଟ୍ ପ୍ରାୟ ୧୩ ଘଣ୍ଟା ଚାଲିଥିଲା। ଅର୍ଥାତ୍ ଏଥିପାଇଁ ପ୍ରାୟ ୧୩ ପ୍ରତିଶତ ବ୍ୟାଟେରୀ ଚାର୍ଜ ବ୍ୟବହାର ହୋଇଥିଲା। ତେବେ ଏହି ଘଟଣାର ସ୍ୱାଧୀନ ପୁଷ୍ଟି ହୋଇନଥିବାରୁ ଏହାକୁ ଏକ ସୋସିଆଲ ମିଡିଆ ଦାବି ଭାବେ ଦେଖିବା ଉଚିତ।

ଟାଟା କର୍ଭ ଇଭିରେ ଥିବା ଭେହିକିଲ୍-ଟୁ-ଲୋଡ୍ ବା V2L ଟେକ୍ନୋଲୋଜି ଜରିଆରେ କାର୍ ବ୍ୟାଟେରୀରୁ ବାହାରର କିଛି ବିଦ୍ୟୁତ୍ ଉପକରଣକୁ ଚଳାଯାଇପାରିବ। ଏଥିପାଇଁ ଉପଯୁକ୍ତ ଆଡାପ୍ଟର ଓ ସଠିକ୍ ସଂଯୋଗ ଆବଶ୍ୟକ। କମ୍ପାନୀ ଅନୁଯାୟୀ, ଏହାର ସର୍ବାଧିକ ଆଉଟ୍‌ପୁଟ୍ କ୍ଷମତା ୩.୩ kVA। ତେବେ କେତେ ସମୟ ବିଦ୍ୟୁତ୍ ମିଳିବ, ତାହା ବ୍ୟାଟେରୀର ଚାର୍ଜ ଓ ଉପକରଣଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ଉପରେ ନିର୍ଭର କରେ। ତେଣୁ ପ୍ରତ୍ୟେକ ଘରେ ୧୩ ଘଣ୍ଟା ବିଦ୍ୟୁତ୍ ମିଳିବ ବୋଲି ନିଶ୍ଚିତ କରାଯାଇପାରିବ ନାହିଁ। V2L ଟେକ୍ନୋଲୋଜି ଜରୁରୀ ପରିସ୍ଥିତିରେ ଇଲେକ୍ଟ୍ରିକ୍ କାର୍‌କୁ ଏକ ପୋର୍ଟେବଲ୍ ପାୱାର ସୋର୍ସ ଭାବେ ବ୍ୟବହାର କରିବାର ସୁଯୋଗ ଦେଉଛି।

Leave a Reply

Your email address will not be published. Required fields are marked *