ଶିକ୍ଷା ଅଧିକାର ଆଇନ, ୨୦୦୯ ଅନୁସାରେ ପ୍ରତ୍ୟେକ ଶିଶୁଙ୍କୁ ନିରାପଦ ଓ ଭୟମୁକ୍ତ ପରିବେଶରେ ଶିକ୍ଷା ମିଳିବା କଥା। କିନ୍ତୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ର ମହୁଲଝରଣ ଗାଁର ସ୍କୁଲରେ ଏହାର ବିପରୀତ ଚିତ୍ର ସାମ୍ନାକୁ ଆସିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀର ୨୧ ଜଣ ପିଲାଙ୍କ ପାଇଁ ୩ ଜଣ ଶିକ୍ଷକ ଥିବା ବେଳେ ସ୍କୁଲକୁ ଘେରି ରହିଛି ଜଙ୍ଗଲ, କିନ୍ତୁ ନାହିଁ ସୁରକ୍ଷା ପାଚେରୀ। ଏହା ସହ ସ୍କୁଲ ପରିସରରେ ଅସୁରକ୍ଷିତ ବିଦ୍ୟୁତ ଟ୍ରାନ୍ସଫର୍ମର ଥିବାରୁ ପିଲାଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି।
ଶିକ୍ଷା ଅଧିକାର ଆଇନ (RTE Act), ୨୦୦୯ ଲାଗୁ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ପ୍ରତ୍ୟେକ ଶିଶୁଙ୍କୁ ନିରାପଦ, ସ୍ୱଚ୍ଛ ଓ ଭୟମୁକ୍ତ ପରିବେଶରେ ଗୁଣାତ୍ମକ ଶିକ୍ଷା ଯୋଗାଇଦେବାର ଲକ୍ଷ୍ୟ ଅନେକ ସ୍ଥାନରେ କେବଳ କାଗଜପତ୍ରରେ ସୀମିତ ରହିଛି । ବିଦ୍ୟାଳୟରେ ନିରାପଦ ଶ୍ରେଣୀଗୃହ, ପାଚେରୀ, ସ୍ୱଚ୍ଛ ପାନୀୟ ଜଳ ଏବଂ ସୁରକ୍ଷିତ ରୋଷେଇ ଘର ରହିବା ବାଧ୍ୟତାମୂଳକ ହୋଇଥିବା ବେଳେ ଏହାର ସମ୍ପୂର୍ଣ୍ଣ ଓଲଟା ଚିତ୍ର ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ମହୁଲଝରଣ ଗାଁରେ ।
ଖଡ଼ିଆଳ ମୁଖ୍ୟ ସହରଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଥିବା ଏହି ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ଏବେ ପରିତ୍ୟକ୍ତ ଅବସ୍ଥାରେ ପହଞ୍ଚିଛି । ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୧ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୩ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି । ମାତ୍ର ୩ଟି ଶ୍ରେଣୀବିଶିଷ୍ଟ ଏହି ସ୍କୁଲ ଚାରିପାଖେ ଘଞ୍ଚ ଜଙ୍ଗଲ ଘେରି ରହିଥିଲେ ସୁଦ୍ଧା ସୁରକ୍ଷା ପାଇଁ ପାଚେରୀ ଖଣ୍ଡିଏ ନାହିଁ । ଫଳରେ ଯେକୌଣସି ମୁହୂର୍ତ୍ତରେ ସ୍କୁଲ ପରିସରକୁ ବିଷାକ୍ତ ସରୀସୃପ ଓ ବନ୍ୟଜନ୍ତୁ ପଶିଆସିବାର ନିରନ୍ତର ଭୟ ଲାଗିରହିଛି । ଏହାଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ସ୍କୁଲ ପରିସର ମଧ୍ୟରେ ଥିବା ଏକ ଅସୁରକ୍ଷିତ ବିଦ୍ୟୁତ ଟ୍ରାନ୍ସଫର୍ମର, ଯାହା କୋମଳମତି ପିଲାଙ୍କ ପାଇଁ ଖୋଲା ବିପଦ ପାଲଟିଛି ।
ସେପଟେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଆହୁରି ଦୟନୀୟ । ରୋଷେଇ ଘରଟି ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ହୋଇପଡ଼ିଥିବା ବେଳେ କାନ୍ଥସାରା ଶିଉଳି ମାଡ଼ିଛି ଏବଂ ଛାତରୁ ଅନବରତ ପାଣି ଗଳୁଛି । ଏଭଳି ଅସ୍ୱାସ୍ଥ୍ୟକର ତଥା ବିପଦପୂର୍ଣ୍ଣ ପରିବେଶ ମଧ୍ୟରେ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଏ ସମସ୍ତ ସମସ୍ୟା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ଶିକ୍ଷା ବିଭାଗକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେବାର ଏତେ ବର୍ଷ ପରେ ବି ଦୁର୍ଗମ ଅଞ୍ଚଳର ଏହି ବିଦ୍ୟାଳୟରେ ମୌଳିକ ସୁବିଧା ନପହଞ୍ଚିବା ବ୍ୟବସ୍ଥାର ଚରମ ଅବହେଳାକୁ ପଦାରେ ପକାଇଛି । ଅସୁରକ୍ଷିତ ଟ୍ରାନ୍ସଫର୍ମର ହଟାଇବା, ପାଚେରୀ ନିର୍ମାଣ ଓ ରୋଷେଇ ଘର ମରାମତି କରିବା ନେଇ ବ୍ଲକ ଶିକ୍ଷାଧିକାରୀ (BEO) କେବଳ ପ୍ରତିଶ୍ରୁତି ଦେଇ ଚୁପ୍ ବସିଛନ୍ତି । ମହୁଲଝରଣ ସ୍କୁଲରେ କେବେ ପ୍ରକୃତ ସୁରକ୍ଷା ଓ ମୌଳିକ ସୁବିଧା ଉପଲବ୍ଧ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

